Latest Odisha News

BREAKING NEWS

ଖଡ଼ିଆଳରେ ରାଜନୀତି ଉଷ୍ମତା, ନେତାଙ୍କୁ ନେଇ ଦ୍ଵନ୍ଦରେ ମତଦାତା

ନୂଆପଡା: ପ୍ରତ୍ୟେକ ଥର ଭଳି ଚଳିତ ନିର୍ବାଚନ ରେ ମଧ୍ୟ ଖଡ଼ିଆଳ ରାଜନୀତି ରୋଚକ ମୋଡ ରେ ପହଞ୍ଚିଛି । ଏଠି ଅନେକ ଆଶାୟୀ, କିଏ କାହାଠୁ କମ୍ ନଥିବା ବେଳେ ଟିକେଟ କୁ ନେଇ ରାଜନୀତି ଚର୍ଚ୍ଚା ସରଗରମ ହେବାରେ ଲାଗିଛି । ବିଶେଷ କରି ବିଜେଡି ଟିକେଟ କୁ ନେଇ ଦ୍ଵନ୍ଦ ଥିବା ବେଳେ, ଟିକେଟ ହିଁ ନିର୍ଦ୍ଧାରଣ କରିବ ଖଡ଼ିଆଳରେ କାହା ପଲ୍ଲା ଭାରି ରହିବ.. । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ହେଁ ତାରିଖ ଯେତେ ପାଖେଇ ଆସୁଛି ଚର୍ଚ୍ଚା ସେତିକି ବଢ଼ିବଢି ଚାଲିଛି । ବର୍ତ୍ତମାନ ସାରା ଦେଶ ରେ ନେତା ଙ୍କ ଦଳ ଡିଆଁ ପର୍ବ ଚାଲିଥିବା ବେଳେ କେତେକ ନେତା ଦଳ ବଦଳାଇ ସାରିଥିବା ବେଳେ ଆଉ କେତେ ଆଗକୁ ଦଳ ବଦଳାଇବେ ବୋଲି ଆଲୋଚନା ହେଉଛି । ଏହି ତାଲିକାର ଚର୍ଚ୍ଚାରେ ଖଡ଼ିଆଳର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅଛନ୍ତି ।

୨୦୧୯ରେ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ଅଧିରାଜ ଏଥର ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ହେଉଥିବାରୁ ଖଡ଼ିଆଳ ବିଜେଡିରେ କମ୍ପନ ସୃଷ୍ଟି ହୋଇ ଆଶାୟୀ ଓ ସମର୍ଥକ ମାନଙ୍କ ମଧ୍ୟ ରେ ଛନକା ପଶିଛି । ଏହି ଚର୍ଚ୍ଚାକୁ ନେଇ ଖୋଦ୍ ବିଧାୟକ ମୁହଁ ଖୋଲୁ ନଥିବା ବେଳେ ତାଙ୍କୁ ନେଇ ଖଡ଼ିଆଳ ବିଜେଡିରେ ବିବାଦ ଦେଖାଦେଇଛି ।

ରାଜ୍ୟ ର ବିଜେଡି ଓ କେନ୍ଦ୍ର ର ବିଜେପି ଦଳର ପ୍ରତିଦ୍ବନ୍ଦୀ କୁ ପରାସ୍ତ କରି ଦୀର୍ଘ ତିନି ଦଶନ୍ଧି ପରେ ଖଡ଼ିଆଳରେ କଂଗ୍ରେସକୁ ଜିତାଇଥିଲେ ଅଧିରାଜ ପାଣିଗ୍ରାହୀ । କିନ୍ତୁ ସେହି ଆଶା ଓ ବିଶ୍ବାସ ବର୍ତ୍ତମାନ ନଥିବାରୁ ଅଧିରାଜ ଦଳ ଡେଉଁଥିବା ଚର୍ଚ୍ଚା ପରାଜୟ ଭୟ ହିଁ ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ସେ ଇସ୍ତଫା ଦେଲେ ଖଡ଼ିଆଳ କଂଗ୍ରେସ ଦୁର୍ବଳ ହୋଇଯିବ ବୋଲି କିଛି କହୁଥିବା ବେଳେ, ପୁରୁଖା କଂଗ୍ରେସ ନେତା ଫାରୁକ୍ ମହମ୍ମଦ ଓ ଚର୍ଚ୍ଚିତ ଯୁବ କଂଗ୍ରେସ ନେତା କମଳ ଚରଣ ତାଣ୍ଡି ଖଡ଼ିଆଳର କଂଗ୍ରେସର ସ୍ଥିତି ମଜବୁତ ଥିଲା ଓ ମଜବୁତ ରହିବ ବୋଲି କହିଛନ୍ତି । ଯଦି ବିଧାୟକ ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡ଼ିବେ, ତା’ହେଲେ କୌଣସି ଅସୁବିଧା ହେବ ନାହିଁ ଗତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିକୁ ପଛରେ ପକାଇ ଆମେ ବିଜୟୀ ହୋଇଥିଲୁ ଚଳିତ ବର୍ଷ ମଧ୍ୟ ତାର ପୁନରାବୃତ୍ତି ହେବ ବୋଲି ଆଶା ।

