Latest Odisha News

BREAKING NEWS

ଆଇପିଏଲ: ଆୟାରଙ୍କ କମାଲ, ଫାଇନାଲରେ କେକେଆର

ଅହମ୍ମଦାବାଦ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ପ୍ରବେଶ କରିଛି । ୧୬୦ ରନର ବିଜୟ ଲକ୍ଷ୍ୟକୁ କେକେଆର ୧୩.୪ ଓଭରରେ ୨ ୱିକେଟ ହରାଇ ସମ୍ପୂର୍ଣ୍ଣ ଏକତରଫା ଭାବେ ହାସଲ କରି ନେଇଥିଲା । ଭେଙ୍କେଟେଶ ଆୟାର(୫୧) ଓ ଶ୍ରେୟାଶ ଆୟାର(୫୮) ରନ କରି ଅପରାଜିତ ରହିଥିଲେ । ଉଭୟ ଚମତ୍କାର ପ୍ରଦର୍ଶନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ୟାଟ କୁମିନ୍ସ ଓ ଟି.ନଟରାଜନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ।

ହାଇଦ୍ରାବାଦର ଦୁଇ ଷ୍ଟାର ଓପନର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଫେଲ ମାରିଥିଲେ । ଚଳିତ ସଂସ୍କରଣରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦଳର ବିଜୟରେ ମୂଖ୍ୟ କାରଣ ସାଜୁଥିଲା । ଟ୍ରେଭିସ ହେଡ ଖାତା ଖୋଲି ନ ପାରି ଓ ଅଭିଷେକ ଶର୍ମା ୩ ରନ କରି ଆଉଟ ହୋଇଥିଲେ । ରାହୁଲ ତ୍ରିପାଠୀ(୫୫), ହେଇନରିକ କ୍ଲାସେନ (୩୨) ଓ ପ୍ୟାଟ କୁମିନ୍ସ ୩୦ ରନର ଇନିଂସ ଖେଳିବା ଯୋଗୁ ଦଳ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ୧୯.୩ ଓଭରରେ ୧୫୯ ରନ କରି ଅଲଆଉଟ ହୋଇ ଯାଇଥିଲା । କେକେଆର ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତି ୨ଟି ୱିକେଟ ହାସଲ କରିଥିଲେ । ପରାଜୟ ସତ୍ୱେ ହାଇଦ୍ରାବାଦ ନିକଟରେ ଫାଇନାଲରେ ପ୍ରବେଶ ପାଇଁ ଆଉ ଏକ ସୁଯୋଗ ରହିଛି ।

Leave A Reply

Your email address will not be published.