Latest Odisha News

BREAKING NEWS

୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ମିଳିବ ଘର

ଭୁବନେଶ୍ୱର: ଜାଗା ମିଶନର ଏଣିକି ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତି ବାସିନ୍ଦାଙ୍କ ମିଳିବ ଘର। ଏସମ୍ପର୍କିତ ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍।  ୫ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ଲୋକଙ୍କ ଲାଗି ଜାଗା ମିସନ୍ ଯୋଜନା କାର୍ଯ୍ୟକାରୀ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଓଡ଼ିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମିଅଧିକାର ଅଧିନିୟମ, ୨୦୧୭ ” ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବସ୍ତିବାସିନ୍ଦାମାନଙ୍କୁ ଭୂମି ଭୋଗଦଖଲର ସୁରକ୍ଷା ପ୍ରଦାନ କରିବା ତଥା ବସ୍ତିବାସିନ୍ଦାଙ୍କୁ ବାସୋପଯୋଗୀ ବସତିରେ ପରିଣତ କରିବାର ଦ୍ଵୈତ ଉଦ୍ଦେଶ୍ୟ ନେଇ ପ୍ରଣୟନ କରଯାଇଥିଲା।  ରାଜ୍ୟର ସମସ୍ତ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକ  ଏହି ଆଇନ୍ ପରିସରଭୁକ୍ତ ହୋଇଥିଲା ।

ଏହି ପ୍ରସ୍ତାବ ମୁତାବକ ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ତଥା ଯେଉଁଠି ସମ୍ପତ୍ତିଗତ ଅଧିକାର ଦେବାରେ କୌଣସି ଅସୁବିଧା ହେବ, ସେହି ସ୍ଥାନରେ  ବସ୍ତିବାସିନ୍ଦା ମାନଙ୍କୁ ୪୫ ବର୍ଗ ମିଟର ଯାଏଁ ଭୂମି ଉପରେ ଭୂମି ଅଧିକାର ପ୍ରଦାନ କରାଯାଇପାରିବ ।

ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବେ , ତେବେ ୩୦ ବର୍ଗ ମିଟର ଯାଏଁ ଭୂମି ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ। ଏହା ବ୍ୟତୀତ କୌଣସି ଅର୍ଥନୈତିକ  ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହକୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥା ସମ୍ଭବ ୩୦ ବର୍ଗମିଟର ଯାଏଁ ଭୂମି ଯୋଗାଇଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖାଯାଇଛି।

ମହାନଗର ନିଗମମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ କେବଳ ଯେ ଭୂମିଅଧିକାର ସୁରକ୍ଷିତ କରାଇପାରିବ ତା ନୁହେଁ, ବରଂ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ  ଯୋଜନା ମାଧ୍ୟମରେ  ଗୃହ ନିର୍ମାଣ ସହାୟତା ମଧ୍ୟ ଯୋଗାଇ ଦିଆଯାଇପାରିବ। ଏହାଦ୍ଵାରା ୫ ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ପ୍ରାୟ  ୧ ଲକ୍ଷ ୯୦ ହଜାର ପରିବାର  ଅନ୍ତର୍ଗତ ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ। ଏହି କାର୍ଯ୍ୟ ୬ ମାସ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରାଯିବ।

 

Leave A Reply

Your email address will not be published.