Latest Odisha News

BREAKING NEWS

ଜାଲି ଖବର ଉପରେ ଗାଇଡଲାଇନ ଉନ୍ମୋଚିତ

ଢେଙ୍କାନାଳ: ଜାଲି ଖବର ସାରା ପୃଥିବୀରେ ଭୟାନକ ବିପଦ ଭାବେ ଉଭା ହୋଇଛି । ଫଳରେ କେଉଁଟି ସତ, କେଉଁଟି ମିଛ ଲୋକମାନେ ଜାଣିପାରୁ ନାହାନ୍ତି । ଆଉ କ୍ରମଶଃ ଏହା ଆମର ଖବର ପଠନର ଶୈଳୀକୁ ବି କବଜା କରିବାକୁ ବସିଲାଣି । ତେଣୁ ଜାଲି ଖବରକୁ କିପରି ଯାଞ୍ଚ କରାଯାଇ ପାରିବ, ସେ ସଂପର୍କରେ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ପକ୍ଷରୁ ଆଜି ଏକ ଗାଇଡ଼୍‍ଲାଇନ୍‍ ଉନ୍ମୋଚିତ ହୋଇଯାଇଛି । ଇଂରାଜୀରେ ପ୍ରସ୍ତୁତ ଏହି ଗାଇଡ଼୍‍ଲାଇନକୁ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ ଇ-ଉନ୍ମୋଚନ କରିଥିଲେ ।

ଏହି ଅବସରରେ ସେ କହିଥିଲେ- ସମ୍ବାଦ ପ୍ରସାରଣ କ୍ଷେତ୍ରରେ ଜାଲି ଖବର ଏବେ ଏକ ବଡ଼ ସମସ୍ୟା ହୋଇଗଲାଣି । ଏହା ସଂପ୍ରଦାୟ, ସଂପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିପାରେ । ଦେଶକୁ ମାନସିକ ସ୍ତରରେ ଖଣ୍ଡ ଖଣ୍ଡ କରିଦେବାର କ୍ଷମତା ଜାଲି ଖବରର ରହିଛି । ତେଣୁ ସମସ୍ତେ ଏ ଦିଗରେ ଅବଗତ ହେବା ବର୍ତ୍ତମାନ ସମୟର ଆବଶ୍ୟକତା । ସମସ୍ତେ ଏ ସଂପର୍କରେ ଜାଣିଲେ ହିଁ କେଉଁଟି ଅସଲି, କେଉଁଟି ନକଲି ତାହା ବାଛି ପାରିବେ ବୋଲି ଡ. ଚାଟାର୍ଜୀ କହିଥିଲେ ।

ଆଇଆଇଏମସି, ଢେଙ୍କାନାଳ ଓ ପ୍ରେସ୍‍ କ୍ଲବ, କୋଲକାତା ପକ୍ଷରୁ ଏହି ଗାଇଡ଼୍‍ଲାଇନ୍‍ ପ୍ରସ୍ତୁତ କରାଯାଇଛି । ପ୍ରଫେସର ମୃଣାଳ ଚାଟାର୍ଜୀ ଓ ପ୍ରେସ୍‍ କ୍ଲବର ସଭାପତି ସ୍ନେହାଶିଷ ସୁର ଏଥିପାଇଁ ଆବଶ୍ୟକୀୟ ସହାୟତା କରିଛନ୍ତି । ଗାଇଡ଼୍‍ଲାଇନକୁ ସଂକଳିତ କରିଛନ୍ତି ସହକାରୀ ପ୍ରଫେସର ସମ୍ବିତ ପାଲ୍‍ ।

ଜାଲି ଖବରକୁ ଜାଣିବା ପାଇଁ ଅନେକ ଅନଲାଇନ ଟୁଲ ଅଛି । ଏହାକୁ ସମସ୍ତେ ଜାଣିବା ଦରକାର ବୋଲି ସମ୍ବିତ ପାଲ୍‍ କହିଛନ୍ତି । ଏହି ଗାଇଡ଼୍‍ଲାଇନ ଓଡ଼ିଆ ସମେତ ତେଲୁଗୁ, ବଙ୍ଗଳା ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରକାଶିତ ହେବ ବୋଲି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସୂଚନା ଦେଇଛନ୍ତି ।

ଲକଡାଉନ ସମୟରେ ଆଇଆଇଏମସି, ଢେଙ୍କାନାଳ ପକ୍ଷରୁ ଏହା ଦ୍ୱିତୀୟ ଇ-ଉନ୍ମୋଚନ । ପୂର୍ବରୁ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସଂପର୍କରେ ଏକ ମନୋଗ୍ରାଫ୍‍ ଆଇଆଇଏମସି ପକ୍ଷରୁ ଅପ୍ରେଲ ୧୩ ତାରିଖ ଦିନ ଉନ୍ମୋଚିତ ହୋଇଯାଇଛି । ତା ପୂର୍ବରୁ ବିଷାଦ ଓ ମାନସିକ ଚାପ ଉପରେ ଏକ ମନୋଗ୍ରାଫ୍‍ ଆଇଆଇଏମସି ପ୍ରକାଶ କରିଥିଲା ।

Leave A Reply

Your email address will not be published.