Latest Odisha News

BREAKING NEWS

ଜାଣନ୍ତୁ, ଶ୍ରୀମନ୍ଦିର ନୀଳଚକ୍ରରେ ଚଢି ଚୂନେରା ସେବକ କିପରି ବାନ୍ଧନ୍ତି ବାନା !

ପୁରୀ: ଶ୍ରୀକ୍ଷେତ୍ରକୁ ଆସୁଥିବା ବେଳେ ଭକ୍ତ ଜାଣିଥାଏ ନୀଳଚକ୍ରର ଗୁରୁତ୍ୱ । ଶ୍ରୀମନ୍ଦିର ଉପରେ ଶୋଭା ପାଉଥିବା ଏହି ଚକ୍ର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦୂରରୁ ଅନେକ ଆଶା ଓ ବିଶ୍ୱାସ ମନରେ ଜୁଟାଇ ଦେଇଥାଏ । ନୀଳଚକ୍ର ଦେଖାଗଲାଣି…. ଏଥର ଆଉ ବେଶି ଦୂର ନୁହେଁ ଶ୍ରୀଜଗନ୍ନାଥ ମନ୍ଦିର । ନୀଳଚକ୍ର ଦର୍ଶନରେ ସବୁ ପାପ ଧୋଇଯାଏ । ଆସନ୍ତୁ ଜାଣିବା ଏହି ପାପ କ୍ଷୟ ଚକ୍ର ବିଷୟରେ –

ନୀଳଚକ୍ରେ ହେ ଦେଖ ଉଡୁଛି ବାନା…

ନୀଳଚକ୍ର ବାହ୍ୟଚକ୍ର ଓ ଅନ୍ତଃଚକ୍ର ଭେଦରେ ଦୁଇ ରୂପରେ ବିଦ୍ୟମାନ ବାହ୍ୟଚକ୍ରର ପରିଧି ୩୭ ଫୁଟ, ଅନ୍ତଃଚକ୍ରର ପରିଧି ୧୦ଫୁଟ । ଏହି ଦୁଇ ଚକ୍ରକୁ ୮ଟି ଅର ସଂଯୁକ୍ତ କରୁଛି । ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ଫୁଟ ୧୦ ଇଂଚ ଓ ମୋଟା ୨ ଇଂଚ । ବଡଦାଣ୍ଡରୁ ଶ୍ରୀମନ୍ଦିରର ଉଚ୍ଚତା ୨୧୪ ଫୁଟ ଥିବା ବେଳେ ୨ ଫୁଟ ଅଢ଼େଇ ଇଂଚ ବ୍ୟାସର ଏକ ବୃତାକାର ଶୂନ୍ୟସ୍ଥାନ ରହିଛି । ନୀଳଚକ୍ରଟି ଶ୍ରୀମନ୍ଦିର ବେଢ଼ାରୁ ପ୍ରାୟ ୧୯୪ ଫୁଟ ଉଚ୍ଚରେ । ନୀଳଚକ୍ରର ଅର୍ଦ୍ଧେକ ଲୁହା ହୋଇଥିବା ବେଳେ ବାକି ଅର୍ଦ୍ଧେକ ମଧ୍ୟରେ ପାଏ ତମ୍ବା, ସୁନା, ରୂପା, ରଙ୍ଗ, ଦସ୍ତା ଓ ସୀସା ପ୍ରଭୃତି ମିଶିକି ରହିଛି ।

ନୀଳଚକ୍ରରେ ଧ୍ୱଜା ନ’ଥିଲେ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ ହୁଏନି ଭୋଗ !

ପ୍ରତ୍ୟହ ସନ୍ଧ୍ୟା ୫ଟାରେ ଧ୍ୱଜାବନ୍ଧା ହୁଏ । ନୀଳଚକ୍ରର ଧ୍ୱଜାକୁ ପତିତପାବନ ବାନା କୁହାଯାଏ । ବାନା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡେ ନାହିଁ । ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । ନୀଳଚକ୍ରରେ ଧ୍ୱଜା ନ ଥିଲେ ଜଗନ୍ନାଥଙ୍କୁ କୌଣସି ଭୋଗ ଅର୍ପଣ କରାଯାଏ ନାହିଁ । କୌଣସି କାରଣରୁ ଜୀଉମାନଙ୍କୁ ଭୋଗ ସମର୍ପିତ ହୋଇ ନ ପାରିଲେ ନୀଳଚକ୍ର ଉଦ୍ଦେଶ୍ୟରେ ପୂଜକ ଭୋଗ ଅର୍ପଣ କରନ୍ତି ଏହାକୁ ଚକ୍ର ମଣୋହି କୁହାଯାଏ ।

ଚୂନେରା ସେବକ ବାନ୍ଧନ୍ତି ମହାପ୍ରଭୁଙ୍କ ଧ୍ୱଜା:

