Latest Odisha News

BREAKING NEWS

ବିରୋଧୀଙ୍କ ପାଇଁ ମୋଦିଙ୍କ ପ୍ରଚାର!

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ ନେଇ ଯେତିକି ଚର୍ଚ୍ଚା ଓ ବିବାଦ ନାହିଁ ବିରୋଧୀ ମେଣ୍ଟର ନୂଆ ନାଁ ଇଣ୍ଡିଆକୁ ନେଇ ସେତିକି ଅଧିକ ଚର୍ଚ୍ଚା ହେଉଛି। ଇଣ୍ଡିଆ ନାଁ କୁ ନେଇ ବିରୋଧୀ ଦଳ ଗୁଡିକ ବେଶ ଆଶାବାଦୀ। ଏହି ନାଁ କୁ ନେଇ ଦେଶରେ ଏକ ବଡ଼ ମାହୋଲ ତିଆରି ହୋଇପାରିବ ବୋଲି ଆଶା ରଖିଛନ୍ତି ବିରୋଧୀ।

ଏପରିକି ନାଁ ଦିଆଯିବାର ଠିକ ପରେ ପରେ ବିରୋଧୀ ଦଳଗୁଡିକ ଏହାକୁ ନେଇ ବାତାବରଣ ତିଆରି କରିବା ଆରମ୍ଭ କରିଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଟ୍ୱିଟରରେ ଭାରତ ଜୁଡେଗା ଇଣ୍ଡିଆ ଜିତେଗା ବୋଲି ଲେଖିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ପ୍ରଭାବ ସାରା ଦେଶରେ ପଡିଥିବା ଦେଖାଯାଇଛି। ଏପରିକି ଏହି ଯାତ୍ରା ଶେଷ ହେବା ପରେ ବିଭିନ୍ନ ମାଧ୍ୟମରେ ରାହୁଲ ଭାରତ ଯୋଡୋ ଯାତ୍ରା ଜାରି ରଖିଛନ୍ତି। ଟ୍ରକ ଡ୍ରାଇଭରଠୁ ଆରମ୍ଭ କରି ମାର୍କେଟରେ ଦୋକାନୀଙ୍କ ସହ, ବାଇକ ମେକାନିକଙ୍କ ଠୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ କୃଷକ ମାନଙ୍କ ସହ ମିଶି ଭାରତ ଯୋଡୋ ଯାତ୍ରାକୁ ରାହୁଲ ଆଗେଇ ନେଉଥିବା ଦଳ ପକ୍ଷରୁ କୁହାଯାଉଛି।

ଏଭଳି ସ୍ଥିତିରେ ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ଦିଆଯିବା ସହ ଏହାକୁ ଭାରତ ଯୋଡୋ ନାଁ ସହ ଯୋଡି ମାହୋଲ ତିଆରି କରିଛି କଂଗ୍ରେସ। ଖୋଦ ରାହୁଲ ଗାନ୍ଧୀ ଏହାକୁ ଟ୍ଵିଟ କରି ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛନ୍ତି।

ସେପଟେ କଂଗ୍ରେସର ଟ୍ୱିଟର ପେଜରେ ମଧ୍ୟ ଇଣ୍ଡିଆକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯାଉଛି। ଏ ଲଢେଇ ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ, ନରେନ୍ଦ୍ର ମୋଦି ଓ ଇଣ୍ଡିଆ ମଧ୍ୟରେ, ବିଜେପିର ବିଚାରଧାରା ଓ ଇଣ୍ଡିଆ ମଧ୍ୟରେ ହେବ ବୋଲି ରାହୁଲ କହିଛନ୍ତି।

ତେଣୁ ବିରୋଧୀ ମେଣ୍ଟର ନାଁ ଓ ଏଭଳି ଉକ୍ତି ମାଧ୍ୟମରେ ବିରୋଧୀ ଦେଶପ୍ରେମ ବହ୍ନି ଜାଗ୍ରତ କରିବା ଆରମ୍ଭ କରିଛନ୍ତି। ଏପରିକି ବିରୋଧୀମେଣ୍ଟ ଜିତେଗା ଭାରତକୁ ମେଣ୍ଟର ଟ୍ୟାଗ ଲାଇନ କରିଛନ୍ତି। ଯାହାକୁ ହିନ୍ଦୀ ଭାଷାରେ କରାଯାଇଛି। କିନ୍ତୁ ପ୍ରତ୍ୟେକ ଆଞ୍ଚଳିକ ଭାଷାରେ ଏହାକୁ ବ୍ୟବହାର କରାଯିବ ବୋଲି କୁହାଯାଉଛି।

