Latest Odisha News

BREAKING NEWS

କର୍ଣ୍ଣାଟକରେ ବିଜେପିକୁ ଭାଙ୍ଗୁଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବଡ଼ ପରାଜୟ ପରେ ବିଜେପି ଏବେ ଆଗାମୀ ଲୋକସଭା ନିର୍ବାଚନ ଉପରେ ଫୋକସ କରୁଛି। କର୍ଣ୍ଣାଟକର ୨୮ ଟି ଲୋକସଭା ସିଟ ମଧ୍ୟରୁ ବିଜେପି ୨୫ ଟି ସିଟ ଏକାକୀ ଜିତିଥିଲା।

ତେଣୁ ଏଥର ବିଧାନସଭା ନିର୍ବାଚନ ଝଟକା ପରେ ମଧ୍ୟ ଦଳ କିଭଳି ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେଥିପାଇଁ ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି। ଦଳର ସଂଗଠନ ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ କର୍ଣ୍ଣାଟକ ବିଜେପିର ନିର୍ବାଚିତ ପ୍ରତିନିଧି ଓ ବରିଷ୍ଠ ନେତାଙ୍କ ସହ ବୈଠକ କରିଛନ୍ତି।

ବିଧାନସଭା ନିର୍ବାଚନ ବେଳେ ମଧ୍ୟ ବି ଏଲ ସନ୍ତୋଷ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ତେଣୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସେ କର୍ଣ୍ଣାଟକକୁ ଗୁରୁତ୍ୱ ଦେଉଛନ୍ତି।

କିନ୍ତୁ ସନ୍ତୋଷଙ୍କ ବୈଠକରେ ଦଳୀୟ ନେତାଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡିଛି। ତାଙ୍କ ବୈଠକରେ କର୍ଣ୍ଣାଟକ ବିଜେପିର କିଛି ପ୍ରମୁଖ ନେତା ଯୋଗ ନ ଦେବାକୁ ନେଇ ଚର୍ଚ୍ଚା ବଢିଛି।

ବିଧାନସଭା ନିର୍ବାଚନରେ ବିଫଳତା ପରେ କର୍ଣ୍ଣାଟକରେ ଦଳୀୟ ନେତାଙ୍କ ମଧ୍ୟରେ ଲଢେଇ ଚରମ ସୀମାରେ ପହଂଚିଛି। ଏପରିକି ଦଳର ନିର୍ବାଚିତ ପ୍ରତିନିଧି ଓ ବରିଷ୍ଠ ନେତାମାନେ ନିଜ ନିଜ ଭିତରେ ଖୋଲା ମଞ୍ଚରେ ବିଷ ଓଗାଳୁଛନ୍ତି।

ଯାହାକୁ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ପର୍ଯ୍ୟନ୍ତ କଥା ଯାଇଥିଲେ ମଧ୍ୟ କିଛି ସମାଧାନ ହୋଇପାରିନାହିଁ। ବରଂ ଏହା ବ୍ୟାପକ ହେବାରେ ଲାଗିଛି। ଯାହାକି ସନ୍ତୋଷଙ୍କ ବୈଠକରୁ ସ୍ପଷ୍ଟ ବାରି ହୋଇ ପଡିଛି।

ଆଗାମୀ ଲୋକସଭା ପାଇଁ ବି ଏଲ ସନ୍ତୋଷ ବେଙ୍ଗାଲୁରୁର ମାଲେଶ୍ୱରମ କାର୍ଯ୍ୟାଳୟରେ ବୈଠକ କରିଥିବା ବେଳେ ତିନି ଜଣ ବରିଷ୍ଠ ନେତାଙ୍କ ଦେଖା ମିଳି ନ ଥିଲା। ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ବୈଠକ କରିଥିଲେ ସନ୍ତୋଷ। କିନ୍ତୁ ବୈଠକରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୋମାଶେଖର, ହେବ୍ବାର ଓ ସାଂସଦ ରେଣୁକାଚାର୍ଯ୍ୟଙ୍କୁ ଦେଖିବାକୁ ମିଳି ନ ଥିଲା।

କେବଳ ବୈଠକରେ ଯୋଗ ନ ଦେବା ପ୍ରସଙ୍ଗ ନୁହେଁ ବିଜେପି ବିଧାୟକ ଏସଟି ସୋମାସେଖର କଂଗ୍ରେସ ସରକାରର ଗୃହଲକ୍ଷ୍ମୀ ଯୋଜନାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୟସବନ୍ତପୁର ନିର୍ବାଚନମଣ୍ଡଳୀରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେତେବେଳେ କି ବିଜେପିର ଅନ୍ୟ ବିଧାୟକ ମାନେ ଏହି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ।

