କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୩
ଚେତନାର କେଉଁ ଏକ କୋଣରେ ଲୁଚିଥାଏ ସ୍ମୃତି। ପବନ ପରି ହଠାତ୍ ଚାଲିଆସେ। ହସ ହୋଇ ଫୁଟେ,ଲୁହ ହୋଇ ଝରିଯାଏ। ପୁଣି କେବେ ବୁଲେଇ ନିଏ କଦମ୍ବ ବଣକୁ। ସେଠି ପବନ ହୋଇ ଶୁଣାଏ ବଂଶୀସ୍ଵନ। ତରଳ ତମସାର ଲୋମଶ ଛାତି ଭିତରେ ସେ ସ୍ମୃତି ଛୋଟ ଏକ ଦୀପ ହୋଇ ଜଳେ। ଦେବୀ ଆଗରେ ରଜନୀଗନ୍ଧା ଫୁଲ ପରି ମହକି ମାଟିରେ ମିଶେ ଅତୀତ।
ଆଉ କେଇ ମୁହୂର୍ତ୍ତ ପରେ ସକାଳ ହେବ।ଆଲୋକର ମହୋତ୍ସବରେ ପୁରିଉଠିବ ପୃଥିବୀ । ହେଲେ ଦେବୀ ପାଇଁ ସକାଳ ମନା। ଆଲୁଅ ମନା। ମନା ଫୁଟନ୍ତା ଫୁଲକୁ ଛୁଇଁବା। ପ୍ରଜାପତି ଦେହରୁ ରଙ୍ଗ ଆଣିବା ବି ମନା।
କାହିଁକି କେଜାଣି ମନ ଆଜି ଲମ୍ବି ଯାଉଛି ଅନେକ ଦୂରକୁ।
ସକାଳ ହେବାର ପ୍ରକ୍ରିୟା ଆରମ୍ଭ କଲାଣି ଆକାଶ।ଘର ପଛପାଖ ବାଉଁଶ ବଣରେ ଗୀତ ଗାଇଲାଣି କୁନି ଚଢେଇଟିଏ। ଧିରେ ଧିରେ ଆଖି ଖୋଲୁଛି ସକାଳ। ତା’ ମନ ଉଡ଼ି ଉଡ଼ି ପହଞ୍ଚି ଯାଉଛି କାହିଁ କେତେ ଦୂର। ସେଦିନ ସନ୍ଧ୍ୟା ବେଳର ସ୍ମୃତି ଧିରେ ଧିରେ ଅପସରି ଯାଉଛି ତାର ସ୍ଥାନ ନେଉଛି ଆଉ ସ୍ମୃତି। ତାର ପ୍ରଥମ ଶାଢ଼ୀ ପିନ୍ଧା ବେଳର ସ୍ମୃତି।
ସେଇଟା କେଉଁଦିନ ପୁରା ମନେ ପଡୁନି। ହେଲେ ତା ଆଗରେ ବିଛେଇ ହୋଇ ପଡ଼ୁଛି ସେ ସବୁ ପୁରୁଣା ମୁହୂର୍ତ୍ତ।
ପ୍ରଥମ ଶାଢ଼ୀ ପିନ୍ଧି ସେ ପ୍ରଥମେ ଭେଟିଥିଲା ଦେବକୁ। ଶଶି ବଡ଼ବୋଉ ଘରେ। ତାକୁ ଦେଖି ଦେବ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଦେବୀକୁ ଖୁବ୍ ଲାଜ ଲାଗିଥିଲା ସେଦିନ। ଦେବୀର ହାତ ଧରି ଦେବ ଖୁବ୍ ଧିରେ କହିଲା ଆରେ ତୁମର ତ ମନ୍ଦିରରେ ବାସସ୍ଥାନ। ତୁମେ ଇଆଡ଼େ କୁଆଡେ ଆସିଗଲ। ଚାଲ ଚାଲ….ମନ୍ଦିରକୁ ଯିବା।
ନିଜର ପ୍ରିୟତମ ଓଠରେ ପ୍ରଶଂସା ସତରେ ଅମୃତ ପାଲଟିଯାଏ। କେଜାଣି କଣ ହେଲା ଦେବୀ ଦେବର ପାଦ ଛୁଇଁ ଝାଉଁଳି ପଡିଲା ସତେ।ହଠାତ୍ ଦେବ ତାକୁ ଛାତି ଉପରକୁ ଆଉଜେଇ ନେଇ ତା କପାଳ ଉପରେ ମୃଦୁ ଚୁମ୍ବନଟିଏ ଦେଲା। ଦେବୀର ସାରା ଦେହରେ ଖେଳିଗଲା ଏକ ମଧୁର ଶିହରଣ। ତାର ପ୍ରତିଟି ଜୀବକୋଷ ସଜାଗ ହୋଇ ରହିଲେ ଭୋଗିବାକୁ ତା’ ପରର ସମ୍ଭାବିତ ସମୟକୁ। ସେଦିନ ରାତିରେ ନିଦ କାବୁ କରିପାରିଲା ନାହିଁ ତାର ଆତୁର ଆଖିକୁ। ସାରା ଦେହ ମନ ଏକ କରୁଣ ଶୂନ୍ୟତାରେ ମିଳେଇ ଗଲା। ସେ କିଛି ଖାଇ ପାରିଲା ନାହିଁ।
ଜୀବନର ଏମିତି ଅନୁଭୂତି କ’ଣ ସବୁବେଳେ ମିଳେ।
କ୍ରମଶଃ….
Comments are closed.