ଶ୍ରୀନଗର: ଭାରତୀୟ ସେନା ଶତ୍ରୁଙ୍କ ପାଇଁ ଯେତିକି କଠୋର ଅସହାୟଙ୍କ ପାଇଁ ସେତିକି କୋମଳ । ଭାରତୀୟ ସେନା ବୁଝିଛନ୍ତି, ତାଙ୍କର କର୍ତ୍ତବ୍ୟ ହେଉଛି ସୁରକ୍ଷା ଯୋଗାଇ ଦେବା । ଦେଶବାସୀଙ୍କୁ ତାଙ୍କର ଗୋଟିଏ ବାର୍ତ୍ତା.. ‘ଆମେ ଅଛୁ..ତୁମେ ନିଶ୍ଚିନ୍ତ ରୁହ’ । ସୀମାନ୍ତ ହେଉ ବା ଦେଶ ଭିତରେ , ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେମାନେ ସବୁବେଳେ ପ୍ରସ୍ତୁତ ।
ଜମ୍ମୁ କାଶ୍ମୀରରେ ଶୂନ୍ୟ ଡିଗ୍ରୀ ତାପମାତ୍ରାରେ ଶତ୍ରୁକୁ ଛକି ବସିଛନ୍ତି ସେନା । କେତେବେଳେ ମାରୁଛନ୍ତି ତ କେତେବେଳେ ଶହୀଦ ହେଉଛନ୍ତି । ଜୀବନର ଏ ଅନିଶ୍ଚିତତା ଭିତରେ ଦୟା, ମାନବିକତା ପରି ଶବ୍ଦକୁ କିନ୍ତୁ ଭୁଲି ନାହାନ୍ତି ଏଇ ଯବାନମାନେ । ଏମିତି ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି ଠିକ ଏହା କହିବେ।
ଘଟଣାଟି ଜମ୍ମୁ-କାଶ୍ମୀର ବାରମୁଳା ଜିଲ୍ଲାର ଏକ ଦୂରନ୍ତ କୁରାଳୀ ଗାଁରେ ଘଟିଛି । ସେନାବାହିନୀର ସୂଚନା ଅନୁଯାୟୀ, ଏହି ଗାଁରେ ଜଣେ ୧୯ ବର୍ଷୀୟ ଯୁବତୀ ଶୁକ୍ରବାର ସକାଳେ ହଠାତ ଅଚେତ ହୋଇଗଲେ । ଯୁବତୀ ଜଣକ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିବାବେଳେ ହଠାତ ଏପରି ଗୁରୁତର ହୋଇପଡ଼ିଥିଲେ । ସୁମବାଲି ଗାଁରେ ରହୁଥିବା ତାଙ୍କ ବାପା ଫୋନ କରି ଜଣେ ସେନାଙ୍କୁ ଏକଥା ଜଣାଇଥିଲେ । କାରଣ ପ୍ରବଳ ତୁଷାରପାତ କାରଣରୁ ଚେଷ୍ଟା କରି ବି ତାଙ୍କ ବାପା ଝିଅ ପାଖକୁ ଯାଇ ପାରି ନ ଥିଲେ । ଶେଷରେ ଉରୀ ଅଞ୍ଚଳରେ ରହୁଥିବା ଯବାନଙ୍କୁ ଜଣାଇଥିଲେ । ଯବାନମାନେ ବରଫପାତକୁ ଖାତିର ନ କରି ଯୁବତୀଙ୍କ ବାପାଙ୍କଠାରୁ ଠିକଣା ନେଇ ତୁରନ୍ତ ସେଠାରେ ପହଞ୍ଚି ଯାଇଥିଲେ । ଯୁବତୀଙ୍କୁ କାନ୍ଧରେ ବୋହି ବୋହି ବରଫରେ ଚାଲି ଚାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ଯବାନମାନେ ।
ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋଟିରେ ଯବାନମାନେ ଦୁର୍ଗମ ରାସ୍ତାରେ, ବରଫ ଉପରେ ଚାଲି ଚାଲି ଯୁବତୀଙ୍କୁ କାନ୍ଧରେ ବୋହି ଆସୁଥିବାର ଏ ଦୃଶ୍ୟ ଦେଖିଲେ ହାତ ଆପେ ଆପେ ଆମ ବୀର ଯବାନଙ୍କୁ ସାଲ୍ୟୁଟ ମାରିବାକୁ ଉଠିଯିବ ।
Comments are closed.