Latest Odisha News

କର୍ଣ୍ଣାଟକରେ ଝୁଲାଇବ ଜେଡିଏସ

ଭୁବନେଶ୍ୱର: ରାତି ପାହିଲେ କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ। କର୍ଣ୍ଣାଟକ ମହାସଂଗ୍ରାମର ମହାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ବିଭିନ୍ନ ଏକଜିଟ ପୋଲ ଭିନ୍ନ ଭିନ୍ନ କଥା କହୁଥିବା ହେଲେ ଝୁଲା ବିଧାନସଭାକୁ ଏଡାଇ ଦିଆଯାଇ ନ ପାରେ। ଏଭଳି ସ୍ଥିତିରେ ଜେଡିଏସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

ତେଣୁ ଉଭୟ କଂଗ୍ରେସ ଓ ବିଜେପି ପୂର୍ଣ୍ଣ ବହୁମତ ପାଇବେ ବୋଲି ଆଶା ରଖିଥିଲେ ମଧ୍ୟ ଝୁଲା ସମ୍ଭାବନାକୁ ଆଖି ଆଗରେ ରଖି ଜେଡିଏସ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିବା କୁହାଯାଉଛି। ଉଭୟ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ଜେଡିଏସ ଦ୍ୱାରକୁ ଯିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଜେଡିଏସ ମୁଖ୍ୟ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଫଳାଫଳକୁ ଅପେକ୍ଷା କରିଛନ୍ତି।

ଏପରିକି ୨୦୧୮ ମସିହା ଭଳି ଜେଡିଏସ କଂଗ୍ରେସ ସହ ମିଶି ସରକାର ଗଢ଼ିବା ସପକ୍ଷରେ ଥିବା କୁହାଯାଇଛି। କିନ୍ତୁ ସରକାର ଗଢିବାକୁ ନେଇ ଜେଡିଏସ ମୁଖ୍ୟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। କୁମାରସ୍ୱାମୀ ୨୦୦୬ ମସିହାରେ ବିଜେପି ସହ ମିଶି ସରକାର ଗଢିଥିବା ବେଳେ ୨୦୧୮ ରେ କଂଗ୍ରେସ ସହ ମିଶି ସରକାର ଗଢ଼ିଥିଲେ।

କିନ୍ତୁ ସେ ସମୟରେ ସେ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ଆରମ୍ଭରୁ ସୁଧାରିବା ପାଇଁ ସର୍ତ୍ତ ପ୍ରସ୍ତୁତ କରିଛନ୍ତି। କଂଗ୍ରେସ କିମ୍ବା ବିଜେପି ସହ ମିଶି ସରକାର ଗଢିଲେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ସ୍ୱାଧୀନତା ଦେବା ପ୍ରଥମ ସର୍ତ୍ତ ହେବ।

ଏପରିକି ଜେଡିଏସ ହାତରେ ଜଳସମ୍ପଦ, ଶକ୍ତି, ପୂର୍ତ୍ତ ବିଭାଗ ଆଦି ରହିବ। ଏପରିକି ଯେଉଁ ଦଳ ସହ ମିଶି ସେ ସରକାର ଗଢିବେ ସେ ଦଳ ତାଙ୍କୁ ଜେଡିଏସର ଇସ୍ତାହାର ପୂରଣ କରିବାକୁ ଅନୁମତି ଦେବ।

୨୦୧୮ ମସିହାରେ କଂଗ୍ରେସ ସହ ମିଶି ସରକାର ଗଠନ ବେଳେ ଯେଉଁ ମିଳିତ ସମନ୍ୱୟ କମିଟି ଗଠନ ହୋଇଥିଲା ତାହା ନ କରିବାକୁ ଏଚ ଡି କୁମାରସ୍ୱାମୀ ଚାହୁଁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସର ଜାତୀୟ ସଭାପତି ଏଚ ଡି ଦେବେଗୌଡା ମିଳିତ ସରକାର ନେଇ ଶେଷ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

ଏପରିକି ଡିସେମ୍ବର ୨୦୨୨ ମସିହାରେ କୁମାରସ୍ୱାମୀ ଏ ସମ୍ପର୍କରେ ବିଜେପିକୁ ଚେତାଇବା ସହ ୨୦୨୩ ନିର୍ବାଚନ ପରେ ତାଙ୍କ ପାଖକୁ ଯିବାକୁ ପଡ଼ିବ ବୋଲି କହିଥିଲେ। ୨୦୦୪, ୨୦୦୮ ଓ ୨୦୧୮ ରେ କର୍ଣ୍ଣାଟକରେ ଝୁଲା ସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ମିଳିତ ସରକାର ହେବା ସହ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା।

ତେଣୁ ଏଥର ମଧ୍ୟ ଝୁଲା ସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରାଯାଉଥିବା ବେଳେ ସମ୍ଭାବ୍ୟ ପରିଣାମକୁ ନେଇ ତିନି ଦଳ ପ୍ରସ୍ତୁତ ହେଲେଣି। କର୍ଣ୍ଣାଟକରେ ସରକାର ଗଢ଼ିବା ଉଭୟ ବିଜେପି ଓ କଂଗ୍ରେସ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉ ଥିବାରୁ ଉଭୟ ଦଳ ସମ୍ଭାବ୍ୟ ସ୍ଥିତିକୁ ଆଖି ଆଗରେ ରଖି ସରକାର ଗଢିବାକୁ ନିଜର ସମସ୍ତ କୌଶଳ ବ୍ୟବହାର କରିବା ଆରମ୍ଭ କରିଛନ୍ତି।

Comments are closed.