 

୨୦୧୯ ନିର୍ବାଚନରେ ଅଧିରାଜ ମୋହନ ପାଣିଗ୍ରାହୀ ୫୯, ୩୦୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ନେତା ଲମ୍ବୋଦର ନିଆଲ ୫୬,୪୫୧ ଖଣ୍ଡଭୋଟ ପାଇଥିଲେ । ୨୦୧୪ରେ ଉଭୟ ଅଧିରାଜ ଓ ଲମ୍ବୋଦର ପରାଜିତ ହୋଇଥିଲେ । ସେଥର ବିଜେପି ଟିକେଟରେ ଜିତିଥିଲେ ଦୁର୍ଯୋଧନ ମାଝୀ । ସେହିଭଳି ୨୦୦୯ରେ ମଧ୍ୟ ଏହି ଆସନ ବିଜେପି ହାତକୁ ଯାଇ ସାରିଛି ତେଣୁ ଏଠି କିଛି ବି କହିବା କାହା ପାଇଁ ସହଜ ନୁହେଁ ।

 

୨୦୨୪ ନିର୍ବାଚନରେ କଂଗ୍ରେସ ଦଳର ମୁଖ୍ୟ ଦାବିଦାର ହେଉଛନ୍ତି ଅଧିରାଜ ହେଲେ କଂଗ୍ରେସ ର ବିଭିନ୍ନ କାର୍ଯ୍ୟକ୍ରମରେ ସେ ନରହିବା ହେତୁ ଦଳରେ ସେ ଆଉ ରହିବେ କି ନାହିଁ ସନ୍ଦେହ ସୃଷ୍ଟି କରିଛି । ବିଧାୟକ ଶ୍ରୀ ପାଣିଗ୍ରାହୀ ବିଜେଡିକୁ ଗଲେ ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବା ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ପାଇଁ ଟିକେଟ ପାଇବା କଷ୍ଟକର ହେବ। ତେବେ,ଉଭୟ ଅଧୀରାଜ୍ ଓ ଲମ୍ବୋଦର ଗତ କିଛିଦିନ ହେଲା ଭୁନେଶ୍ବରରେ ଡେରା ପକାଇଥିବା ଜଣାପଡ଼ିଛି ।

 

ଲମ୍ବୋଦର ବିଜେଡିର ଜଣେ ପୁରୁଣା ଓ ଦକ୍ଷ ନେତା ହୋଇଥିବା ବେଳେ ଅଳ୍ପ ବ୍ୟବଧାନ ରେ ପରାସ୍ତ ହୋଇଥିଲେ । ପରାଜିତ ହେବା ପରେ ମଧ୍ୟ ଦଳ କୁ ସୁସଂଗଠିତ କରି ତାଙ୍କ ନେତୃତ୍ୱ ରେ ଆଠ ଗୋଟି ଜିଲ୍ଲାପରିଷଦ ମଧ୍ୟ ରୁ ସାତୋଟି ରେ ବିଜୟୀ କରି ଦୃଢ଼ସଂଗଠନ ର ଉଦାହରଣ ଦେଖାଇଛନ୍ତି । ତାସହ ରାଜ୍ୟ ସରକାର ଙ୍କ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଲୋକଙ୍କୁ ସଚେତନ କରାଇବାରେ ଅହରହ ଚେଷ୍ଟିତ ଅଛନ୍ତି । ଚଳିତ ବର୍ଷ ତାଙ୍କୁ ଟିକେଟ ଦେଲେ ବିପୁଳ ବ୍ୟବଧାନ ରେ ବିଜୟ ସୁନିଶ୍ଚିତ ବୋଲି ସମର୍ଥକ ଙ୍କ ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ ଦୃଢ଼ତା ର ସହ କହିଛନ୍ତି ।

