Latest Odisha News

କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ଜେଇଇ ଓଡ଼ିଶା ଟପ୍‌ପର

ଭୁବନେଶ୍ୱର: କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ପ୍ରିୟଙ୍କା ସର ଜେଇଇ ମେନ୍‌ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଜେଇଇ ମେନ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ପ୍ରିୟଙ୍କା ଏଥିରେ ୯୯.୯୮୫ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍‌ପର ହେବାର ଗୌରବ ଅର୍ଜନ କରିଛନ୍ତି । ଲଗାତାର ଦୁଇବର୍ଷ ଧରି କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଜେଇଇ ଓଡ଼ିଶା ଟପ୍‌ପର ହୋଇ ଆସୁଛନ୍ତି । ଏଥିରେ ଖୁସି ବ୍ୟକ୍ତ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଶ୍ରୀ ସାମନ୍ତ କହିଛନ୍ତି ଏହି ସଫଳତା ଦ୍ୱାରା ପ୍ରିୟଙ୍କା କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ସହ ସମଗ୍ର ଓଡ଼ିଶାକୁ ଗୌରବାନ୍ୱିତ କରି ପାରିଛନ୍ତି । କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ପ୍ରତିଷ୍ଠାଠାରୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇ ଆସିଛି । ଫଳରେ ଏହାର ଛାତ୍ରଛାତ୍ରୀମାନେ କେବଳ ଶିକ୍ଷା ନୁହେଁ ଅନ୍ୟ ସମସ୍ତ କ୍ଷେତ୍ରରେ ମଧ୍ୟ ଲଗାତାର ସଫଳତା ହାସଲ କରି ଆସୁଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଚେୟାରପର୍ସନ ଡ. ମୋନା ଲିସା ବଳ ଓ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷରେ ପ୍ରିୟଙ୍କା ଓ ତାଙ୍କ ଅଭିଭାବକ ଏହି ସଫଳତା ପାଇଁ କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ, କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଆହୁରି ୧୭ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ମଧ୍ୟ ଜେଇଇ ମେନ୍‌ରେ କୃତକାର୍ଯ୍ୟ ହୋଇଛନ୍ତି ।

Leave A Reply

Your email address will not be published.