Latest Odisha News

BREAKING NEWS

ଅଧିକ ଚିକେନ୍‌ ଖାଇବାରୁ ସାଙ୍ଗକୁ ଛୁରୀ ଭୁସି ହତ୍ୟା କଲା ସାଙ୍ଗ

କର୍ଣ୍ଣାଟକ: ବେଲାଗାବୀ ଜିଲ୍ଲାରୁ ଏକ ଅଭାବନୀୟ ଓ ନୃଶଂସ ଘଟଣା ସାମ୍ନାକୁ ଆସିଛି। ପାର୍ଟି ବା ସାଙ୍ଗସାଥୀ ଙ୍କ ସହ ଭୋଜି ଚାଲିଥିବା ସମୟରେ ଅଧିକ ଚିକେନ୍ ଖାଇବାକୁ ନେଇ ସୃଷ୍ଟି ହୋଇ ଥିଲା ଝଗଡ଼ା। ସାମାନ୍ୟ ବଚସାରୁ ଜଣେ ଯୁବକ ନିଜ ସାଙ୍ଗକୁ ଛୁରୀ ଭୁସି ହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ, ମୃତ ଯୁବକଙ୍କ ନାମ ସୀତାରାମ ଚନ୍ଦ୍ରଦେବ ଏବଂ ଅଭିଯୁକ୍ତଙ୍କ ନାମ ଅରୁଣ କୁମାର। ଉଭୟ ଉତ୍ତର ପ୍ରଦେଶର ପୀଲୀଭିତ୍ ଜିଲ୍ଲାର ବାସିନ୍ଦା ଏବଂ ବେଲାଗାବୀର ହୁନାଶ୍ୟାଲ ପିଜି ଗାଁରେ ଥିବା ଏକ ଇସ୍ପାତ କାରଖାନାରେ ୱେଲ୍ଡିଂ କାମ କରୁଥିଲେ। ରବିବାର ଛୁଟିଦିନ ଥିବାରୁ ୪ ରୁ ୫ ଜଣ ଶ୍ରମିକ ସାଙ୍ଗ ହୋଇ ରହୁଥିବା ଶେଡ୍‌ରେ ମଦ ଓ ଚିକେନ୍ ପାର୍ଟିର ଆୟୋଜନ କରିଥିଲେ।

ଖାଇବା ସମୟରେ ଅରୁଣ, ସୀତାରାମଙ୍କୁ ଅଧିକ ଚିକେନ୍‌ ଖାଉଥିବା ନେଇ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ନିଶାସକ୍ତ ଅବସ୍ଥାରେ ଉତ୍ତ୍ୟକ୍ତ ହୋଇ ଅରୁଣ ପାଖରେ ଥିବା ଏକ ଧାରୁଆ ଛୁରୀରେ ସୀତାରାମଙ୍କ ଛାତିକୁ ଭୁସି ଦେଇଥିଲେ। ପ୍ରଚୁର ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ସୀତାରାମଙ୍କ ମୃତ୍ୟୁ ଘଟିଥିଲା।

ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଅରୁଣ ସୀତାରାମଙ୍କୁ ଡାକ୍ତରଖାନା ନେଇ କାମ କଲାବେଳେ ଉପରୁ ଖସିପଡ଼ିଥିବା ମିଛ କାହାଣୀ କହିଥିଲେ। ମାତ୍ର ଛାତିରେ ଗଭୀର କ୍ଷତ ଚିହ୍ନ ଦେଖି ପୋଲିସର ସନ୍ଦେହ ହୋଇଥିଲା। ଘଟଣାର ଗହନ ତଦନ୍ତ ପରେ ଘଟାପ୍ରଭା ପୋଲିସ ମାମଲାର ପର୍ଦ୍ଦାଫାଶ କରି ଅଭିଯୁକ୍ତ ଅରୁଣ କୁମାରଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି।

Comments are closed.