ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜନ୍ମଗତ ଅଧିକାର ଶେଷ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପ ଏହି ଆଦେଶ ପାଳନ ଲାଗି ୩୦ଦିନ ସମୟ ଦେଇଛନ୍ତି । ଫେବୃଆରୀ ୧୯ରେ ଏହି ସମୟସୀମା ଶେଷ ହେଉଛି । ତେଣୁ ଏହା ପୂର୍ବରୁ ଆମେରିକାରେ ରହୁଥିବା ପ୍ରବାସୀ ତଥା ଶରଣାର୍ଥୀ ମହିଳାମାନେ ପ୍ରସବ ଲାଗି ଚାହୁଁଛନ୍ତି ।
ସମୟ ପୂର୍ବରୁ ସି-ସେକ୍ସନ ବା ସର୍ଜରୀ କରାଇ ଗର୍ଭବତୀ ମହିଳାମାନେ ସେମାନଙ୍କ ପ୍ରସବ କରାଇବାକୁ ଆଗୁଆ ଡାକ୍ତରଖାନାଗୁଡିକରେ ବୁକିଂ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ସେମାନଙ୍କ ଭିତରେ ଅନେକ ଭାରତୀୟ ଅଛନ୍ତି , ଯେଉଁମାନେ ଆଠ/ନଅ ମାସର ଗର୍ଭବତୀ ଅଛନ୍ତି ।
ନ୍ୟୁଜର୍ସିର ଜଣେ ଡାକ୍ତର ଏସଡି ରାମା କହିଛନ୍ତି ଯେ, ତାଙ୍କ ପାଖକୁ ସମୟ ପୂର୍ବରୁ ପ୍ରସବ ପାଇଁ ବୁକିଂ ଲାଗି କଲ୍ ଆସୁଛି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଜଣେ ମହିଳା ଯିଏ ସାତ ମାସର ଗର୍ଭବତୀ ଅଛନ୍ତି ସେ ଶୀଘ୍ର ପ୍ରସବ ପାଇଁ ତାଙ୍କ ସ୍ବାମୀ ସହ ଆସିଥିଲେ । ପ୍ରକୃତରେ ତାଙ୍କର ପ୍ରସବ ସମୟ ହେଲା ମାର୍ଚ୍ଚ ମାସ । ଟେକ୍ସାସର ଜଣେ ସ୍ତ୍ରୀ ବିଶେଷଜ୍ଞ କହିଛନ୍ତି ଯେ, ସମୟ ପୂର୍ବରୁ ପ୍ରସବ ଦ୍ବାରା ଉଭୟ ପିଲା ଓ ମା’ର ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି । ଅପରିପକ୍ବ ଶିଶୁ ଜନ୍ମ ହେବାର ଆଶଙ୍କା ରହିଛି ।
ମାର୍ଚ୍ଚରେ ପ୍ରସବ କରିବାକୁ ଥିବା ଭାରତୀୟ ମୂଳର ପ୍ରିୟା ଏକ ଗଣମାଧ୍ୟମକୁ କହିଛନ୍ତି, “ ଆମର ପିଲା ଏଠାରେ ଜନ୍ମ ହେଲେ ସ୍ଥାୟୀ ଠିକଣା ଏଠାରେ ମିଳିଥାନ୍ତା । ଆମେ ଗତ ଛଅବର୍ଷ ଧରି ଗ୍ରୀନ କାର୍ଡକୁ ଅପେକ୍ଷା କରିଛୁ। କାରଣ ଆମର ଷ୍ଚେବିଲିଟି ସୁନିଶ୍ଚିତ କରିବାର ଏହା ହେଉଛି ଏକମାତ୍ର ଉପାୟ । ଏବେ ଏହି ଅନିଶ୍ଚିତତାକୁ ନେଇ ଆମେ ଚିନ୍ତାରେ। ”
ଅନେକ ଆଶା କରୁଥିଲେ ଯେ ସେମାନଙ୍କର ପିଲାମାନଙ୍କର ଆମେରିକୀୟ ନାଗରିକତା ପାଇଲେ ,ଆମେରିକାରେ ସେମାନଙ୍କ ସ୍ଥାୟୀ ରହିବା ପାଇଁ ବାଟ ଖୋଲିବ ।
Comments are closed.