Latest Odisha News

BREAKING NEWS

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର

ବିଚିତ୍ର ବିଶ୍ୱାଳ

ଏହି ବର୍ଷ ସାରା ଦେଶ ଗାନ୍ଧିଜୀଙ୍କ ଶହେ ପଚାଶତମ ଜୟନ୍ତୀ ପାଳନ କରୁଛି । କେନ୍ଦ୍ର ସରକାର ଓ ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଗାନ୍ଧୀଙ୍କୁ ନେଇ ଅନେକ ପ୍ରକାର ମେଗା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ସାରା ଦେଶରେ ଥିବା ଗାନ୍ଧୀବାଦୀ ଅନୁଷ୍ଠାନମାନଙ୍କ ତରଫରୁ ଗାନ୍ଧୀ ବିଚାର ବିଷୟକ କର୍ମଶାଳା ଓ ଗାନ୍ଧୀକଥା ଭଳି କାର୍ଯ୍ୟକ୍ରମ ଆଦି ମଧ୍ୟ କରାଯାଉଛି ।

ସାରା ଦେଶରେ ଗାନ୍ଧୀଙ୍କୁ ନେଇ ଏହିସବୁ କର୍ମକାଣ୍ଡ ଚାଲିଥିବା ବେଳେ, ସଂପ୍ରତି ଗାନ୍ଧୀଙ୍କ ବିଚାର ଓ ଏପରିକି ଖୋଦ୍ ଗାନ୍ଧୀ ହିଁ ସାଂପ୍ରଦାୟିକ ଶକ୍ତିଙ୍କ ସବୁଠାରୁ ଅଧିକ ଟାର୍ଗେଟରେ । ଦେଶରେ ଶାସନ କ୍ଷମତାର ପାଖାପାଖି ଥିବା ଗୋଟିଏ ଗୋଷ୍ଠୀ ଓ ତାଙ୍କ ସମର୍ଥକ ମାନେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶପ୍ରେମୀ ବୋଲି କହିବାକୁ ପଛାଉନାହାନ୍ତି । ନାଥୁରାମ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ମଧ୍ୟ ପାଳନ କରାଯାଉଛି । ଏଇ ନିକଟ ଅତୀତରେ କିଛି ଲୋକଙ୍କ ଦ୍ୱାରା ଗାନ୍ଧୀଙ୍କ ଫଟୋକୁ ଆଉ ଥରେ ଗୁଳି ମରାଯାଉଥିବାର ଦୃଶ୍ୟ ଖବରକାଗଜ ଓ ସାମାଜିକ ଗଣମାଧ୍ୟମର ପୃଷ୍ଠାରେ ଦେଖିବାକୁ ମିଳିଲା । ସତେ ଯେମିତି ସେମାନେ ଗାନ୍ଧୀଙ୍କ ହତ୍ୟାକୁ ସେଲିବ୍ରେଟ୍ କରୁଥିଲେ ।

