Latest Odisha News

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା

କବିବର ରାଧାନାଥ ରାୟ ବନାମ
ସେହିସବୁ ଅନାମଧେୟ ପଦ୍ୟ ଲେଖିକା

କେଦାର ମିଶ୍ର

ରାଧାନାଥ ରାୟ ଆଧୁନିକ ଓଡିଆ କବିତାର ଯୁଗ ପ୍ରବର୍ତ୍ତକ, ଏ କଥାରେ କୌଣସି ସନ୍ଦେହ ନାହିଁ। ଓଡିଆ କବିତାର ଭାବ ଓ ଗଢଣରେ ଅନେକ ମୌଳିକ ପରିବର୍ତ୍ତନ ଆଣିବାର ଶ୍ରେୟ ରାଧାନାଥଙ୍କର। ତେବେ କବିତାର ଶୈଳୀ ଓ ଗଠନକଳାରେ ସେ ଯେତିକି ଆଧୁନିକ, ବ୍ୟକ୍ତିଗତ ବିଚାର ତଥା ଆଚରଣରେ ସେତିକି ରକ୍ଷଣଶୀଳ।

ବଙ୍ଗଳା କବି ନଗେନ୍ଦ୍ରବାଳା ସରସ୍ଵତୀଙ୍କ ସହ ତାଙ୍କର ସମ୍ପର୍କ ଓ ସେହି ସମ୍ପର୍କର ମନସ୍ତାପରୁ ଲେଖା ହୋଇଥିବା ତାଙ୍କର ଅତ୍ୟନ୍ତ ଜଘନ୍ୟ କବିତା “ସତୀ ପ୍ରତି ସତୀଦ୍ରୋହୀ ପତିର ଉକ୍ତି” ପ୍ରସଙ୍ଗରେ ବହୁ ଆଲୋଚନା ହୋଇସାରିଛି। ପ୍ରେମ ସମ୍ପର୍କରେ ନିଜକୁ ଅସହାୟ ପୁରୁଷ ଓ ନଗେନ୍ଦ୍ରବାଳାଙ୍କୁ ରାକ୍ଷସୀ-କାମୁକୀ ବୋଲି ପ୍ରମାଣିତ କରିବାର ଅମାନବୀୟ କଳାପକ୍ଷ ବିଷୟରେ କବିତାର ସାଧାରଣ ପାଠକ ବିଶେଷ କିଛି ନ ଜାଣିଲେ ମଧ୍ୟ, ଓଡିଆ ସାହିତ୍ୟର ଆଲୋଚକମାନେ ଏ ପ୍ରସଙ୍ଗ ଜାଣନ୍ତି।

ରାଧାନାଥ ରାୟଙ୍କୁ ବ୍ୟକ୍ତି ଭାବରେ ଆଲୋଚନା ନକରି ତାଙ୍କୁ କ୍ଷମତା ଓ ପ୍ରତିଷ୍ଠାର ପ୍ରତୀକ ଭାବରେ ଆଲୋଚନା କରିବାକୁ ମୁଁ ଚେଷ୍ଟା କରୁଛି। କେଉଁଠି ନା କେଉଁଠି ନାରୀ ପ୍ରତି ଏକ ଅଜଣା ଭୟ ଓ ବିଦ୍ଵେଷ ରାଧାନାଥଙ୍କ କବିତାରେ ସର୍ବତ୍ର ବିଦ୍ୟମାନ। ଅନେକ ସମୟରେ ନିଜର ନୈତିକ ଛାଟ ଧରି ସେ ତାଙ୍କର ନାୟିକାମାନଙ୍କୁ ଆୟତ୍ତ କରିବାର ଚେଷ୍ଟା କରିଛନ୍ତି। ତାଙ୍କ ସମୟର ଆଧୁନିକତାରେ ଲିଙ୍ଗଗତ ସାମ୍ୟ ଓ ନାରୀ ସ୍ଵାଧୀନତାର ପ୍ରବଳ ପ୍ରଭାବ ରହିଥିବା ବେଳେ ରାଧାନାଥ ସେ ପ୍ରସଙ୍ଗରେ ବିପରୀତ ବିଚାର ପୋଷଣ କରିଛନ୍ତି। ତାଙ୍କ ସମୟରେ ଲେଖାଲେଖି କରୁଥିବା କେତେଜଣ ଲେଖିକାଙ୍କ ପ୍ରତି ଅତ୍ୟନ୍ତ ନିର୍ଦ୍ଦୟ ଓ ହେୟ ମନୋଭାବ ପୋଷଣ କରି ସେତେବେଳର ଏକ ସାହିତ୍ୟ ପତ୍ରିକା “ଗୁଣ ଦର୍ପଣ”କୁ ଏକ ଚିଠି ଲେଖିଥିଲେ। ସେ ଚିଠି ହିଁ ଆଜିର ଆଲୋଚ୍ୟ ପ୍ରସଙ୍ଗ।

