Latest Odisha News

BREAKING NEWS

ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ପାଇବେ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ୨୦୧୭ ମସିହା ଲାଗି ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ଏହି ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଲାଗି ଭାରତର ବଛା ବଛା ଶିଳ୍ପୀଙ୍କୁ ନେଇ ନୃତ୍ୟ, ଅଭିନୟ ଓ ସଙ୍ଗୀତ କ୍ଷେତ୍ରରେ ଏକାଡ଼େମୀ ପୁରସ୍କାର ଲାଗି ଚୟନ କରାଯାଇଥିଲା । ଜୁନ ୮ ତାରିଖରେ ମଣିପୁରର ଇମ୍ଫାଲରେ ଚୟନ ପ୍ରକ୍ରିୟା ଚାଲିଥିଲା । ତେବେ ନୃତ୍ୟ, ଅଭିନୟ ଏବଂ ସଙ୍ଗୀତ କ୍ଷେତ୍ରରେ ଭାରତର ୪୨ ଜଣ ଶିଳ୍ପୀଙ୍କୁ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଲାଗି ମନୋନୀତ କରାଯାଇଛି ।

ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କ ଜନ୍ମ ୧୯୬୮ ମସିହାରେ ବାଲେଶ୍ୱରେ ହୋଇଥିଲା । ୧୯୮୭ ମସିହାରେ ପ୍ରଖ୍ୟାତ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡ଼ିଶୀ ଶିକ୍ଷା ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ପ୍ରଥମ ଓଡ଼ିଶୀ ଗୁରୁ ଥିଲେ ବାଲେଶ୍ୱରର ସୁଧାକର ସାହୁ । ଗୁରୁ କେଳୁଚରଣ ମହାପାତ୍ରଙ୍କ ସୁପୁତ୍ର ଗୁରୁ ରତିକାନ୍ତ ମହାପାତ୍ରଙ୍କୁ ବିବାହ କଲେ ସୁଜାତା । ବର୍ତ୍ତମାନ ସୁଜାତା କେଳୁଚରଣ ମହାପାତ୍ରଙ୍କ ପ୍ରତିଷ୍ଠିତ ଓଡ଼ିଶୀ ଅନୁଷ୍ଠାନ ‘ସର୍ଜନ’ର ଅଧ୍ୟକ୍ଷା ଭାବେ ଶିକ୍ଷାଦାନ କରୁଛନ୍ତି ।

ସୁଜାତା ମହାପାତ୍ର ତାଙ୍କର କଳାନୈପୁଣ୍ୟତା ତଥା ଓଡ଼ିଶୀ ନୃତ୍ୟ ଲାଗି ପୂର୍ବରୁ ମାହାରୀ ସମ୍ମାନ, ଆଦିତ୍ୟ ବିରଳା କଳାନିକେତନ ସମ୍ମାନ, ସଂଯୁ୍କ୍ତା ପାଣିଗ୍ରାହୀ ସମ୍ମାନ ପରି ସମ୍ମାନଜନକ ପୁରସ୍କାର ହାସଲ କରିପାରିଛନ୍ତି ।

Leave A Reply

Your email address will not be published.