Latest Odisha News

BREAKING NEWS

ଲଖିମପୁର ଚାଷୀ ହତ୍ୟା ମାମଲା, ତଦନ୍ତ ଲାଗି ପୂର୍ବତନ ହାଇକୋର୍ଟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଲଖିମପୁର ଚାଷୀ ହତ୍ୟା ମାମଲାରେ ଆଗେଇବ ତଦନ୍ତ । ମାମଲାର ତଦନ୍ତ ଲାଗି ପୂର୍ବତନ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଆଜି ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପଞ୍ଜାବ, ହରିୟାଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍.କେ. ଜୈନ ମାମଲାର ତଦନ୍ତ କରିବେ । ଏହାସହ ମାମଲାର ତଦନ୍ତରେ ସ୍ବଚ୍ଛତା ଓ ନୀରପେକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତିଙ୍କୁ ନିଯୁକ୍ତି କରାଯାଇଛି । ପ୍ରଧାନ ବିଚାରପତି ଏନ.ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଏକ ବେଞ୍ଚ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ତଦନ୍ତ ପାଇଁ ପୂର୍ବରୁ ଗଠିତ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏହାର ତଦନ୍ତ କରିବେ । ଏହି ଟିମରେ ୩ ଜଣ ଆଇପିଏସ୍ ଏସ.ବି ସିରୋଦକର, ଦୀପେନ୍ଦର ସିଂ, ପଦ୍ମଜା ଚୌହାନ ଅଛନ୍ତି । ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାମଲାର ତଦନ୍ତ କରାଯିବା ପରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଗତ ଅକ୍ଟୋବର ୩ ତାରିଖରେ ଲଖିମପୁରରେ ଚାଷୀ ଆନ୍ଦୋଳନରେ ବସିଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମାଡି ଯାଇଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣାରେ ୪ ଚାଷୀଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.