Latest Odisha News

କେନ୍ଦୁଝରରେ ହେବ ୪୦ ହଜାର କୋଟି ଟଙ୍କାର ମେଗା ପ୍ଲାଣ୍ଟ

କେନ୍ଦୁଝର: କେନ୍ଦୁଝରରେ ହେବ ୪୦ ହଜାର କୋଟି ଟଙ୍କାର ମେଗା ପ୍ଲାଣ୍ଟ। ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

୩୦,୦୦୦ରୁ ୪୦,୦୦୦ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ମେଗା ଇସ୍ପାତ କାରଖାନା ଏହି ଅଞ୍ଚଳରେ ଆର୍ଥିକ ସମୃଦ୍ଧିକୁ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ସେ କହିଛନ୍ତି।

୩୦ ହଜାରରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ ଜେଏସଡବ୍ଲ୍ୟୁ ଓ କୋରିଆନ ପୋସ୍କୋ କରିବେ ଷ୍ଟିଲ୍‌ ପ୍ଲାଣ୍ଟ। ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ ଏମଓୟୁ ସ୍ୱାକ୍ଷର ହୋଇଛି।

ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କରି ମୋ କଲେଜକୁ ମୁଁ ଆସିଛି ଏଣୁ ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ଓ ଉନ୍ନତିକରଣ ନିମନ୍ତେ ଏକ ୩ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ ପାଇଁ ୪ କୋଟି ଟଙ୍କା ମଂଜୁର କରାଯିବ। କେନ୍ଦୁଝର ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ୪୮ ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ସେ ଏହି ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପବିତ୍ର ବୈତରଣୀ କୂଳରେ ଅବସ୍ଥିତ ଏହି ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ଯୁକ୍ତ ତିନି ବାଣିଜ୍ୟ, ଯୁକ୍ତ ତିନି ଭୁତତ୍ତ୍ୱ ବିଜ୍ଞାନ, ଏବଂ କଳା ପାଠ୍ୟକ୍ରମରେ ସଂସ୍କୃତ ଏବଂ ସାମାଜିକ ଶାସ୍ତ୍ର ସହିତ ଇଣ୍ଡିଗ୍ରେଟେଡ଼ ବି. ଏଡ଼ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରାଯିବ।
ଆଜି ଏହି ମହାବିଦ୍ୟାଳୟକୁ ନ୍ୟାସନାଲ ଏକ୍ସଲେନ୍ସ ସେଣ୍ଟର ଭାବେ ପରିଗଣିତ କରିବା ପାଇଁ ଏବଂ ସ୍ୱାୟଂଶାସିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ପୂର୍ବରୁ ଏହି ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ୩ କୋଟି ୩୦ ଲକ୍ଷ ଟଙ୍କା ର ରାଶି ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଏହି କଲେଜ ପ୍ରତିଷ୍ଠା ପାଇଁ ସ୍ୱର୍ଗତ କ୍ଷେତ୍ରବାସୀ କର, ବ୍ରଜ ସୁନ୍ଦର ପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସହରାଇ ଓରାମ୍‍ଙ୍କ ପରି ଅନେକ ମହତ ସମାଜ କଲ୍ୟାଣକାରୀ ଲୋକଙ୍କ ଯଥେଷ୍ଟ ଅବଦାନ ରହିଛି। ଏପରି ଏକ ଅନୁଷ୍ଠାନରେ ମୋର ଶିକ୍ଷା ଗ୍ରହଣ କରିଥିବାରୁ ମୁଁ ନିଜକୁ ଭାଗ୍ଯବାନ ମନେ କରୁଛି ଏବଂ ଏଠାରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ।

ବର୍ତ୍ତମାନର ଯୁଗ ହେଉଛି ଦକ୍ଷତାର ଯୁଗ । ଏସବୁ ସୁଯୋଗର ସଦୁପଯୋଗ କରିବା ପାଇଁ ଶିକ୍ଷା ସହିତ ଉପଯୁକ୍ତ Skill Training ର ଆବଶ୍ୟକତା ରହିଛି । ଦକ୍ଷତା ବିକାଶ ପାଇଁ ସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ସେହିପରି କ୍ରୀଡ଼ା କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକରେ କ୍ରିକେଟ୍‍, ଭଲିବଲ, ଫୁଟବଲ ଓ ଆଥଲେଟିକ୍ସ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ଯୋଜନା ରଖିଛୁ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୯୯୩ ମସିହା ବ୍ୟାଚର ତାଙ୍କ ସ୍ନାତକ ପାଠ୍ୟକ୍ରମର ବନ୍ଧୁ ମାନଙ୍କ ସହିତ ମିଶିବା ସହିତ ସେମାନଙ୍କ ସହିତ କଥା ହୋଇ ପୁରୁଣା ଦିନର ସ୍ମୃତି ମନେ ପକାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଏବଂ ବିଧାୟକ ତେଲକୋଇ ଡଃ ଫକୀର ମୋହନ ନାଏକ, ଚମ୍ପୁଆ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ଓ ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.