Latest Odisha News

BREAKING NEWS

ଖେଳ ଖେଳିଲେ କେଜରିୱାଲ !

ଭୁବନେଶ୍ୱର: ପାଟନାରେ ବିରୋଧୀ ଏକତା ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ଼ ରାଜନୈତିକ ଗୋଟି ଚଳାଇଛନ୍ତି। ବିରୋଧୀ ଏକତା ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ପାଇଁ ଅଣାଯାଇଥିବା ଅଧ୍ୟାଦେଶ ପ୍ରସଙ୍ଗରେ ସବୁ ବିରୋଧୀଙ୍କୁ ଚିଠି ଲେଖିଛନ୍ତି କେଜରିୱାଲ।

ଅଧ୍ୟାଦେଶ ବିରୋଧରେ ବହୁ ବିରୋଧୀ ଦଳ ନେତାଙ୍କ ଭେଟି ସେ ଆଲୋଚନା କରିଥିବା ବେଳେ ବିରୋଧୀ ଏକତା ବୈଠକ ପୂର୍ବରୁ ଏହି ମୌକାକୁ ହାତଛଡା କରିବାକୁ ଚାହୁଁ ନାହାଁନ୍ତି କେଜରିୱାଲ। ତେଣୁ ୨୩ ତାରିଖ ବୈଠକ ପୂର୍ବରୁ ସବୁ ବିରୋଧୀ ଦଳକୁ ଚିଠି ଲେଖି ଅଧ୍ୟାଦେଶ ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।

ବିରୋଧୀ ଦଳର ବୈଠକରେ ଦିଲ୍ଲୀ ଅଧ୍ୟାଦେଶକୁ ସଂସଦରେ ହରାଇବା ପାଇଁ ସର୍ବପ୍ରଥମେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଏହି ଅଧ୍ୟାଦେଶ କେନ୍ଦ୍ରର ବିଜେପି ସରକାରର ଏକ ପ୍ରୟୋଗ।

ଯଦି ଏଥିରେ ବିଜେପି ସଫଳ ହୋଇଗଲା ତେବେ ଦଳ ଅଣବିଜେପି ଶାସିତ ରାଜ୍ୟଗୁଡିକ ପାଇଁ ଏଭଳି ଅଧ୍ୟାଦେଶ ଆଣିବା ସହ କନକରେଣ୍ଟ ଲିଷ୍ଟରେ ଥିବା ବିଷୟ ଗୁଡିକରୁ ରାଜ୍ୟ ସରକାରଙ୍କ ଅଧିକାର ଛଡାଇନେବେ ବୋଲି କେଜରିୱାଲ କହିଛନ୍ତି। ଯାହାକୁ ନେଇ ରାଜନୀତି ଚଳଚଞ୍ଚଳ ହୋଇଛି।

ଦିଲ୍ଲୀରେ ଅଧ୍ୟାଦେଶ ଲାଗୁ ହେଲେ ଗଣତନ୍ତ୍ର ଶେଷ ହୋଇଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଏଲଜିଙ୍କ ମାଧ୍ୟମରେ ସରକାର ଚଳାଇବେ। ଯଦି ଏଭଳି କରିବାରେ ବିଜେପି ସରକାର ସଫଳ ହୁଏ ତେବେ ଅନ୍ୟ ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଶେଷ କରି ଦିଆଯିବ ବୋଲି କୁହାଯାଇଛି।

ଏପରିକି ସେ ଦିନ ଆଉ ଦୂର ନୁହେଁ ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଓ ଏଲଜିଙ୍କ ଦ୍ଵାରା ସବୁ ରାଜ୍ୟର ସରକାର ସିଧା ଚଳାଇବେ ବୋଲି କେଜରିୱାଲ କହିଛନ୍ତି।

ଅଧ୍ୟାଦେଶ ବିରୋଧରେ ବିରୋଧୀ ଦଳର ନେତାମାନଙ୍କୁ ସେ ଭେଟିଛନ୍ତି। ବହୁ ନେତା ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟିର ସାଥ ଦେବେ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ କଂଗ୍ରେସ ମଧ୍ୟରେ ଏ ପ୍ରସଙ୍ଗରେ ଆପକୁ ସମର୍ଥନ ଦେବା ନେଇ ସ୍ପଷ୍ଟତା ଆସିପାରି ନାହିଁ।

ଏପରିକି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାରଙ୍କ ସାଥ ଦେଉଥିବା ଓଡ଼ିଶାର ବିଜୁ ଜନତା ଦଳ ଓ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସର ଆଭିମୁଖ୍ୟ କଣ ରହିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ସେପଟେ ପରିବର୍ତିତ ପରିସ୍ଥିତିରେ ଆନ୍ଧ୍ରରେ ରାଜନୈତିକ ସମୀକରଣ ବଦଳୁଥିବା ବେଳେ କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ୍ଡିଙ୍କ ଉପରେ ବର୍ଷିଥିଲେ। ତେଣୁ କେଜରିୱାଲଙ୍କ ଚିଠି ପରେ ବିରୋଧୀ ସମୁହଙ୍କ ଆଭିମୁଖ୍ୟ କଣ ରହୁଛି ତା ଉପରେ ନଜର।

 

Leave A Reply

Your email address will not be published.