Latest Odisha News

BREAKING NEWS

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀ ଦେଲେ କାଳିଆ ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି । ଚାଷୀ ମାନଙ୍କୁ ଏହି ଟଙ୍କାକୁ ଚାଷ କାମରେ ଲଗାଇ କୃଷିରେ ଉନ୍ନତି ଆଣିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଝାରସୁଗୁଡ଼ାରେ ବ୍ରଜରାଜନଗର ଉପନିର୍ବାଚନ ଥିବାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ସେଥିପାଇଁ ଝାରସୁଗୁଡ଼ା କୁ ଏହି ଅନୁଦାନରୁ ବଂଚିତ କରାଯାଇଛି । ନିର୍ବାଚନ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲା ଚାଷୀ ମାନଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀ ଆମ ଅର୍ଥନୀତିର ମୁଖ୍ୟ ଆଧାର । ଆମର କୃଷକମାନେ କେବଳ ଓଡିଶା ନୁହେଁ, ସାରା ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୃଷି ବିକାଶ ଓ କୃଷକ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ବର୍ଷ କୃଷି ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ରଖାଯାଇଛି।

ଏହି ଅବସରରେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପଣସ ମିଶନ ଓ ରିୱାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ମିଲେଟ୍‌ ମିଶନ ଓ ସମନ୍ୱିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ପ୍ରସାର ମଧ୍ୟ କରାଯାଉଛି ।

ସୂଚନାଯୋଗ୍ୟ ଯେ ପଣସ ମିଶନରେ ୯ଟି ଜିଲ୍ଲାର ପଣସ ଚାଷୀଙ୍କ ପାଇଁ ୯୭ କୋଟି ଟଙ୍କାର ପ୍ରୋତ୍ସାହନ ରଖାଯାଇଥିବା ବେଳେ, ରିୱାର୍ଡ ଯୋଜନାରେ ବୈଜ୍ଞାନିକ ପ୍ରଣାଳୀରେ ଜଳବିଭାଜିକା କାର୍ଯ୍ୟକ୍ରମ ଜରିଆରେ ଚାଷ ଜମିର ଉତ୍ପାଦକତା ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ସେହିପରି ଓଡିଶା ମିଲେଟ୍‌ ମିଶନରେ ୧୯ଟି ଜିଲ୍ଲାର ୧୮୨ଟି ବ୍ଲକ୍‌ର ଚାଷୀମାନଙ୍କ ପାଇଁ ୨୮୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସମନ୍ୱିତ କୃଷିର ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାର ୧.୮ ଲକ୍ଷ କୃଷକ ପରିବାରକୁ ସାମିଲ କରିବା ପାଇଁ ୨୩୯ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ଏହି ୪ଟି ଯୋଜନା ପାଇଁ ୩୬୪୪ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ। କୃଷିକୁ ଏକ ଲାଭଜନକ ବୃତ୍ତି ଭାବରେ ବିକଶିତ କରବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇ ମାନଙ୍କ ପାଇଁ ନୂଆ ‘କୃଷକ ଓଡିଶା’ ପୋର୍ଟାଲ ଲୋକାର୍ପିତ କରିଥିଲେ । ଏଥିରେ ଚାଷୀମାନେ ସାମିଲ ହୋଇ ସେମାନଙ୍କ ତଥ୍ୟ ଅପ୍‌ଡେଟ କଲେ ଆବଶ୍ୟକ ସେବା ଓ ପରାମର୍ଶ ପାଇପାରିବେ । ଏହାସହିତ କୃଷକ ଓ କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ‘ଗୋ-ସୁଗମ’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହା କୃଷକ ମାନଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିନଡୋ ପ୍ଲାଟଫର୍ମ।

ଏହାସହିତ କୃଷି ଓ ଆନୁସଂଗିକ କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବାସ୍ତବମୁଖୀ ନୀତି ନିର୍ଦ୍ଧାରଣ ପାଇଁ “ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ” ଓ ରାଜ୍ୟ କୃଷି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । କୃଷକ ମାନଙ୍କ ସଶକ୍ତିକରଣ ପାଇଁ କୃଷକ ଉତ୍ପାଦକ ସଂଗଠନର ଏକ ମାର୍ଗଦର୍ଶିକା ମଧ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ ।

କୃଷି ମନ୍ତ୍ରୀ ଅରୁଣ ସାହୁ କହିଲେ ଯେ ଅନେକ ପ୍ରାକୃତିକ ବିପର୍ୟ୍ୟୟ ର ସମ୍ମୁଖୀନ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ୱ ପାଇଁ ଓଡ଼ିଶା ଆଜି କୃଷି କ୍ଷେତ୍ରରେ ଅଗ୍ରଣୀ ହୋଇ ପାରିଛି। କୃଷି କ୍ଷେତ୍ର ରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଚାଷୀ ନିର୍ମଳ ନାୟକ, ବାଲେଶ୍ୱରର ବଇଦ ନାୟକ ଓ ସୁନ୍ଦରଗଡ ଜିଲ୍ଲାର ଚାଷୀ ମେନକା ଭୋଇ ପ୍ରମୁଖ କାଳିଆ ଯୋଜନା ଯୋଗୁ ସେମାନଙ୍କ ଚାଷ କାମରେ କିପରି ଉନ୍ନତି ଆସିଛି, ସେ ବିଷୟରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । କାଳିଆ ସହାୟତା ପାଇଁ ସେମାନେ ସାର, ବିହନ ଆଦି ସହଜରେ କିଣି ଚାଷ କରିପାରୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ପ୍ରକାଶ କରିଥଲେ।

Leave A Reply

Your email address will not be published.