ରାଧାନାଥ ଗ୍ରନ୍ଥାବଳୀ (କଟକ ଟ୍ରେଡିଂ କମ୍ପାନୀ ପ୍ରକାଶିତ, ପରିବର୍ଦ୍ଧିତ ୧୩ଶ ସଂସ୍କରଣ,୧୯୬୨)ର ଶେଷ ପୃଷ୍ଠାରେ କବିବରଙ୍କର “ଖଣ୍ଡିଏ ପତ୍ର” ରହିଛି। ଏ ପତ୍ରଟିରୁ ରାଧାନାଥଙ୍କର ଦୁଇଟି ବଡ ସାହିତ୍ୟିକ ବିଚାରକୁ ବୁଝିହୁଏ। ପ୍ରଥମତଃ ସେ ଉପେନ୍ଦ୍ର ଭଞ୍ଜଙ୍କୁ କାଳିଦାସଙ୍କ ସହ ସମକକ୍ଷ କବି ଭାବରେ ମାନିବାକୁ ନାରାଜ ଓ ଦ୍ଵିତୀୟରେ ତାଙ୍କ ସମସାମୟିକ ଲେଖିକାମାନଙ୍କୁ ସେ କବି ଭାବରେ ସ୍ଵୀକୃତି ଦେବାକୁ ଆଦୌ ଚାହାନ୍ତି ନାହିଁ।

ରାଧାନାଥଙ୍କ ନିଜ ଭାଷାରେ- “ନବ୍ୟ ଉତ୍କଳୀୟ ସାହିତ୍ୟ କ୍ଷେତ୍ରରେ ୩/୪ ଜଣ ପଦ୍ୟ ଲେଖିକାଙ୍କର ଆବିର୍ଭାବ ଅବଶ୍ୟ ଶୁଭ ଲକ୍ଷଣ ବୋଲିବାକୁ ହେବ। ଏ ଲେଖିକାମାନେ ସର୍ବଦା ଉତ୍ସହାର୍ହ। ମାତ୍ର ଯେଉଁମାନେ ପଦ୍ୟ ଓ କବିତା ଏକ ପଦାର୍ଥ ବୋଲି ଭାବନ୍ତି,ସେମାନେ ଏହି ଲେଖିକାମାନଙ୍କୁ କବି ଆଖ୍ୟାରେ ଭୂଷିତ କରି ଏମାନଙ୍କର ପ୍ରଭୂତ ଅନିଷ୍ଟ ସାଧନ କରୁ ଅଛନ୍ତି। ଏହି ଲେଖିକାମାନଙ୍କ ଲେଖାରେ ମୁଁ ଏକ ସମୟରେ ଆଶାତୀତ ଉତ୍କର୍ଷ ଦେଖି ପ୍ରୀତ ହୋଇଅଛି। ମାତ୍ର ଏହା ବୋଲି ମୁଁ ଏମାନଙ୍କୁ କବି ଆଖ୍ୟା ଦେବାକୁ ସାହସୀ ହେବିନାହିଁ।” ବଡ ବିରୋଧାଭାଷୀ ଯୁକ୍ତି। ଗୋଟେ ପକ୍ଷରେ ମହାକବି ସ୍ଵୀକାର କରୁଛନ୍ତି ଯେ ସେମାନଙ୍କ ଲେଖାରେ ଆଶାତୀତ ଉତ୍କର୍ଷ ରହିଛି, ଅପର ପକ୍ଷରେ ସେମାନେ ପଦ୍ୟ ଲେଖିକା ମାତ୍ର, କବି ନୁହନ୍ତି। ଆମେ ଏହାକୁ ପ୍ରତ୍ୟାଖ୍ୟାନ ରାଜନୀତି ଓ ସାହିତ୍ୟରେ ବଡକବିମାନଙ୍କର କ୍ଷମତା ଅହଂକାର ବୋଲି କହିପାରିବା କି?

