Latest Odisha News

BREAKING NEWS

ନଗରପାଳଙ୍କ ସହ ୯ କାଉନସିଲର ବିଜେପିରେ ସାମିଲ, ଚର୍ଚ୍ଚାରେ ଅଧିରାଜଙ୍କ ପ୍ରତିକ୍ରିୟା

ନୂଆପଡ଼ା: ଖଡ଼ିଆଳ ଏନ୍‌ଏସି ରାଜନୀତିରେ ଏବେ ନୂଆ ସମୀକରଣ ଦେଖିବାକୁ ମିଳିଛି। ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତାଙ୍କ ସହ ଅନ୍ୟ ୯ ଜଣ କାଉନସିଲର ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହେବା ପରେ ସ୍ଥାନୀୟ ରାଜନୀତି ସରଗରମ ହୋଇଉଠିଛି। ସୂଚନାଯୋଗ୍ୟ ଯେ, ଉଜ୍ଜଳ ଗୁପ୍ତା କଂଗ୍ରେସ ଦଳରୁ ନିର୍ବାଚିତ ହୋଇ ନଗରପାଳ ପଦ ଅଳଙ୍କୃତ କରିଥିଲେ। ଗତ କିଛି ବର୍ଷ ଧରି ସେ ଦଳୀୟ କାର୍ଯ୍ୟକଳାପରୁ ଦୂରେଇ ରହିଥିବା ସହ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିଲା।

ଏହା ସହିତ ସେ କଂଗ୍ରେସ ବାହାରେ ରହି ଅଧିରାଜ ପାଣିଗ୍ରାହୀଙ୍କ ଅନୁଗତ ଭାବେ କାର୍ଯ୍ୟ କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। ସମ୍ପ୍ରତି ବିଜେପିରେ ଯୋଗଦେବା ପରେ ଉଜ୍ଜଳ ଗୁପ୍ତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଆଗାମୀ ଦିନରେ ଅଧିରାଜ ପାଣିଗ୍ରାହୀଙ୍କୁ ମଧ୍ୟ ବିଜେପିରେ ସାମିଲ କରିବା ପାଇଁ ସେ ପ୍ରୟାସ କରିବେ। ଏହି ମନ୍ତବ୍ୟକୁ ନେଇ ଅଧିରାଜ ପାଣିଗ୍ରାହୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ରାଜନୈତିକ ଅବସ୍ଥାନ ଓ ଭବିଷ୍ୟତ ନିଷ୍ପତ୍ତି ସମ୍ପୂର୍ଣ୍ଣ ତାଙ୍କର ବ୍ୟକ୍ତିଗତ ବିଷୟ ଏବଂ ଏନେଇ ଅନ୍ୟ କାହାର ମନ୍ତବ୍ୟ କିମ୍ବା ଦାବିର କୌଣସି ଗୁରୁତ୍ୱ ନାହିଁ।

ଉଜ୍ଜଳ ଗୁପ୍ତାଙ୍କ ବକ୍ତବ୍ୟକୁ ସେ ଖଣ୍ଡନ କରିବା ସହ ଏହାକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ନଗରପାଳ ଏବଂ ୯ ଜଣ କାଉନସିଲରଙ୍କ ବିଜେପିରେ ଯୋଗଦାନ ଖଡ଼ିଆଳ ଏନ୍‌ଏସିର ରାଜନୈତିକ ସମୀକରଣକୁ ବଦଳାଇ ପାରେ ବୋଲି ଆଲୋଚନା ହେଉଥିବା ବେଳେ ଆଗାମୀ ଦିନରେ ଏହାର ପ୍ରଭାବ ସ୍ଥାନୀୟ ରାଜନୀତି ଉପରେ କିପରି ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.