୨୦୧୯ ରେ କଂଗ୍ରେସ ଛାଡି ବିଜେପିକୁ ଯାଇଥିବା ସୋମାସେଖର ଏବେ ବିଜେପିର ବରିଷ୍ଠ ବିଧାୟକ ଅଛନ୍ତି। କିନ୍ତୁ ଦଳ ହାରିଯିବା ପରେ ଏବେ ସେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେହିପରି ପୂର୍ବତନ ମନ୍ତ୍ରୀ ତଥ୍ୟ ସାଂସଦ ରେଣୁକାଚାର୍ଯ୍ୟ ବିଜେପିର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। କିନ୍ତୁ ତାଙ୍କୁ ଦିଆଯାଇଥିବା ନୋଟିସ ପ୍ରତ୍ୟାହାର କରା ନ ଯିବା ଯାଏ ସେ କୌଣସି ଦଳୀୟ ବୈଠକରେ ଯୋଗ ଦେବେନି ବୋଲି କହିଛନ୍ତି।

ଏପରିକି ବି ଏସ ୟେଦୁରପ୍ପାଙ୍କୁ ଦଳ କୋଣଠେସା କରି ରଖିଛି ଓ ପାରିବାର ନେତାଙ୍କୁ ଦଳରେ ବଢିବାକୁ ଦିଆଯାଉନାହିଁ। ତେଣୁ ଯାହାକୁ ନେଇ ଅସନ୍ତୋଷ ବ୍ୟାପକ ହେଉଥିବା ସାଂସଦ ରେଣୁକାଚର୍ଯ୍ୟ କହିଛନ୍ତି।

ସେପଟେ ଲୋକସଭା ନିର୍ବାଚନ ପାଇଁ କରାଯାଇଥିବା ଏହି ବୈଠକ ପରେ କୌଣସି କାରଣ ନ ଦର୍ଶାଇ କିଛି ନେତା ଉପସ୍ଥିତ ରହି ନ ଥିଲେ ବୋଲି ବିଜେପି ମୁଖପାତ୍ର ଏମଜି ମହେଶ କହିଛନ୍ତି। ଏପରିକି ବୈଠକରେ ବିଜେପି ନେତାଙ୍କୁ କଂଗ୍ରେସ ନେବାକୁ ଉଦ୍ୟମ କରୁଥିବା ବିଷୟରେ ଚର୍ଚ୍ଚା ହୋଇଥିବା ସେ କହିଛନ୍ତି। ଦଳକୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

ସେପଟେ ବୈଠକରେ ବି ଏଲ ସନ୍ତୋଷ ମଧ୍ୟ କଂଗ୍ରେସକୁ କଡା ଜବାଵ ଦେବାକୁ ବିଜେପି ପ୍ରସ୍ତୁତ ବୋଲି କହିଛନ୍ତି। କଂଗ୍ରେସର ୪୦ ରୁ ୪୫ ବିଧାୟକ ତାଙ୍କ ସହ ଯୋଗାଯୋଗରେ ଥିବାବେଳେ ଯଦି କିଛି ଦଳୀୟ ବିଧାୟକ କଂଗ୍ରେସ ଯାଆନ୍ତି ତାହେଲେ ବିଜେପି ମଧ୍ୟ କଂଗ୍ରେସ ନେତାଙ୍କୁ ଦଳକୁ ଆଣିବାକୁ ସମର୍ଥ ବୋଲି କୁହାଯାଉଛି।

କିଛି ଦିନ ପୂର୍ବେ ବିଜେପିର ବରିଷ୍ଠ ବିଧାୟକ ବାସନାଗଉଡା ପାଟିଲ ୟାଟନାଲ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର ଭାଙ୍ଗିଯିବ ବୋଲି କହିଥିଲେ। କଂଗ୍ରେସର ବହୁ ବିଧାୟକ ଅସନ୍ତୁଷ୍ଟ ଥିବା ବେଳେ ସେମାନେ ଦଳ ଛାଡିଲେ କଂଗ୍ରେସ ସରକାର ଭାଙ୍ଗି ବିଜେପି ସରକାର ହେବ ବୋଲି ସେ କହିଥିଲେ।

କିନ୍ତୁ ଏବେ ଓଲଟା ବିଜେପିର ବିଧାୟକଙ୍କୁ କଂଗ୍ରେସ କ୍ୟାମ୍ପରେ ଦେଖିବାକୁ ମିଳୁଛି। ଯାହାକି ବିଜେପି ପାଇଁ ଲୋକସଭା ନିର୍ବାଚନ ପୁର୍ବରୁ ଏକ ବଡ଼ ଚିନ୍ତାର ବିଷୟ ହୋଇଛି।

Leave A Reply

Your email address will not be published.