Latest Odisha News

ଏହି ସବୁ ଜିଲ୍ଲାରେ କିଛି ଘଣ୍ଟା ପାଇଁ ବର୍ଷିବ କାଳବୈଶାଖୀ…ଆଲର୍ଟ ଜାରି

ଭୁବନେଶ୍ବର: ରାଜ୍ୟରେ ଏବେ କାଳବୈଶାଖୀ ନେଇ ଆଲର୍ଟ ଜାରି ହୋଇଛି । ଆସନ୍ତା ୨ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏହାରି ଭିତରେ ଆଜି ପାଇଁ ୭ ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଛି । ଆଗାମୀ କେଇ ଘଣ୍ଟା ପାଇଁ ରାଜ୍ୟର ଏହି ଜିଲ୍ଲାମାନଙ୍କରେ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି । କିଛି ଘଣ୍ଟା ଭିତରେ ୭ ଜିଲ୍ଲା, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ, ନୂଆପଡ଼ା, ବରଗଡ, ଦେବଗଡ଼, ନବରଙ୍ଗପୁରରେ କାଳବୈଶାଖୀ ସମ୍ଭାବନା ରହିଛି । କୁଆପଥର ବର୍ଷା ସାଙ୍ଗକୁ ଘଡଘଡି ଏବଂ ୩୦ରୁ ୪୦ ବେଗରେ ପବନ ବହିବା ସମ୍ବାବନା ରହିଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଉ ୨ ଦିନ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ । କାଳବୈଶାଖୀ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପାରଦ ତଳମୁହାଁ ହୋଇଛି । ବାରିପଦା ସମେତ ଅନେକ ଅଞ୍ଚଳରେ କୁଆପଥର ଛେଚା ବର୍ଷା ହୋଇଥିବା ବେଳେ ସେଠିକା ଲୋକଙ୍କୁ ଟିକିଏ ତାତିରୁ ଆଶ୍ବସ୍ତି ମିଳିଛି । ଅନ୍ୟପଟେ କିନ୍ତୁ ଏବେବି ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତକାଲି ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଛୁଇଁଥିବାବେଳେ ରାଜଧାନୀ ଭୁବନେଶ୍ବର ପାରଦ ୩୫ ଟପିଥିଲା । ଆଜି ସକାଳୁ ସକାଳୁ ମଧ୍ୟ ଭୁବନେଶ୍ବର ଏବଂ କଟକରେ ଭୀଷଣ ତାତି ଅନୁଭୂତ ହୋଇଛି ।

ଆସନ୍ତା ୫ ତାରିଖ ଯାଏଁ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି। ୨ରୁ ୩ ତାରିଖ ସକାଳ ଯାଏଁ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାକୁ ଝଡ଼ ଓ କୁଆପଥର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ଏହି ସମୟରେ ପବନର ବେଗ ୫୦-୬୦ କିମି ରହିବ। ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଜିଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ଏହି ସମୟରେ ପବନର ବେଗ ୩୦-୪୦ କିମି ରହିବ।

Comments are closed.