Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଲେ: ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ

ଶ୍ରୀନଗର/ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାର ରାଜନୈତିକ ପରିସ୍ଥିତିରେ ଏବେ ଦ୍ରୁତ ପରିବର୍ତ୍ତନ ଦେଖାଯିବାରେ ଲାଗିଛି । ରମଜାନ ମାସ ଆରମ୍ଭରୁ ଜମ୍ମୁ ଓ କାଶ୍ମୀର ରାଜ୍ୟରେ ବିଶୃଙ୍ଖଳାକୁ ମୁକାବିଲା କରିବାକୁ ଆରମ୍ଭ କରିଥିଲେ ଉଭୟ କେନ୍ଦ୍ର ଓ କାଶ୍ମୀର ସରକାର । କିନ୍ତୁ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ଜମ୍ମୁ ଓ କାଶ୍ମୀର ରାଜ୍ୟର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

କାଶ୍ମୀର ବିଧାନସଭାରେ ଯେବେ ଏକ ଝୁଲା ସରକାରର ପରିସ୍ଥିତି ସୃଷ୍ଟି ହୋଇଥିଲା ସେହିସମୟରେ ମେହବୁବାଙ୍କ ପିଡ଼ିପି ଏବଂ ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା । ୮୭ ଆସନ ବିଶିଷ୍ଟ ବିଧାନସଭାରେ ପିଡ଼ିପିର ୨୮ ଓ ବିଜେପିର ୨୫ ବିଧାୟକ ମେଣ୍ଟକରି ଶାସନ ସମ୍ଭାଳିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନଠାରୁ ହିଁ ଉପତ୍ୟକାର ଅଶାନ୍ତ ପରିସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ ମେହବୁବାଙ୍କ ନେତୃତ୍ୱାଧିନ ମେଣ୍ଟ ସରକାର ।

ତେବେ ୩ ବର୍ଷର ପିଡ଼ିପି-ବିଜେପି ମେଣ୍ଟର ଆଜି ଅବସାନ ମଧ୍ୟ ଘଟିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତାଙ୍କର ଇସ୍ତଫାପତ୍ର ରାଜ୍ୟପାଳ ନରେନ୍ଦ୍ର ନାଥ ଭୋରାଙ୍କୁ ପ୍ରଦାନ କରିଛନ୍ତି । ଏଥିସହିତ ରାଜ୍ୟରେ ଆଇନଶାସନ ପରିସ୍ଥିତି ଦୃଷ୍ଟିରେ ରଖି ରାଷ୍ଟ୍ରପତି ଶାସନ ଜାରୀ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି ।

ଏନେଇ ଗଣମାଧ୍ୟମକୁ ବିଜେପି କେନ୍ଦ୍ରୀୟ ମହାସଚିବ ତଥା ଜମ୍ମୁ ଓ କାଶ୍ମୀର ରାଜ୍ୟ ଲାଗି ନିଯୁକ୍ତ ବିଜେପି ପ୍ରଭାରୀ ରାମ ମାଧବ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ ହେବା ସହିତ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ଯୋଗୁଁ ସରକାର ଚଳାଇବା ଅସମ୍ଭବ ହେଲା, ତେଣୁ ରାଜ୍ୟ ଓ ଦେଶର ଅଖଣ୍ଡତା ବଜାୟ ରଖିବା ଲାଗି ଆମେ ମେଣ୍ଟରୁ ଓହରି ଆସିଲୁ । ଏଭଳି ସ୍ଥିତିରେ ରାଜ୍ୟପାଳ ଶାସନ ଲାଗୁ ହିଁ ଉଚିତ ପଦକ୍ଷେପ ହେବ ବୋଲି କହିଛନ୍ତି ବିଜେପି ମହାସଚିବ ରାମ ମାଧବ ।

Leave A Reply

Your email address will not be published.