Latest Odisha News

BREAKING NEWS

ଚୋରଙ୍କ ଟାର୍ଗେଟ୍‌ରେ ଦେବାଳୟ, ଭଦ୍ରକ ପୂଜାରୀ ସାହି ଜଗନ୍ନାଥ ମନ୍ଦିରରେ ଚୋରି

ଭଦ୍ରକ: ଦିନକୁ ଦିନ ଭଦ୍ରକରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଦୋକାନବଜାର ପରେ ଚୋରଙ୍କ ଟାର୍ଗେଟ୍‌ରେ ଏବେ ଦେବାଳୟ ଭଳି ପବିତ୍ର ସ୍ଥାନ । କିଛିଦିନ ପୂର୍ବରୁ ଏକାଧିକ ଦୋକାନରେ ଲୁଟରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ପୋଲିସ ଏନକାଉଣ୍ଟର୍ କରିଥିଲା । ହେଲେ ଏବେ ମନ୍ଦିରେ ଚୋରି ଭଳି ମାମଲା ପୋଲିସ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ସାଜିଛି ।

ଭଦ୍ରକ ପୂଜାରୀ ସାହି ଜଗନ୍ନାଥ ମନ୍ଦିର ଉପରେ ଚୋରଙ୍କର ଲୋଲୁପ ଦୃଷ୍ଟି ପଡିଛି । ଟାଉନ ଥାନାଠାରୁ ମାତ୍ର କିଛି ଦୂରରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରୁ ରୂପା ଅଳଙ୍କାର ସମେତ ଅନ୍ୟ କିଛି ସାମଗ୍ରୀ ଲୁଟ୍ ହୋଇଥିବା ଜଣାପଡିଛି । ବିଳମ୍ବିତ ଶୀତୁଆ ରାତିର ସୁଯୋଗ ଉଠାଇ ଚୋରମାନେ ମନ୍ଦିରେ କଳାକନା ବୁଲାଇଥିବା ଅନୁମାନ କରାଯାଉଛି ।

ତଦନ୍ତରେ ଜଣାପଡିଛି ମନ୍ଦିରର ତାଲା ଭାଙ୍ଗି ଚୋରମାନେ ଏକ ରୂପା ହାର, ବାସନକୁସନ, ଅନ୍ୟାନ୍ୟ ସାମଗ୍ରୀ ଓ ହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି । ଆଜି ସକାଳୁ ମନ୍ଦିରରେ ପୂଜାରୀ ପହଂଚିବା ପରେ ଚୋରି ମାମଲା ସାମ୍ନାକୁ ଆସିଥିଲା । ଏ ନେଇ ସ୍ଥାନୀୟ ଲୋକେ ମିଳିତ ଭାବେ ଥାନାରେ ଅଭିଯୋଗ କରିବା ପରେ ଲକ୍ଷାଧିକ ଟଙ୍କାର ସମଗ୍ରୀ ଚୋରି ହୋଇଥିବା ଜଣାପଡିଥିଲା ।

Leave A Reply

Your email address will not be published.