Latest Odisha News

BREAKING NEWS

ବ୍ୟାନ୍ ସତ୍ତ୍ବେ ଦିଲ୍ଲୀରେ କାହିଁକି ଫୁଟିଲା ବାଣ, ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ଚିନ୍ତା ବଢ଼ାଇଛି ପ୍ରଦୂଷଣ । ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ, ଆଜି ଏହି ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସସର୍ବୋଚ୍ଚ ଅଦାଲତ କହିଛନ୍ତି, ନଡା ପୋଡିବା ଲାଗି ଚାଷୀଙ୍କୁ ସରକାର ଅନୁରୋଧ କରିପାରିବେ । କିନ୍ତୁ ସେମାନଙ୍କୁ ଦଣ୍ଡ ଦେବା ସପକ୍ଷରେ କୋର୍ଟ ନାହାନ୍ତି ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା । ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ, ଲୋକମାନେ କିନ୍ତୁ ଏଥିପ୍ରତି ସଚେତନ ହେଉନାହାନ୍ତି । ଅନ୍ୟପଟେ ଶୁଣାଣି ବେଳେ ପ୍ରଦୂଷଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ବ୍ୟାନ୍ ସତ୍ତ୍ବେ ଦିଲ୍ଲୀରେ କାହିଁକି ବାଣ ଫୁଟାଗଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।

୫-ଷ୍ଟାର, ୭-ଷ୍ଟାର ହୋଟେଲରେ ବସି ଲୋକମାନେ ଚାଷୀଙ୍କୁ ପ୍ରଦୂଷଣ ପାଇଁ ଦାୟୀ କରୁଛନ୍ତି ବୋଲି କୋର୍ଟ କହିଛନ୍ତି । ଅନ୍ୟପଟେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଛନ୍ତି ସତ୍ୟପାଠ । ସରକାରୀ କର୍ମଚାରୀଙ୍କ ଓ୍ବାର୍କ ଫ୍ରମ ହୋମ ସପକ୍ଷରେ ନାହାନ୍ତି ସରକାର । କେନ୍ଦ୍ର କହିଛି, ଦିଲ୍ଲୀରେ ଯେଉଁ ସରକାରୀ ଯାନବାହନ ଚଳାଚଳ କରୁଛି, ତାହା ମୋଟ ଗାଡି ସଂଖ୍ୟାର ବହୁତ କମ୍ । ସରକାରୀ ଗାଡି ଚଳାଚଳ ବନ୍ଦ କଲେ ଯେ ପ୍ରଦୂଷଣ ରୋକିହେବ ଏହା ଆଶା କରାଯାଇ ପାରୁନାହିଁ । ତେବେ ସାମୂହିକ ଭାବେ କାରରେ ଯିବା ଆସିବା କରିବା ଲାଗି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ସେହିପରି ଦିଲ୍ଲୀ ପ୍ରଦୂଷଣ ଲାଗି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ବା ସିଏକ୍ୟୁଏମ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ । ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନ୍ତର୍ଗତ ସିଏକ୍ୟୁଏମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସେଗୁଡିକ ହେଲା ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ସ୍କୁଲ, କଲେଜ, ଶିକ୍ଷା ପ୍ରତିଷ୍ଠାନ ବନ୍ଦ ରହିବ । ୧୧ଟି ଥର୍ମାଲ ପାଓ୍ବାର ପ୍ଲାଣ୍ଟ ମଧ୍ୟରୁ ମାତ୍ର ୫ଟି ଚାଲିବ । ୨୧ ତାରିଖ ଯାଏ ଉଚ୍ଛେଦ ଅଭିଯାନ ବନ୍ଦ ରହିବ । ଅଣଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣୁଥିବା ଟ୍ରକକୁ ଦିଲ୍ଲୀରେ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ । ଏହାସହ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡିର ଚଳାଚଳକୁ ବାରଣ କରିବାକୁ କୁହାଯାଇଛି ।

Leave A Reply

Your email address will not be published.