Latest Odisha News

ଝାଡ଼ଖଣ୍ଡର ହଟ୍ ସିଟ୍: କାହାର କେତେ ଦମ୍?

ନୂଆଦିଲ୍ଲୀ: ବୁଧବାର ବଡ ଫାଇଟ୍ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଝାଡଖଣ୍ଡ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ୧୩ତାରିଖରେ ପଡିବ। ୪୩ଟି ସିଟରେ ନେତା ବାଛିବେ ଜନତା । ଏଥର ସମସ୍ତଙ୍କ ନଜର କୋହ୍ଲାନ୍ ଅଞ୍ଚଳ ଉପରେ ରହିଛି । ଚମ୍ପାଇ ସୋରେନ୍ ବିଜେପିରେ ସାମିଲ ହେବା ପରେ ବିଜେପି ଏହି ଅଞ୍ଚଳରେ ଅଧିକରୁ ଅଧିକ ସିଟ ଜିତିବାକୁ ଲକ୍ଷ୍ୟ ରଖିଛି । ୨୦୧୯ରେ ବିଜେପି କୋହ୍ଲାନ ଅଞ୍ଚଳର ସମସ୍ତ ୧୪ଟି ସିଟ୍ ହାରିଥିଲା । ହେଲେ ଏଥର ଚମ୍ପାଇ ଗୋଟି ଚଳାଇ କୋହ୍ଲାନ କବଜା କରିବାକୁ ପ୍ଲାନ୍ କରିଛି ବିଜେପି । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ହଟ ସିଟରେ କାହାର ପଲ୍ଲା ଭାରି?

କମାଲ କରିବେ କୋହ୍ଲାନ୍ ଟାଇଗର?

କୋହ୍ଲାନ ଅଞ୍ଚଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କର ଭଲ ପକଡ ରହିଥିବା କୁହାଯାଉଛି । ତାଙ୍କୁ ସାମନାରେ ରଖି କୋହ୍ଲାନ ହାତେଇବାକୁ ଗେମପ୍ଲାନ୍ କରିଛି ବିଜେପି । ଷଢେଇକଳାରୁ ଚମ୍ପାଇ ସୋରେନ ନିର୍ବାଚନ ଲଢୁଥିବା ବେଳେ ପୁଅ ବାବୁଲାଲ ସୋରେନ ଘଟଶିଳାରୁ ନିର୍ବାଚନ ଲଢୁଛନ୍ତି । ଅର୍ଥାତ ଜନାଦେଶ ଚମ୍ପାଇ ଓ ବାବୁଲାଲଙ୍କ ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ କରିବ। ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରି ଅସମ୍ମାନ କରାଯାଇଥିବା କହି ଜେଏମଏମକୁ ବାରମ୍ବାର ଟାର୍ଗେଟ୍ କରୁଛି ବିଜେପି।

ଝାଡ଼ଖଣ୍ଡର ହଟସିଟ୍

ଜାମସେଦପୁର ପୂର୍ବରେ ଏଥର ଦେଖିବାକୁ ମିଳିବ କାଣ୍ଟେ କି ଟକ୍କର । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ଏଠାରୁ ମଇଦାନରେ ରହିଛନ୍ତି ତ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ହେଭିଓ୍ବେଟ୍ ନେତା ଅଜୟ କୁମାର। ସେହିପରି ଜାମସେଦପୁର ପଶ୍ଚିମରେ ବି ଜୋରଦାର ମୁକାବିଲା ହେଉଛି । ମଇଦାନରେ ଜେଡିୟୁର ସରାୟୁ ରାୟ ଓ କଂଗ୍ରେସ ଟିକେଟରେ ଲଢୁଥିବା ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ମୁହାଁମୁହିଁ ହୋଇଛନ୍ତି । ତମାରରେ ବି ରୋଚକ ଲଢେଇ ହେଉଛି । ଜେଡିୟୁ ପ୍ରାର୍ଥୀ ରାଜା ପିଟର ଓ ଦୁଇ ଦୁଇ ଥର ବିଧାୟକ ରହିଥିବା ବିକାଶ ମୁଣ୍ଡାଙ୍କ ମଧ୍ୟରେ ଫାଇଟ୍ ହେଉଛି । ରାଜା ପିଟର ପୂର୍ବତନ ମନ୍ତ୍ରୀ ତଥା ତମାର ବିଧାୟକ ରମେଶ ସିଂହ ମୁଣ୍ଡାଙ୍କ ହତ୍ୟା ଅଭିଯୋଗରେ ଲମ୍ବା ସମୟ ଜେଲରେ ରହିଥିଲେ । ଜେଏମଏମ୍ ସୁପ୍ରିମୋ ଶିବୁ ସୋରେନଙ୍କୁ ଉପନିର୍ବାଚନରେ ହରାଇ ଚର୍ଚ୍ଚାକୁ ଆସିଥିଲେ ରାଜା ପିଟର । ତାଙ୍କୁ ଟକ୍କର ଦେଉଛନ୍ତି ସ୍ବର୍ଗତ ରମେଶ ମୁଣ୍ଡାଙ୍କ ପୁଅ ବିକାଶ ମୁଣ୍ଡା । ତେଣୁ ତମାରରେ ଏଥର କିଛି ବି ହୋଇପାରେ।

ସୁପରହିଟ୍ ମୁକାବିଲା

କୋହ୍ଲାନରେ ହିଁ ପ୍ରଥମ କରି ରାଜନୀତିରେ ଏଣ୍ଟ୍ରି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା । ସେ ପୋଟକା ସିଟରୁ ଭାଗ୍ୟ ପରୀକ୍ଷା କରୁଛନ୍ତି । ଲୋହରଦଗାରେ କଂଗ୍ରେସ ବିଧାୟକ ଦଳ ନେତା ସହ ଅର୍ଥ ମନ୍ତ୍ରୀ ରାମେଶ୍ବର ଓରଣଙ୍କୁ ଟକ୍କର ଦେଉଛନ୍ତି ଏଜେଏସୟୁ ପ୍ରାର୍ଥୀ ନୀରୁ ଶାନ୍ତି ଭଗତ । ଜଗନ୍ନାଥପୁରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ ଗୀତା କୋଡା ନିର୍ବାଚନ ଲଢୁଛନ୍ତି । ଗୀତା କୋଡା ପୂର୍ବରୁ କଂଗ୍ରେସ ସାଂସଦ ଥିଲେ । ତେବେ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ରାଞ୍ଚିରୁ ସିପି ସିଂହ ଲଗାତର ସପ୍ତମ ଥର ଜିତିବା ପାଇଁ ଜାନ୍ ଲଗାଇଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ଜେଏମଏମ ପ୍ରାର୍ଥୀ ମହୁଆ ମାଝୀ।

Comments are closed.