ଏହି ନୀଳଚକ୍ର ମନ୍ଦିରକୁ ସୁରକ୍ଷା କରିବା ପାଇଁ ବିଜ୍ଞାନ ଭିତିରେ ଏକ ଆର୍ଥିଂ ଚାରି ଫୁଟ ଅଧ ଇଂଚ ଓସାରର ଏକ ତମ୍ବା ପାତିଆ ନୀଳଚକ୍ର ସହିତ ସଂଯୁକ୍ତ ହୋଇ ଦକ୍ଷିଣ ପାଶ୍ୱର୍େ କୂଅରେ ପଡିଥିଲା । ଏହା ମନ୍ଦିରର ପଥରକୁ ରକ୍ଷା କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟରୁ ଶ୍ରୀମନ୍ଦିରକୁ ରକ୍ଷା କରୁଥିଲା । ନୀଳଚକ୍ରର ସେବକ ଚୂନେରା ପ୍ରାୟ ୭ମିନିଟରେ ମନ୍ଦିରକୁ ଅତିକ୍ରମ କରି, ଚଢ଼ି ଧ୍ୱଜା ବାନ୍ଧି ପାରନ୍ତି । ଧ୍ୱଜା ବାନ୍ଧିବା ପରେ ଏମାନେ ଶ୍ରୀମନ୍ଦିରକୁ ପଛ କରି ତଳକୁ ଓହ୍ଲାନ୍ତି । ଏମାନଙ୍କ ଇଷ୍ଟଦେବତା ଗରୁଡ । ଚୂନେରା ସେବକଙ୍କୁ ଗରୁଡସେବକ ମଧ୍ୟ କୁହାଯାଏ । ଏମାନେ ବଢ଼େଇ ଜାତୀୟ ଶୂଦ୍ର ସେବକ ।

ନୀଳଚକ୍ରରେ ଚଢି ବାନା ବାନ୍ଧୁଥିବା ସେବକ ନୃସିଂହଙ୍କ ନିଆରା ଅନୁଭୂତି:

ନୀଳଚକ୍ରରେ ଧ୍ୱଜା ବାନ୍ଧୁଥିବା ଚୂନେରା ସେବକ ନୃସିଂହ ଚରଣ ମହାପାତ୍ରଙ୍କ ଅନୁଭୂତି ନିଆରା । ପିଲାବେଳୁ ବାପ ଶ୍ରୀଧର ମହାପାତ୍ରଙ୍କ ସହ ସେ ଦେଉଳ ଚଢ଼ିବା ଶିଖିଥିଲେ । କିପରି ଚଢ଼ିବା ବା ଏଥିନେଇ କିପରି ପ୍ରସ୍ତୁତ କରାଯିବା ସେ ସବୁ ସ୍ୱତଃ ହୋଇ ଯାଇଥିଲା । ଜଗନ୍ନାଥ ଆପେ ସବୁ ରାସ୍ତା ଦେଖାଇ ଦିଅନ୍ତି ବୋଲି ସେ କହିଛନ୍ତି । ଉପରକୁ ଚଢ଼ିଲା ବେଳେ ଭୟ ଲାଗେନି… ମୋ ପ୍ରଶ୍ନର ଉତରରେ ସେ କହିଥିଲେ “ ଭୟ ତାହା ପୁଣି ଜଗନ୍ନାଥଙ୍କ ଧ୍ୱଜା ବାନ୍ଧିବାରେ’’ ତାଙ୍କ ଧ୍ୱଜା ସିଏ ବାନ୍ଧୁଛନ୍ତି । ଆମେ ସବୁ ଯନ୍ତ୍ରଚାଳିତ ପରି କର୍ତବ୍ୟ କରି ଚାଲୁଛୁ । ଯେଉଁ ଦିନ ସିଏ ଚାହିଁବେନି ସବୁ ବନ୍ଦ ହୋଇଯିବ ବୋଲି ହସି କରି କହିଥିଲେ ନୃସିଂହ । ଅନୂଭତି ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ – ଥରେ ମନ୍ଦିରରୁ ଓହ୍ଲାଇବା ବେଳେ ବିରୁଡିମାନେ ଆକ୍ରମଣ କରିଥିଲେ । ମୋତେ କିଛି ବୁଦ୍ଧି ଦିଶିଲାନି । ହାତ ଛାଡିଲେ ମୃତ୍ୟୁ ସୁନିଶ୍ଚିତ । ଜଗନ୍ନାଥ ରକ୍ଷା କର କହି ଓହ୍ଳାଇଲି । କିପରି ତଳେ ପହଂଚିଲି ତାହା ମୋର ମନେ ନାହିଁ । ତଳେ ପହଂଚିଲା ବେଳକୁ ମୁଁ ଅଚେତ ହୋଇଯାଇଥିଲି । କେବଳ ଜଗନ୍ନାଥ ହିଁ ମୋତେ ବଂଚାଇଲେ ବୋଲି ସେ କହିଛନ୍ତି । ପୁତ୍ର ସନ୍ତାନର ଜନକ ହୋଇଥିବା ନୃସିଂହ ତାଙ୍କ ପରବର୍ତି ପିଢ଼ୀକୁ ମଧ୍ୟ ଏହି ସେବାରେ ନିୟୋଜିତ କରାଇବେ ବୋଲି କହିଛନ୍ତି ।

Comments are closed.