ଗୋଟିଏ ପଟେ ସରକାରଙ୍କ ତରଫରୁ ଗାନ୍ଧୀଙ୍କୁ ନେଇ ଏତେ ସବୁ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଥିବା ବେଳେ ଆଉ ଗୋଟିଏ ପଟେ ଶାସନରେ ଥିବା ଅନେକ ନେତା ଗାନ୍ଧୀଙ୍କ ବିଷୟରେ ନିୟମିତ ଭାବେ ମିଥ୍ୟା କୁତ୍ସାରଟନା କରିଚାଲିଛନ୍ତି ଓ ଗାନ୍ଧୀ ହତ୍ୟାକାରୀକୁ ଅଯଥାରେ ଗୌରବାନ୍ୱିତ କରୁଛନ୍ତି । ଶାନ୍ତି, ଅହିଂସା ଓ ଧର୍ମନିରପେକ୍ଷ ଭାବ ବିରୁଦ୍ଧରେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଲେ ଭୁଲ୍ ହେବ ନାହିଁ । ସେମାନେ ଛଳନାପୂର୍ଣ୍ଣ ଭାବେ ଗାନ୍ଧୀଙ୍କ ଶହେପଚାଶ ତମ ଜୟନ୍ତୀକୁ ଯେତେ ଚାକଚକ୍ୟରେ ପାଳନ କଲେ ମଧ୍ୟ ସେମାନଙ୍କ ହାଡ଼, ରକ୍ତ ମାଂସରେ ଗାନ୍ଧିଙ୍କ ବିରୁଦ୍ଧରେ କେବଳ ଘୃଣା ହିଁ ଭରିରହିଛି । ଗାନ୍ଧିଙ୍କ ବିରୁଦ୍ଧରେ ଘୃଣା ଅର୍ଥ ଶାନ୍ତି, ଅହିଂସା ଓ ଧର୍ମନିରପେକ୍ଷତା ବିରୁଦ୍ଧରେ ଘୃଣା । କାରଣ ସେମାନଙ୍କ ପାଇଁ ମାନବ ଜାତିର କଲ୍ୟାଣ ଅପେକ୍ଷା ନିଜେ ବିଶ୍ୱାସ କରୁଥିବା ମତବାଦ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଏଠାରେ କେବଳ କହିବା ବାହୁଲ୍ୟ ମାତ୍ର ହେବ ଯେ, ଗାନ୍ଧୀ କେବଳ ଭାରତର ମହାମାନବ ନଥିଲେ, ସେ ସମଗ୍ର ବିଶ୍ୱର ମହାମାନବ ଥିଲେ । ସମଗ୍ର ମାନବ ଜାତି ପାଇଁ ସେ ଥିଲେ ଗୋଟେ ଆଲୋକ ବର୍ତ୍ତିକା । ଏକଥା ଗାନ୍ଧୀ କି ତାଙ୍କ ଅନୁଗାମୀ ମାନେ କହିନାହାନ୍ତି, ଏକଥା ବିଶ୍ୱର ବଡ଼ ବଡ଼ ମହାମନିଷୀ ମାନେ କହିଯାଇଛନ୍ତି । ଗାନ୍ଧିଙ୍କ ବିଚାରର ମହତକୁ ବୁଝି ତାଙ୍କ ପ୍ରଶଂସାର ଶତମୁଖ ହୋଇଥିବା ଲୋକମାନଙ୍କ ମଧ୍ୟରେ ଆଇନଷ୍ଟାଇନଠୁ ଆରମ୍ଭ କରି, ରୋମାରୋଁଲା, ମାର୍ଟିନ୍ ଲୁଥର କିଙ୍ଗ୍, ନେଲସନ ମାଣ୍ଡେଲା ଓ ତାଙ୍କ ସହିତ ବୈଚାରିକ ମେଳ ଖାଉନଥିବା ସୁଭାଷ୍ ବୋଷ୍ ମଧ୍ୟ ଅଛନ୍ତି । ଗାନ୍ଧୀଙ୍କ ବିଚାର ଓ ଆଦର୍ଶକୁ ଅନୁଭବ କରି ସେତେବେଳେ ଆଇନଷ୍ଟାଇନ କହିଥିଲେ, ଆଉ ଦୁଇ ଶହ ବର୍ଷ ପରେ ଲୋକମାନେ ବିଶ୍ୱାସ କରିବେନି ଯେ, ଗାନ୍ଧୀଙ୍କ ପରି ଜଣେ ହାଡ଼ ମାଂସଧାରୀ ଲୋକ ଏ ପୃଥିବୀ ପୃଷ୍ଠରେ ଥିଲେ ବୋଲି । ଏବଂ ତାହା ଆଜି ସତ୍ୟ ହୋଇଛି ମଧ୍ୟ । କାରଣ ଆଜି ସମାଜ ଏତେ କଳୁଷିତ ହୋଇଯାଇଛି ଯେ, ବର୍ତ୍ତମାନର ଯୁବ ସମାଜଙ୍କୁ ଗାନ୍ଧୀଙ୍କ ନୀତି ଆଦର୍ଶ ହଜମ ହେଉନି । ଅନେକ ତ ଗାନ୍ଧୀଙ୍କୁ ନିନ୍ଦା କରି ନିଜକୁ ସ୍ମାର୍ଟ ଦେଖାଇ ନିଜର ପ୍ରସିଦ୍ଧିକୁ ବଢେ଼ଇବାକୁ ଚାହୁଁଛନ୍ତି । ଯାହା ହୁଏତ ସ୍ୱଳ୍ପକାଳୀନ ସମୟ ଭିତ୍ତିରେ ସଫଳ ହେବା ପରି ଦେଖାଯାଇପାରେ । କିନ୍ତୁ ଗାନ୍ଧୀ ବିଚାର କେବେ ବି ମଳିନ ପଡ଼ିବ ନାହିଁ । କାରଣ ଗାନ୍ଧୀ ହେଉଛନ୍ତି, ସେହି ହିମାଳୟ ପର୍ବତ ଯାହାକୁ ଟେକା ମାରି କ୍ଷତି ପହଂଚେଇ ହେବ ନାହିଁ।

