Latest Odisha News

ଘରେ ବନାନ୍ତୁ ସୁସ୍ଵାଦୁ ଚିକେନ୍ ଦମ୍ ବିରିୟାନୀ

ଭୁବନେଶ୍ଵର: ବିରିୟାନୀ କଥା ପଡିଲେ ପ୍ରାୟ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ଆଜିକାଲି ଆଧୁନିକ ଦୁନିଆରେ ଏହା ପ୍ରାୟ ସମସ୍ତଙ୍କ ଘରର ପ୍ରିୟ ଡିସ୍। ଏହା ଏଭଳି ଏକ ଡିସ୍ ଯେଉଁଥିରେ ବିଭିନ୍ନ ପ୍ରକାରର ବିରିୟାନୀ ବନାଯାଇପାରେ। ଏହା ଅତ୍ୟନ୍ତ ସ୍ୱାଦକର ହେବା ସହ କମ ସମୟରେ ମଧ୍ୟ ଏକ ମନ ପସନ୍ଦର ଖାଦ୍ୟ ହୋଇଯାଇଥାଏ । ଭାରତର ଯେ କୌଣସି ସ୍ଥାନକୁ ଆପଣ ଯାଆନ୍ତୁ ନା କାହିଁକି ଏହି ଡିସଟି ଆପଣ ସହଜରେ ପାଇଯିବେ। କିନ୍ତୁ ସବୁଦିନ ବାହାରୁ ବିରିୟାନୀ ଖାଇ ଖାଇ ବିରକ୍ତି ଲାଗେ । ତେଣୁ ସମସ୍ତେ ଭାବନ୍ତି ଘରେ କିପରି ଅତି ସହଜରେ ବିରିୟାନୀ ବନେଇ ଖିଆଯିବ । ତେବେ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନ ଦମ ବିରିୟାନୀର ରେସିପି । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳି।

ଆବଶ୍ୟକ ସାମଗ୍ରୀ:

