ଝୁରୁଛି ଶଙ୍ଖାରୀ ଗାଁ. . .

ସେ ଥିଲେ ସାହିତ୍ୟର ସ୍ରଷ୍ଟା । ଓଡ଼ିଆ ସାହିତ୍ୟର ମଉଡ଼ମଣି ଆଉ କଥାକାର । ତାଙ୍କର କାଳଜୟୀ ଲେଖା ଏବେ ବି ପ୍ରତିଟି ହୃଦୟ ତନ୍ତ୍ରୀରେ । ଏବେ ସେହି ସ୍ରଷ୍ଟା ବସନ୍ତର ପ୍ରାନ୍ତରେ ପତ୍ରଝଡା ଋତୁଟିଏ ଭଳି ବିଦାୟ ନେଇ ଚାଲିଗଲେ ପୁଣି ଫେରିବାର ପ୍ରତିଶ୍ରୁତି ଦେଇ । ତାଙ୍କର ଲେଖନୀରୁ ନିଃସୃତ ସେହି କିଛି ଧାଡି ବାରମ୍ବାର ସ୍ମୃତିଚାରଣ କରେ । ମୁଁ ପୁଣି ଆସିବି ଫେରି ସମୟର ଶୁଭ୍ର ବାଲୁଚରେ ବାରି ବାରି ପଦ ଚିହ୍ନ …     ତନ୍ଦ୍ରାଲୋକର ପ୍ରହରୀ ସାଜିଥିବା ସାହିତ୍ୟ ଜଗତର ଉଜ୍ଜଳ ତାରକା ଅସ୍ତମିତ । ନିଷ୍ଠୁର ବାସ୍ତବ ସ୍ତବ୍ଧ କରିଦେଇଛି ସମସ୍ତଙ୍କୁ । ଏବେ ତାର ସୁଯୋଗ୍ୟ ସନ୍ତାନକୁ ହରାଇ ଝୁରୁଛି ଜନ୍ମ ଜନ୍ମମାଟି ଶଙ୍ଖାରୀ ଗାଁ । ଏ ହେଉଛି ସେହି ଗାଁ ଯାହାକୁ ବାହାରେ ପରିଚିତ କରାଇଥିଲେ ଏହି ନିରନ୍ତର ସାହିତ୍ୟ ସାଧକ । ଏହି ଗାଁରେ ଦିନେ ଜନ୍ମ ହୋଇଥିଲେ ମନୋଜ ଦାସ । ଶଙ୍ଖାରୀ ହେଉଛି ଏକ ନିପଟ ଗାଁ । ଯାହାର ମାଟି ପାଣି ପବନର ପ୍ରତିଟି ଅଣୁରେ ଭରିଥିଲା ଆତ୍ମୀୟତା । ଗାଁର ପରିବେଶରେ ଛୋଟରୁ ବଡ ହୋଇଥିଲେ । ଗାଁ ମାଟି ଦେଇଥିଲା ଏକ ପରିଚୟ । ସେହି ମାଟିରୁ ଛୋଟରୁ ବଡ ହୋଇ ସେହି ମାଟିରୁ ଶିକ୍ଷାର ପାହାଚରେ ପାଦ ଥାପିଥିଲେ ।

ବଡ ହେବା ପରେ ତାଙ୍କର କର୍ମମୟ ଜୀବନ ଜଞ୍ଜାଳ ଭିତରେ ନିଜକୁ ହଜାଇ ଦେଇଥିଲେ । ଗାଁ ଛାଡି ବାହାରକୁ ଯିବାକୁ ପଡିଥିଲା । ହେଲେ ଗାଁର ସେହି ଭିଜା ମାଟିର ବାସ୍ନା ଆଉ ଗାଁର କିଛି ମିଠା ସ୍ୱୃୁତି ସବୁ ସାଉଁଟି ତାଙ୍କ ଶଦ୍ଦତୁଣୀରରେ ସଜାଇ ଦେଇଥିଲେ ।ତନ୍ଦ୍ରଲୋକର ପ୍ରହରୀରୁ ହେଉ କି ଆକାଶର ଇସାରା । ତା ସହିତ ଧୂମ୍ରାଭ ଦିଗନ୍ତ ଏକ ଭିନ୍ନ ଧର୍ମୀ ଲେଖା ଥିଲା । ସବୁଠୁ ନିଆରା ଆଉ ହୃଦୟ ସ୍ପର୍ଶୀ ଥିଲା ତାଙ୍କ ଲେଖା ‘ସମୁଦ୍ର କୂଳର ଗାଁ’ । ଯେଉଁଠି ଥିଲା ତାଙ୍କ ପିଲା ବେଳର କିଛି ସ୍ମୃତି ଆଉ ଅନୁଭୂତି । ଛୋଟ ବେଳର କିଛି ସ୍ମୃତିକୁ ସଜେଇ ଗାଁକୁ ଚିତ୍ରଣ କରିଥିଲେ । ଯାହାକି ଗାଁ ଗାଟି ପ୍ରତି ଥିବା ତାଙ୍କର ଶ୍ରଦ୍ଧା ଆଉ ଭଲ ପାଇବା ପରିସ୍ଫୁଟିତ ହୋଇଥାଏ ।
ସାହିତ୍ୟ ଦରବାରରେ ନିଜର ସୃଜନଶୀଳତା ପ୍ରତିପାଦନ କରିବା ସହିତ ନିଜ ଭିଟାମାଟିକୁ ଦେଇଥିଲେ ଏକ ସ୍ୱତନ୍ତ୍ର ପରିଚୟ । ଏବେ ବି ଜନ୍ମ ମାଟିରେ ତାଙ୍କର ସବୁ ସ୍ମୃତି ତାଜା ହୋଇ ରହିଛି । ଏବେ ବି ଗାଁ ମାଟି ପବନର ପ୍ରତିଟି ଧୂଳିକଣାରେ ତାଙ୍କର ଆବେଗ । ପବନର ପ୍ରତିଧ୍ୱନିତ ହେଉଛି । ଗୁଞ୍ଜରି ଉଠୁଛି ତାଙ୍କ ଲେଖନୀ ନିସୃତ ସେହି କିଛି ଧାଡି ଲେଖା…‘ମୁଁ ପୁଣି ଆସିବି ଫେରି ସମୟର ଶୁଭ୍ର ବାଲୁଚରେ ବାରି ବାରି ପଦ ଚିହ୍ନ …