ଦେଶପ୍ରେମକୁ ବିଜେପି ସବୁବେଳେ ଏକ ମୁଖ୍ୟ ପ୍ରସଙ୍ଗ କରୁଥିବା ବେଳେ ଏହାକୁ କାଉଣ୍ଟର କରିବାକୁ କୌଣସି ବି ସୁଯୋଗକୁ ବିରୋଧୀ ମେଣ୍ଟ ହାତଛଡା କରିବାକୁ ଚାହୁଁନାହାଁନ୍ତି। ତେଣୁ ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ଦେବା ସହ ଟ୍ୟାଗଲାଇନ ଜିତେଗା ଭାରତ ଦେଇଛନ୍ତି।

ଭାରତର ପ୍ରତ୍ୟେକ ଲୋକଙ୍କ ସହ ଇଣ୍ଡିଆକୁ ଯୋଡିବାକୁ ଏହି ନାଁ ଓ ଟ୍ୟାଗଲାଇନ ବେଶ ଉପାଦେୟ ହେବ ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବର ଭାଷଣ ଭୋଟ ଫର ଇଣ୍ଡିଆ ଭିଡିଓକୁ କଂଗ୍ରେସ ପକ୍ଷରୁ ବ୍ୟାପକ ଭାବେ ପ୍ରଚାର କରାଯାଉଛି।

ଟ୍ୱିଟରଠୁ ଆରମ୍ଭ କରି ଅନ୍ୟ ସାମାଜିକ ଗଣମାଧ୍ୟମରେ ମୋଦି ଭୋଟ ଫର ଇଣ୍ଡିଆ କହିବା ସହ ଲୋକଙ୍କୁ ତାଙ୍କ ସହ ଭୋଟ ଫର ଇଣ୍ଡିଆ କହିବାକୁ କହୁଥିବା ଓ ଲୋକେ ମୋଦୀଙ୍କ ସହ ଏକ ସ୍ୱରରେ ଏ ସ୍ଲୋଗାନ ଦେଉଥିବା ଭିଡିଓକୁ ବ୍ୟାପକ ଭାବେ ପ୍ରଚାର କରାଯାଉଛି।

ସେପଟେ ଏହି ନାଁ କୁ ନେଇ ବିଜେପି ବିରୋଧୀଙ୍କୁ ଟାର୍ଗେଟ କରିଛି। ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜ ଟ୍ୱିଟର ବାୟୋରୁ ଇଣ୍ଡିଆ ଶବ୍ଦକୁ ହଟାଇ ଦେଇଛନ୍ତି।

ଏଥିସହିତ ବିରୋଧୀ ମେଣ୍ଟର ଇଣ୍ଡିଆ ନାଁକୁ ତୀବ୍ର ସମାଲୋଚନା କରିଛନ୍ତି ବିଶ୍ୱଶର୍ମା। ବ୍ରିଟିଶରମାନେ ଦେଶର ନାଁ ଇଣ୍ଡିଆ ରଖିଥିଲେ। ଦେଶକୁ ଉପନିବେଶବାଦରୁ ବାହାର କରିବା ପାଇଁ ସଂଘର୍ଷ କରିବା ଦରକାର ବୋଲି ସେ କହିଛନ୍ତି।

ତେଣୁ ଗୋଟିଏ ପଟେ ଇଣ୍ଡିଆ ନାଁ କୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାକୁ ବିରୋଧୀ ଉଦ୍ୟମ ଜୋରଦାର କରିଥିବା ବେଳେ ବିଜେପି ଏହାକୁ ପ୍ରତିହତ କରିବାକୁ ଉଦ୍ୟମ ଆରମ୍ଭ କରିଛି।

Leave A Reply

Your email address will not be published.