ବିରିୟାନୀ ଚାଉଳ (ବାସୁମତୀ), ଚିକେନ୍‌, ପୋଦିନାପତ୍ର, ଡାଲଚିନି, ଗୁଜୁରାତି, ଅନାସୀଫୁଲ, କ୍ଷୀର, ଦହି, ଅଣ୍ଡା, ପିଆଜ, ଅଦା, ରସୁଣ, ଲବଙ୍ଗ, ଗୋଲମରିଚ, ତେଜପତ୍ର, ଜାଇଫଳ, ଜାୟତ୍ରୀ, ବଡଅଳେଇଚ, କେଓଡା, ଘିଅ, କେଶର, ଜିରା ପାଉଡର, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ରିଫାଇନ ତେଲ, ଲୁଣ, କଞ୍ଚାଲଙ୍କା, ଲେମ୍ବୁ, ଧନିଆପତ୍ର, ପାଣି, ଟମାଟୋ, ଗୋଲାପଜଳ, ବିରିୟାନି ଅତର।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପାତ୍ରରେ କଟା ଚିକେନ୍‌, ଦହି, ଜିରା ପାଉଡର୍‌, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, କଟା ହୋଇଥିବା ପୋଦିନାପତ୍ର, ଧନିଆପତ୍ର, ଅଦାରସୁଣ ପେଷ୍ଟ, ଲେମ୍ବୁ, ଟମାଟୋକୁ ମିଶ୍ରଣ କରି ୨-୩ ଘଣ୍ଟା ଲାଗି ମାରିନେଟ ହେବାପାଇଁ ରଖିଦିଅନ୍ତୁ। ତା ପରେ କଟା ହୋଇଥିବା ପିଆଜକୁ କଡ଼େଇରେ ରିଫାଇନ ତେଲରେ ବ୍ରାଉନ ହେବାପର୍ଯ୍ୟନ୍ତ ଭାଜି ଅନ୍ୟ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏକପାତ୍ରରେ ପାଣି ଗରମ କରି ସେଥିରେ ଡାଲଚିନି, ଗୁଜୁରାତି, ଅନାସୀଫୁଲ, ଲବଙ୍ଗ, ଜାୟତ୍ରୀ, ପୋଦିନାପତ୍ର, ଧନିଆପତ୍ର, ଗୋଲମରିଚ, ବଡ଼ ଅଳେଇଚ ଓ ଘିଅ ପକାଇଦିଅନ୍ତୁ। ପରେ ସେଥିରେ ବସୁମତୀ ଚାଉଳ, ଗୋଲାପଜଳ ଓ ସ୍ବାଦ ମୁତାବକ ଲୁଣ ପକାଇ ଅଧା ସିଝାଇ ଦିଅନ୍ତୁ। ଦେଖିବେ ଚାଉଳ ଯେମିତ ବେଶି ସିଝି ନ ଯାଏ। ଦରସିଝା ଭାତକୁ ଭଲ ଭାବେ ଛାଣି ଦିଅନ୍ତୁ। ଏହାପରେ ରଖାଯାଇଥିବା ଚିକେନ୍‌କୁ ତେଲ ଦେଇ ଏକ କଡେଇରେ ଫ୍ରାଏ କରନ୍ତୁ । ଅନ୍ୟ ଏକ ପାତ୍ରରେ (ଯେଉଁଥିରେ ବିରିୟାନୀ ବନାଇବେ) ଆଣି ସେଥିରେ ତଳେ ଘିଅ ଲଗାଇ ଉପରେ ଫ୍ରାଏ ହୋଇଥିବା ଚିକେନ୍‌କୁ ସଜେଇ ରଖନ୍ତୁ । ଏହା ଉପରେ ଭଜାଯାଇଥିବା କିଛି ଭଜା ପିଆଜ ରଖନ୍ତୁ। ତା’ପରେ ଅଧା ସିଝିଥିବା ଭାତ ଗୋଟିଏ ସ୍ତର ପକାନ୍ତୁ। ତା’ପରେ କିଛି କଟା ହୋଇଥିବା ପୋଦିନା ଓ ଧନିଆପତ୍ର, ଭଜାଯାଇଥିବା ପିଆଜ, ଘିଅ, କେଓଡା, ଗୋଲାପଜଳ ପକାନ୍ତୁ । ଅନୁରୂପ ସେହିପରି ଭାବେ ଦୁଇସ୍ତର ସଜାନ୍ତୁ । ଶେଷରେ କିଛି କ୍ଷୀରରେ କେଶର, ଅତର, ଗୋଲାପଜଳ ମିଶାଇ ଏହା ଉପରେ ପକାଇ ଦିଅନ୍ତୁ। ବିରିୟାନି ହାଣ୍ଡିର ଧାରରେ ପୂର୍ବରୁ ଚକଟା ହୋଇଥିବା ଅଟା ଦେଇ ଢାଙ୍କୁଣୀକୁ ଭଲ ଭାବେ ଘୋଡ଼ାଇ ଦିଅନ୍ତୁ। ଯେପରିକି ଭିତରୁ ବାଷ୍ପ ବାହାରକୁ ନ ବାହାରି ପାରିବ। ମଧ୍ୟମ ଆଞ୍ଚରେ ପ୍ରାୟ ଅଧ ଘଣ୍ଟା ବସାନ୍ତୁ । ଆପଣ ଚାହିଁଲେ ଏଥିରେ ସିଝାଅଣ୍ଡା ଓ ଭଜାଆଳୁ ମଧ୍ୟ ମିଶାଇ ପାରିବେ । ଅଧ ଘଣ୍ଟା ପରେ ଗ୍ୟାସ ବନ୍ଦ କରି ଢାଙ୍କୁଣି ଖୋଲିଦିଅନ୍ତୁ । ଏବେ ପ୍ରସ୍ତୁ ହୋଇଗଲା ଆପଣଙ୍କ ପସନ୍ଦ ସୁସ୍ଵାଦୁ ଚିକେନ ଦମ ବିରିୟାନୀ । ଏବେ କଚୁମ୍ବର ସହ ଗରମା ଗରମ ପରଶି ଦିଅନ୍ତୁ ଆପଣଙ୍କ ପ୍ରିୟ ଜନଙ୍କୁ ।

Comments are closed.