ରାଧାନାଥ ବଡ ବ୍ୟଥିତ ହୋଇଛନ୍ତି ଯେତେବେଳେ ସେତେବେଳର ମାଡ୍ରାସରୁ ପ୍ରକାଶ ପାଉଥିବା ଏକ ଇଂରାଜୀ ପତ୍ରିକାରେ ଜଣେ ଓଡିଆ ନାରୀ କବିଙ୍କ କବିତାର ସୁଦୀର୍ଘ ଆଲୋଚନା ପ୍ରକାଶିତ ହୋଇଛି। ଏହାକୁ କଟାକ୍ଷ କରି ସେ ଲେଖିଛନ୍ତି- “ଥରେ ମୁଁ ମାନ୍ଦ୍ରାଜର ଖଣ୍ଡିଏ ଇଂରାଜୀ ସମ୍ବାଦପତ୍ରରେ ଗଞ୍ଜାମର କୌଣସି ଉତ୍କଳୀୟ ନାରୀକବିଙ୍କର ପ୍ରଶଂସଗର୍ଭକ ଗୋଟିଏ ଦୀର୍ଘ ପ୍ରବନ୍ଧ ପଢିଥିଲି। ପ୍ରବନ୍ଧ ପାଠ ଦ୍ଵାରା ମୁଁ କେବଳ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲି ଯେ ଲେଖକ ତାହାଙ୍କର ଇଂରାଜୀ ଭାଷା ବିଜ୍ଞତା ସତ୍ତ୍ୱେ ପଦ୍ୟ ଏବଂ କବିତାର ପ୍ରଭେଦ ବୁଝିବାକୁ ସଂପୂର୍ଣ୍ଣ ଅକ୍ଷମ। ମାନ୍ଦ୍ରାଜରୁ ପୁଣି ଇଂରାଜୀ ପତ୍ରରେ ପ୍ରଶଂସା ବାହାରିବ, ସହଜ କଥା ନୁହେଁ ସତ୍ୟ, ମାତ୍ର କବିତାର ବଜାରରେ ଏଭଳି ପ୍ରଶଂସାର ଏକ କପର୍ଦ୍ଦକ ମୂଲ୍ୟ ନାହିଁ। ଏଭଳି ପ୍ରଶଂସା ଦ୍ଵାରା ବାଲିଗରଡା କଦାଚ ମଣି ହୋଇ ପାରିବ ନାହିଁ। ” ସମଗ୍ର ଚିଠିରେ କେହିଜଣେ ନାରୀ କବିଙ୍କୁ ପ୍ରବଳ ଆକ୍ଷେପ କରାଯାଇଛି ଓ ତାଙ୍କ ନାମକୁ ଊହ୍ୟ ରଖାଯାଇଛି।

ସମକାଳର ସବୁ ନାରୀ ଲେଖିକା ପଦ୍ୟ ଲେଖିକା ମାତ୍ର ଓ ସବୁ ଉତ୍କର୍ଷ ସତ୍ତ୍ୱେ ସେମାନେ କେହି କବି ନୁହନ୍ତି ବୋଲି କହିବାର ଏ ସାମନ୍ତବାଦୀ ବିଚାର ବଡ ଅଦ୍ଭୁତ। ସତକୁ ସତ ରାଧାନାଥଙ୍କ ସମସାମୟିକ ଜଣେ ବି ନାରୀ କବି ଆମର ମୁଖ୍ୟଧାରାର ଇତିହାସରେ ଜାଗା ପାଇଲେ ନାହିଁ। ଏଠି ପ୍ରଶ୍ନ ଉଠୁଛି ସେମାନେ ସମସ୍ତେ କେବଳ ପଦ୍ୟ ଲେଖିକା ଥିଲେ ନା ତାଙ୍କ ଭିତରୁ କେହି କେହି କବି ମଧ୍ୟ ଥିଲେ। ମହାକବି ରାଧାନାତାଙ୍କ ପ୍ରଭାମଣ୍ଡଳ ଆଗରେ ଫିକା ପଡି ଯାଇଥିବା ସେ ଅନାମଧେୟ ଲେଖିକାମାନଙ୍କୁ ଖୋଜିବା ଆଜି ଆମର ଗୁରୁ ଦାୟିତ୍ଵ ହେବା ଉଚିତ। ଯେଉଁ ଗଞ୍ଜାମ ଅଞ୍ଚଳର ନାରେ କବିଙ୍କର କବିତା ଉପରେ ମାନ୍ଦ୍ରାଜର ଇଂରାଜୀ ଖବର କାଗଜ ଦୀର୍ଘ ପ୍ରବନ୍ଧ ଲେଖିଥିଲା, ସେ କବି କିଏ? ତାଙ୍କୁ ଖୋଜି ବାହାର କରିବା ଆଜି ନିହାତି ଜରୁରୀ।

ଯେଉଁମାନଙ୍କୁ ବାଲିଗରଡା କହି ରାଧାନାଥ ଆମକୁ ପ୍ରତ୍ୟାଖ୍ୟାନ କରିବାର ପରାମର୍ଶ ଦେଇଥିଲେ, ସେମାନଙ୍କ ଭିତରେ ହୁଏତ ସତରେ କେହି କେହି ମଣି ଥିଲେ, ଯେଉଁମାନଙ୍କ ପ୍ରତି ଇତିହାସ ଅନ୍ୟାୟ କରିଥାଇପାରେ!

Leave A Reply

Your email address will not be published.