Latest Odisha News

BREAKING NEWS

ଟାଇମସ୍ ପତ୍ରିକାର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ଜିଓ ପ୍ଲାଟଫର୍ମସ୍

ଭୁବନେଶ୍ବର : ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି । ଭାରତରେ ଡିଜିଟାଲ୍ ପରିବର୍ତ୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍‌ର ନାଁ ସାମିଲ ହୋଇଛି । ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ବିଗତ କିଛି ବର୍ଷରେ ଜିଓ ଭାରତରେ ସବୁଠାରୁ ବଡ଼ 4G ନେଟ୍‌ୱର୍କ ପ୍ରସ୍ତୁତ କରିଛି । ଏବଂ ସବୁଠୁ କମ୍ ମୂଲ୍ୟରେ 4G ସେବା ଯୋଗାଉଛି । ୧ ଜିବି ଡାଟାକୁ ରିଲାଏନ୍ସ ଜିଓ ୫ ଟଙ୍କା ଭଳି ସୁଲଭ ମୂଲ୍ୟରେ ପ୍ରଦାନ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି ।

ଟାଇମସ୍ ପତ୍ରିକା ତରଫରୁ କୁହାଯାଇଛି ଯେ, ସାରା ଦୁନିଆର ନିବେଶକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ କଂପାନି ଜିଓ ପ୍ଲାଟଫର୍ମସ୍‌ରେ ନିବେଶ କରିବାକୁ ପ୍ରସ୍ତୁତ ଅଛନ୍ତି । ସେମାନେ ରିଲାଏନ୍ସ ଜିଓର ୪୧ କୋଟି ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରୁଛନ୍ତି । ଗତ ବର୍ଷ ଜିଓ ପାଇଁ ୨୦ ବିଲିଅନ ଡଲାରର ନିବେଶ ରାଶି ଆସିଛି । ଏହା ଜିଓର ଦ୍ରୁତ ଗତିରେ ହେଉଥିବା ବୃଦ୍ଧିର ମୂଲ୍ୟ ଓ କ୍ଷମତାକୁ ପ୍ରତିଫଳିତ କରୁଛି । ଜିଓ ପ୍ଲାଟଫର୍ମସ୍ ତରଫରୁ ଫେସବୁକ୍ ସହ ମିଳିତ ଉଦ୍ୟମରେ ହ୍ୱାଟସ୍‌ଆପ୍ ଆଧାରିତ ଏକ ଇ-କମର୍ସ ପ୍ଲାଟଫର୍ମ ବିକଶିତ କରାଯାଇଛି । ସେହିପରି ସୁଲଭ ମୂଲ୍ୟର 5G ଫୋନ୍ ତିଆରି କରିବା ଲାଗି ଗୁଗୁଲ୍ ସହିତ ମିଶି ରିଲାଏନ୍ସ ଜିଓ କାର୍ଯ୍ୟ କରୁଛି ।

ଭାରତରେ ଡିଜିଟାଲ୍ ପରିବର୍ତ୍ତନ ଆଣିଥିବାରୁ ଜିଓକୁ ଇନୋଭେଟର୍ସ ବର୍ଗରେ ରଖାଯାଇଛି । ଜିଓ ପ୍ଲାଟଫର୍ମସ୍ ହେଉଛି ଭାରତର ଏକମାତ୍ର କଂପାନି ଯାହାକୁ ଇନୋଭେଟର୍ସ ଶ୍ରେଣୀରେ ସ୍ଥାନ ମିଳିଛି । ଏହି ବର୍ଗରେ ନେଟ୍‌ଫ୍ଲିକ୍ସ, ନିଟେଂଣ୍ଡୋ, ମଡର୍ଣ୍ଣା, ଦି ଲୋଗ୍ ଗ୍ରୁପ୍‌, ସ୍ପଟିଫାଇ ଭଳି ଅନେକ ବିଶ୍ୱସ୍ତରୀୟ କଂପାନି ରହିଛନ୍ତି ।

ତାଲିକାରେ ରିଲାଏନ୍ସ ଜିଓ ବ୍ୟତୀତ ଭାରତରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା କଂପାନି ବାଇଜୁସ୍‌ର ନାଁ ମଧ୍ୟ ସାମିଲ ହୋଇଛି । ଏହି ତାଲିକାରେ ସ୍ବାସ୍ଥ୍ୟ ଦେଖାଶୁଣା, ମନୋରଂଜନ, ପରିବହନ, ଉଦ୍ୟୋଗିକ ସମେତ ବିଭିନ୍ନ କ୍ଷେତ୍ରର କଂପାନିଗୁଡ଼ିକୁ ସାମିଲ କରାଯାଇଛି । ପତ୍ରିକା ଅନୁସାରେ ପ୍ରାସଙ୍ଗିକତା, ପ୍ରଭାବ, ନବାଚାର, ନେତୃତ୍ୱ, ମହତ୍ୱକାଂକ୍ଷା ଓ ସଫଳତା ସହିତ ପ୍ରମୁଖ ମାନକର ମୂଲ୍ୟାୟନ ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.