Latest Odisha News

BREAKING NEWS

ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ କହିଲେ ଅଳକା ମହାନ୍ତି

ଝାରସୁଗୁଡା: ପଞ୍ଚାୟତ, ପୌର ପରେ ଏବଂ ରାଜ୍ୟରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଖୁବଶୀଘ୍ର ତାରିଖ ଘୋଷଣା ହେବ ବୋଲି ଜଣାପଡିଛି । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଥିବା ଏହି ଆସନରେ କିଏ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ବଢିଛି । ତେଣୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏବେଠୁ ତାତି ବଢ଼ିଛି। ଏହାରି ଭିତରେ ଦିବଂଗତ ବିଧାୟକଙ୍କ ପତ୍ନୀ ଅଳକା ମହାନ୍ତି କହିଛନ୍ତି ସେ ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ । ଦିବଂଗତ ବିଧାୟକଙ୍କ ପତ୍ନୀଙ୍କ ଏପରି ବୟାନ ପୂର୍ବରୁ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିବାକୁ ଦାବି ହୋଇଥିଲା ।

ପିପିଲି, ପାଟକୁରା, ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ଦିବଂଗତ ବିଧାୟକଙ୍କ ପରିବାର ଲୋକଙ୍କୁ ଟିକେଟ ଦେଇଥିଲା । ତେଣୁ ବ୍ରଜରାଜନଗର ଉପନିର୍ବାଚନରେ ମଧ୍ୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସମାନ ନୀତି ଆପଣାଇବେ ବୋଲି ଚର୍ଚ୍ଚା ହେଉଛି।

ଗତକାଲି ପୌର ନିର୍ବାଚନରେ ଭୋଟ୍ ଦେବାକୁ ଆସିଥିଲେ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି । ଭୋଟ୍ ଦେବା ପରେ ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ନେଇ ଅଳକାଙ୍କ ପାଖରୁ ମତାମତ ଲୋଡିଥିଲେ । ଯାହାର ଜବାବରେ ସେ କହିଛନ୍ତି, ମୁଁ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ । କିନ୍ତୁ ସବୁ ନିଷ୍ପତ୍ତି ଦଳର ସୁପ୍ରିମୋ ନେବେ । ତାଙ୍କ ସ୍ୱାମୀ ତଥା ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କର ଅନେକ ସ୍ୱପ୍ନ ରହିଥିଲା। ସେ ବିଧାୟିକା ହେଲେ ନିଶ୍ଚିତ ଭାବେ ବାକି ରହିଥିବା କାମକୁ ତ୍ୱରାନ୍ୱିତ କରିବେ ।

ଝାରସୁଗୁଡା ରାଜନୀତିରେ କିଶୋର ମହାନ୍ତି ବିଜେଡିର ଜଣେ ପୁରୁଣା ସିପାହୀ । ସେ ଦଳର ଜିଲ୍ଲା ସଭାପତି ମଧ୍ୟ ଥିଲେ। ନବ ଦାସ ଯଦିଓ ମନ୍ତ୍ରୀ ହୋଇଛନ୍ତି କିନ୍ତୁ ସେ ଦଳରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ ଦେଇଛନ୍ତି । ତେଣୁ କିଶୋରଙ୍କ ସମର୍ଥକଙ୍କର ମଧ୍ୟ ଗୋଟିଏ ବଡ ଭୋଟ୍ ବ୍ୟାଙ୍କ ରହିଛି । ଅନ୍ୟପଟେ ନବ ଦାସଙ୍କ ସମର୍ଥକ ଦୀପାଳି ଦାସଙ୍କୁ ବ୍ରଜରାଜନଗର ଆସନରୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି। ଏବେ ଏହି ଟିକେଟ ପାଇଁ ବିଜେଡିର ଦୁଇ ପ୍ରମୁଖ ଗୋଷ୍ଠୀ ଛକାପଞ୍ଝା ଲାଗିଛନ୍ତି ବୋଲି ଜଣାପଡିଛି।

Leave A Reply

Your email address will not be published.