ରାୟଗଡ଼ା: ଜୋର ଧରିଲା ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି । ମାନ୍ୟତା ନମିଳିଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ଲୋକେ । ତେବେ ଏଭଳି ଧମକ ଦେଇଛନ୍ତି ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ବାସକରୁଥିବା ୧ଲକ୍ଷରୁ ଅଧିକ ଝୋଡ଼ିଆ ସମ୍ପ୍ରଦାୟ ଲୋକେ । ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ଏପରିକି ବାରମ୍ବାର ଦିଲ୍ଲୀ ଦରବାରକୁ ଯାଇ ଆଦିବାସୀ ଉନ୍ନୟନ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏପରିକି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଗୁହାରି କରଥିଲେ ମଧ୍ୟ ଆଦିବାସୀ ମାନ୍ୟତା କେବଳ ପ୍ରତିଶୃତି ମଧ୍ୟରେ ରହିଯାଇଥିବା ଅଭିଯୋଗ ଆଣିଛି ଝୋଡ଼ିଆ ସମ୍ପ୍ରଦାୟ । ତେବେ ଆଦିବାସୀ ମାନ୍ୟତା ନମିଳିଲେ ଆଗାମୀ ନିର୍ବାଚନରେ ୮୦ ଅଧିକ ଗାଁର ଝୋଡ଼ିଆ ସମ୍ପ୍ରଦାୟ ଭୋଟ ବର୍ଜନ କରିବେ ବୋଲି କୋଠର ନିଷ୍ପତ୍ତି ନେଇଥିବା କହିଛନ୍ତି ଝୋଡ଼ିଆ ପରଜା ସମାଜ ନେତ୍ରୀ ସୁମନୀ ଝୋଡିଆ
ଏନେଇ ଝୋଡ଼ିଆ ସଭାନେତ୍ରୀ ସୁମନୀ ଝୋଡ଼ିଆଙ୍କ ନେତୃତ୍ୱରେ କାଶିପୁର ବ୍ଲକ ପରଜା ସମାଜ ବାଗିରିଝୋଲା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୮୬ଖଣ୍ଡ ଗାଁର ଗ୍ରାମ ମୁଖ୍ୟାଜାନି, ମୁଦୁଲି, ଗାଉଁଟିଆ, ଧାଙ୍ଗଡ଼ାମାଝି ଓ ଗାଁର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଝୋଡ଼ିଆ ଜାତିକୁ ଆଦିବାସୀ ମାନ୍ୟତା ନମିଳିଲେ ଭୋଟ ବର୍ଜନ କରିବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ଅଖିଳ ଚନ୍ଦ୍ର ଝୋଡ଼ିଆ, ଭବାନୀ ଶଙ୍କର ଝୋଡ଼ିଆ, ନାଥ ଜାନୀ, ଘାସେନ ଝୋଡ଼ିଆ, ସୁରେନ୍ଦ୍ର ଝୋଡ଼ିଆ, ଦୁଧେଶ୍ୱର ଝୋଡ଼ିଆ, ରାଜନ ମୁଦୁଲି ଓ ଶଙ୍କର ପ୍ରସାଦ ମୁଦୁଲିଙ୍କ ସମେତ ବହୁ ଲୋକ ଯୋଗଦେଇଥିଲେ ।
ସୂଚନାଯୋଗ୍ୟ ଯେ, ୧୯୯୨ ମସିହା ପରଠାରୁ ଝୋଡ଼ିଆ ସମ୍ପ୍ରଦାୟଙ୍କ ଆଦିବାସୀ ମାନ୍ୟତା କଟିଯାଇଛି । ୨୦୧୨ ମସିହାରେ ପଞ୍ଚାୟତ ନିର୍ବାଚନ ବେଳେ ଝୋଡ଼ିଆ ସମ୍ପ୍ରଦାୟ ଭୋଟ ବର୍ଜନ କରିଥିଲେ । ଝୋଡ଼ିଆ ସମ୍ପ୍ରଦାୟର ଏହି ବୈଠକ ପରଠୁ ଏହାର ପୁନରାବୃତ୍ତି ଘଟିବାର ସମ୍ଭାବନା ଦେଖାଦେଇଛି । ଆଦିବାସୀ ମାନ୍ୟତା ନମିଳିବା କାରଣରୁ ଝୋଡ଼ିଆ ସମ୍ପ୍ରଦାୟର ନିରୀହ ଗରିବ ଲୋକେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାରୁ ବଞ୍ଚିତ ରହୁଛନ୍ତି । ଯାହାଦ୍ୱାରା ସେମାନଙ୍କ ଜୀବନଜୀବିକା ନିର୍ବାହରେ ସମସ୍ୟା ଉପୁଜୁଛି । ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ କାଶୀପୁର ବ୍ଲକର ଭୋଟ ନିର୍ଣ୍ଣାୟକ ଭୂମିକା ରହିଥିବା ବେଳେ ଆଗାମୀ ନିର୍ବାଚନରେ ଝୋଡ଼ିଆ ସମ୍ପ୍ରଦାୟଙ୍କ ଭୋଟ ବର୍ଜନ ନିଷ୍ପତି ସମସ୍ତ ଦଳ ପାଇଁ ଚିନ୍ତାର କାରଣ ପାଲଟିବାର ଆଶଙ୍କା ରହିଛି ।
ସୂଚନା ଅନୁସାରେ, ୧୯୬୪ ମସିହା ପୂର୍ବରୁ କାଶୀପୁର ବ୍ଳକ କଳାହାଣ୍ଡି ଜିଲ୍ଲାରେ ରହିଥିଲା । ପୁନଃ ସୀମା ନିର୍ଦ୍ଧାରଣ ପରେ କାଶୀପୁର ବ୍ଲକଟି ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ା ଉପଖଣ୍ଡ ଅଧିନକୁ ଆସିଥିଲା । ଏହାପରଠୁ ଝୋଡ଼ିଆ ପରଜା ଆଦିବାସୀ ଭାବେ ପ୍ରମାଣ ପତ୍ର ପାଇ ଆସୁଥିଲେ । ଏହାସହ ଆଦିବାସୀଙ୍କ ପାଇଁ ରହିଥିବା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରି ଆସୁଥିବାବେଳେ ପରବର୍ତ୍ତୀ ସମୟରେ ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତାରୁ ବାଦ ଦିଆଯାଇଥିଲା ବୋଲି କହିଛନ୍ତି ଝୋଡ଼ିଆ ସମାଜର ଅନ୍ୟ ଏକ ନେତା ତଥା ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ।
Comments are closed.