Latest Odisha News

BREAKING NEWS

ମାଙ୍ଗାଲୁରୁରେ ମର୍ମନ୍ତୁଦ ଦୁର୍ଘଟଣା: କବି ଅମୀୟ ମହାପାତ୍ରଙ୍କ କନ୍ୟା ମୃତ

କଟକ/ମାଙ୍ଗାଲୁରୁ: ଶନିବାର ଦିନ ମାଙ୍ଗାଲୁରୁ ନିକଟସ୍ଥ ମକ୍‍କାଠାରେ ସଂଘଟିତ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇଜଣ ଏମ.ଆଇ.ଟି. ଛାତ୍ରୀ । ମୃତକଙ୍କ ଭିତରେ ଅଛନ୍ତି ଓଡ଼ିଆ ଝିଅ ଅପର୍ଣ୍ଣା ମହାପାତ୍ର । ଅନ୍ୟ ଆଠ ଜଣ ଆଘାତ ପ୍ରାପ୍ତ ହୋଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।

ଏକ ପ୍ରୋଜେକ୍ଟ କାର୍ଯ୍ୟରେ ମାଙ୍ଗାଲୁରୁ ଆସିଥିଲେ ମଣିପାଲ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ଟେକ୍ନୋଲୋଜିର ୧୦ଜଣ ଛାତ୍ରଛାତ୍ରୀ । କାର୍ଯ୍ୟ ସାରି ଏକ ଏସ୍‍ୟୁଭିରେ ମଣିପାଲ୍‍ ଫେରୁଥିବାବେଳେ ମକ୍‍କା ନିକଟସ୍ଥ ଚେଲୟାର କ୍ରସ୍‍ ପାଖରେ ଗାଡ଼ିଟି ଭାରସାମ୍ୟ ହରାଇ ମିଡ଼ିଆନ୍‍ (ଦୁଇ ରାସ୍ତାର ମଝି ସ୍ଥାନ) ଉପରେ ଚଢ଼ି ଆରପାଖ ରାସ୍ତାକୁ ଚାଲିଯାଇଥିଲା । ଠିକ୍‍ ସେତିକିବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲରି ସହ ଏସୟୁଭିର ମୁହାଁମୁହିଁ ଧକ୍କା ହୋଇଥିଲା । ପୋଲିସ୍‍ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଘଟଣାସ୍ଥଳରେ ଗ୍ଲୋରିଆ (କେରଳ, ୨୪)ଙ୍କ ମୃତ୍ୟୁ ହୋଇଥିଲାବେଳେ ହସ୍‍ପିଟାଲ୍‍କୁ ନେବା ବାଟରେ ଅପର୍ଣ୍ଣା (ଓଡ଼ିଶା, ୨୪)ଙ୍କର ମୃତ୍ୟୁ ହୋଇଥିଲା ।

କନ୍ୟାଙ୍କ ସହ କବି ଅମୀୟ ମହାପାତ୍ର (ଫାଇଲ ଫଟୋ)

ମୃତ ଅପର୍ଣ୍ଣା ଥିଲେ କଟକ ଅଞ୍ଚଳର ଜଣାଶୁଣା କବି, ସଂପାଦକ, ସଂଗଠକ, ଡା. ଅମୀୟ ରଂଜନ ମହାପାତ୍ରଙ୍କର ଏକମାତ୍ର କନ୍ୟା । ଖବର ପାଇ ଅପର୍ଣ୍ଣାଙ୍କ ପରିବାର ଲୋକେ ମାଙ୍ଗାଲୁରୁରେ ପହଂଚିଛନ୍ତି । ଆଜି ସକାଳୁ ଏହି ଖବର ଜଣାପଡ଼ିବା ପରେ ଓଡ଼ିଶାର ସାହିତ୍ୟମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ସାମାଜିକ ଗଣମାଧ୍ୟମରେ ଶତାଧିକ ଲେଖକ କବି ଶ୍ରୀ ମହାପାତ୍ରଙ୍କର ଏହି ଦାରୁଣ ଦୁଃସମୟରେ ସମବେଦନା ଜଣାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.