Latest Odisha News

BREAKING NEWS

ଝିରମ ଘାଟି ନକ୍ସଲ ଆକ୍ରମଣ ମାମଲା: NIA କୋର୍ଟ ଦ୍ୱାରା ସମସ୍ତ ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ:ଛତିଶଗଡ଼ର ସବୁଠାରୁ ଭୟଙ୍କର ନକ୍ସଲ ଆକ୍ରମଣ ଘଟଣା ‘ଝିରମ ଘାଟି’ ମାମଲାରେ ସ୍ୱତନ୍ତ୍ର NIA କୋର୍ଟ ନିଜର ରାୟ ଶୁଣାଇଛନ୍ତି। କୋର୍ଟ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଦ୍ୱାରା ଉପସ୍ଥାପିତ ପ୍ରମାଣ, ସାକ୍ଷୀଙ୍କ ବୟାନ ଏବଂ ଉଭୟ ପକ୍ଷର ଦୀର୍ଘ ଓ ତୀବ୍ର ଯୁକ୍ତିତର୍କକୁ ବିଚାରକୁ ନେବା ପରେ ସ୍ୱତନ୍ତ୍ର NIA କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି।

ପାଖାପାଖି ୧୩ ବର୍ଷ ଧରି ଚାଲିଥିବା ଏହି ବିଚାର ପ୍ରକ୍ରିୟା ସମୟରେ ଅଦାଲତରେ ୧୦୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। NIA ଦ୍ୱାରା ଉପସ୍ଥାପିତ ପ୍ରମାଣ ଓ ବୟାନ ଆଧାରରେ ଅଦାଲତ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏହି ନକ୍ସଲ ଆକ୍ରମଣରେ ରାଜ୍ୟ କଂଗ୍ରେସର ଶୀର୍ଷସ୍ଥାନୀୟ ନେତାଙ୍କ ସମେତ ମୋଟ ୨୯ ଜଣ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଗତ ୧୩ ବର୍ଷ ଧରି ସମଗ୍ର ଦେଶ ଓ ପୀଡ଼ିତ ପରିବାରବର୍ଗ ଯେଉଁ ଆଇନଗତ ଲଢ଼େଇ ତଥା ନ୍ୟାୟ ଅପେକ୍ଷାରେ ଥିଲେ, ଶନିବାର କୋର୍ଟ ନିଜର ରାୟ ପ୍ରଦାନ କରିଛନ୍ତି।

ଅଦାଲତ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ, ବର୍ତ୍ତମାନ ସମଗ୍ର ଦେଶର ନଜର ସେମାନଙ୍କ ଦଣ୍ଡାଦେଶ ଉପରେ ରହିଛି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଦଣ୍ଡର ପରିମାଣ ସମ୍ବନ୍ଧୀୟ ଚୂଡ଼ାନ୍ତ ଶୁଣାଣି ସେପ୍ଟେମ୍ବର ୧୬ ତାରିଖରେ ଅନୁଷ୍ଠିତ ହେବ ଏବଂ ଏହା ପରେ ସମସ୍ତ ଦୋଷୀଙ୍କ ପାଇଁ ଦଣ୍ଡାଦେଶ ଘୋଷଣା କରାଯିବ।

ଝିରମ ଘାଟି ହତ୍ୟାକାଣ୍ଡରେ ଦୋଷୀଙ୍କ ନାମ:
-ପ୍ରମିଳା ମୋଦିୟମ୍
-ଚୈତୁ ଲେକାମ ଛଦ୍ମନାମ ମୁନ୍ନା
-ସୁମିତ୍ରା ଛଦ୍ମନାମ ସୁମିତ୍ରା ପୁଣମ୍ ମୋଡିୟମ୍
-ମୁକ୍କା ମାଣ୍ଡାଭି
-କୋସା କାୱାସୀ
-ଆୟତା ମରକାମ
-ମଡକାମି ଦେବ
-ଯୋଗା ମାଡକାମି
-ବନଜାମି ସନ୍ନା
-ମହାଦେବ ନାଗ

ସୂଚନାଥାଉକି, ୨୫ ମେ ୨୦୧୩ରେ ନକ୍ସଲମାନେ କଂଗ୍ରେସ ଦଳର ‘ପରିବର୍ତ୍ତନ ଯାତ୍ରା’ର କାଫିଲା ଉପରେ ଏକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଦ୍ୟା ଚରଣ ଶୁକ୍ଳା, ତତ୍କାଳୀନ ରାଜ୍ୟ କଂଗ୍ରେସ ସଭାପତି ନନ୍ଦକୁମାର ପଟେଲ ଓ ତାଙ୍କ ପୁଅ ଦିନେଶ ପଟେଲ, ବସ୍ତରର ପ୍ରଭାବଶାଳୀ ନେତା ତଥା ‘ସାଲୱା ଜୁଡୁମ୍’ର ପ୍ରଣେତା ମହେନ୍ଦ୍ର କର୍ମା ଏବଂ ପୂର୍ବତନ ବିଧାୟକ ଉଦୟ ମୁଦାଲିୟାରଙ୍କ ସମେତ ଅନେକ ବରିଷ୍ଠ ନେତା, ସୁରକ୍ଷା କର୍ମୀ ଓ ଦଳୀୟ କର୍ମୀ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.