୨୦୦୯ ମସିହା ନିର୍ବାଚନରେ ବିଜେପିର ହିତେଶ ବଗର୍ତ୍ତୀ ଏହି ଆସନରୁ ନିର୍ବାଚିତ ହୋଇଥିଲେ । ହେଲେ, ୨୦୧୯ରେ ହିତେଶଙ୍କ ପତ୍ନୀ ରୀତାରାଣୀ ବିଜେପିରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ । ବର୍ତ୍ତମାନ ସେ କେନ୍ଦ୍ର ସରକାର ଙ୍କ ଯୋଜନା ଓ ସବକା ସାଥ ଶବକା ବିକାଶ ନାରା ରେ ଗାଁ ଗାଁ କୁ ଯାଇ ତୃଣ ମୂଳସ୍ତରେ ସଂଗଠନ କୁ ସୁଦୃଢ଼ କରିବା ରେ ଲାଗିଛନ୍ତି । ଶ୍ରୀ ବଗର୍ତ୍ତି ଙ୍କ ସହ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର ଓ ଖଡ଼ିଆଳ ଯୁବରାଜ ଦେବଦେବ ସିଂ ଦେଓ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲେ ହେଁ ଶ୍ରୀ ବଗର୍ତ୍ତିଙ୍କ ଉପରେ ସମସ୍ତ ଙ୍କ ନଜର ରହିଛି । ବଗର୍ତ୍ତି ଙ୍କୁ ଟିକେଟ ମିଳିଲେ ଉଭୟ ବିଜେଡି ଓ କଂଗ୍ରେସ ର ଦ୍ଵନ୍ଦ ଭିତରେ ବିଜେପି ତାର ଫାଇଦା ଉଠାଇ ଆସନ ଅକ୍ତିଆର କରିବାର ଆଶା ବାନ୍ଧିଛନ୍ତି ଉଭୟ ନେତା ଓ କର୍ମୀ ।

 

ଗତ ନିର୍ବାଚନରେ ଲୋକେ କଂଗ୍ରେସକୁ ଭୋଟ୍ ଦେଇଥିବାରୁ ଅନୁତାପ କରି ସାରିଛନ୍ତି । ସେଥିପାଇଁ ସେମାନେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଏହାର ଜବାବ ଦେଇସାରିଛନ୍ତି । ବର୍ତ୍ତମାନ ଯେଉଁ କଂଗ୍ରେସ ବିଧାୟକ ଅଛନ୍ତି ସେ ଜିଲ୍ଲା ପରିଷଦ ନିର୍ବାଚନରେ ଗୋଟିଏ ବି ଆସନ ହାତେଇ ପାରି ନଥିଲେ । ସେଥିରୁ ଅନୁମାନ କରାଯାଇପାରୁଛି ତାଙ୍କର ଲୋକପ୍ରିୟତା କେମିତି ଅଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଢ଼ିଥିବା ବେଳେ ପ୍ରାର୍ଥୀ ହିସାବରେ ମୋର ବି ଲୋକପ୍ରିୟତା ବଢ଼ିଛି । ଯଦି ଦମ୍ ଅଛି ସେ କଂଗ୍ରେସ ଲଢି ଦେଖନ୍ତୁ ବୋଲି ଖୁଲମଖୁଲା ଚ୍ୟାଲେଞ୍ଜ ଦେଇଥିବା ବେଳେ ଚଳିତ ନିର୍ବାଚନରେ ଆମେ ବିପୁଳ ଭୋଟରେ ବିଜୟୀ ହେବୁ ବୋଲି ଶ୍ରୀ ନିଆଲ କହିଛନ୍ତି ।

 

ତିନି ପ୍ରମୁଖ ଦଳ ର ରାଜନୀତି ଅଙ୍କ କଷାକଷି ରେ ସ୍ବାଧୀନ ପାର୍ଥି ଭାବେ ସବୁ ଓଲଟ ପାଲଟା କରିବାକୁ ନେଇ ନିର୍ବାଚନ ରେ ସ୍ବଚ୍ଛତା ଆଣିବା ଟଙ୍କା ମଦ ମାଂସ ରେ ଲୋକେ ପ୍ରଲୋଭିତ ନହୋଇ ସ୍ୱଚ୍ଛ ପ୍ରାର୍ଥୀ ଙ୍କୁ ନିଜ ଅମୂଲ୍ୟ ମତ ଦେବା ପାଇଁ ଜୋର୍ ସୋର ରେ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି ପୂର୍ବତନ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ । ଗତ NAC ନିର୍ବାଚନ ରେ ସ୍ବାଧୀନ ଭାବରେ ପ୍ରାର୍ଥୀ ହୋଇ ଉଭୟ ବିଜେଡି ଓ ବିଜେପି କୁ ପଛରେ ପକାଇ ସମସ୍ତ ଙ୍କୁ ଚକିତ କରିଥିବା ଶ୍ରୀ ଚଟର୍ଜୀ ବିଧାୟକ ପ୍ରାର୍ଥୀ ଭାବରେ ଛିଡା ହୋଇ ବିଧାୟକ ହେବାର ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.