ଏବେ ଯେଉଁମାନେ ଗାନ୍ଧୀଙ୍କୁ ବିରୋଧ କରି ତାଙ୍କୁ ଅଯଥାରେ ନିନ୍ଦିତ କରେଇବାକୁ ଚେଷ୍ଟା କରୁଛନ୍ତି, ଏହା ନିଶ୍ଚିତ ଯେ, ସେମାନେ ଗାନ୍ଧୀଙ୍କୁ କାଣିଚାଏ ବି ବୁଝିନାହାନ୍ତି । ତା’ଛଡ଼ା ଗାନ୍ଧୀଙ୍କୁ ବୁଝିବା ବି ଏତେ ସହଜ କଥା ନୁହେଁ । କାରଣ ଗାନ୍ଧୀ ନିଜ ସମୟର ଅନେକ ଆଗକୁ ଦେଖିପାରୁଥିଲେ ଓ ସେହି ହିସାବରେ ନିଜ ବିଚାର ବ୍ୟକ୍ତ କରୁଥିଲେ । ଆଜି ଯେତେବେଳେ ସାରା ବିଶ୍ୱ ହିଂସା, ଆତଙ୍କବାଦ, ଅଶାନ୍ତି, ଜଳବାୟୁ ପରିବର୍ତ୍ତନ ଓ ବେରୋଜଗାର ପରି ସମସ୍ୟାକୁ ନେଇ ଘାଂଟି ହେଉଛି, ସେତେବେଳ ଗାନ୍ଧୀ ପ୍ରଦର୍ଶିତ ପଥ ହିଁ ଏକମାତ୍ର ସମାଧାନ ଏସବୁରୁ ମୁକ୍ତି ପାଇବା ପାଇଁ । କିନ୍ତୁ ହିଂସାର ପୂଜାରୀ ମାନେ ତଥା ଅନ୍ୟ ଧର୍ମର ଲୋକମାନଙ୍କୁ ଦଳିଦେଲେ ହିଁ ନିଜ ଧର୍ମର ରକ୍ଷା ହେବ ବୋଲି ସଂକୀର୍ଣ୍ଣ ବିଚାରରେ ବିଶ୍ୱାସ କରୁଥିବା ଲୋକମାନେ ଯୋଜନାବଦ୍ଧ ଭାବେ ଗାନ୍ଧୀଙ୍କୁ ନୀଚା କରି ଦେଖେଇବାର ଅପପ୍ରୟାସ କରୁଛନ୍ତି । କିନ୍ତୁ ସେମାନେ ବୁଝି ନାହାନ୍ତି ଯେ, ଗାନ୍ଧୀ ବିଚାର କେବଳ ଏକ ଶୁଖିଲା ଭାଷଣ ନୁହେଁ । ଏହା ସୁସ୍ଥ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଶାନ୍ତିପୂର୍ଣ୍ଣ ଜୀବନର ଏକ ମହାନ ମନ୍ତ୍ର । ଗାନ୍ଧୀଙ୍କ ବିଚାରକୁ ମିଥ୍ୟା ପ୍ରଚାର ଦ୍ୱାରା କେବେ ବି ଦବେଇ ହେବ ନାହିଁ ବୋଲି ସେହି ଗୋଷ୍ଠୀମାନେ ବୁଝିବାକୁ ନାରାଜ ।

ଆଜକୁ ପ୍ରାୟ ୭୧ ବର୍ଷ ତଳେ ଜଣେ ବୁଢ଼ା ଲୋକକୁ ପ୍ରାର୍ଥନା ସଭାରେ ଗୁଳି ମାରି ହତ୍ୟା କରି ଶାନ୍ତି ଓ ଅହିଂସାକୁ କବର ଦେଇ ସାଂପ୍ରଦାୟିକ ରାଜନୀତି ଆରମ୍ଭ କରିବାର ଯେଉଁ ପ୍ରୟାସ ଆରମ୍ଭ କରାଯାଇଥିଲା, ତାହା ଏବେ ମଧ୍ୟ ବଳବତ୍ତର ରହିଛି । ତେଣୁ ଗାନ୍ଧୀ ବିଚାର ସେ ସମୟରେ ଯେତିକି ଆବଶ୍ୟକ ଥିଲେ, ଆଜିର ସମୟରେ ତା’ଠାରୁ ଅଧିକ ଆବଶ୍ୟକ ରହିଛି ।
………………….
ଭିରଙ୍ଗ, ତିରଣ, ଜଗତସିଂହପୁର-୭୫୪୧୩୮

Leave A Reply

Your email address will not be published.