Latest Odisha News

ବର୍ଷକୁ ୭ଥର ହୁଏ ଗ୍ରହଣ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅତିକମରେ ୨ଟି ଏବଂ ଅତି ବେଶୀରେ ୫ଟି ଗ୍ରହଣ ହୋଇଥାଏ । ତେବେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ପରାଗର ମୋଟ ସଂଖ୍ୟା ସର୍ବାଧିକ ୭ ହେବ । ପୁଣି ସୂର୍ଯ୍ୟ ପରାଗ ଏକା ଆସେନି । ଚନ୍ଦ୍ରଗ୍ରହଣର ୧୫ଦିନ ଆଗରୁ ବା ୧୫ ଦିନ ପରେ ସୂର୍ଯ୍ୟ ପରାଗ ପଡେ । ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ଯୋଡି ହୋଇ ଆସନ୍ତି । ତେବେ ବେଳେ ବେଳେ ୩୦ ଦିନ ଭିତରେ ୩ଟି ଗ୍ରହଣ ଏକାଠି ପଡେ । ଯେମିତି ଗତ ଜୁନ ୫ତାରିଖରେ ଉପଛାୟା ଯୁକ୍ତ ଚନ୍ଦ୍ରଗ୍ରହଣ ପଡିଥିବା ବେଳେ ଜୁନ ୨୧ଚାରିଖରେ ସୂର୍ଯ୍ୟ ପରାଗ ଏବଂ ଆସନ୍ତା ଜୁଲାଇ ୫ତାରିଖରେ ପୁଣି ଏକ ଉପଛାୟା ଯୁକ୍ତ ଚନ୍ଦ୍ରଗ୍ରହଣ ପଡୁଛି ।

ଆମେ ଜାଣିଛେ ଅମାବାସ୍ୟାରେ ସୂର୍ଯ୍ୟ ପରାଗ ଏବଂ ପୂର୍ଣମୀରେ ଚନ୍ଦ୍ରଗ୍ରହଣ ହୁଏ । ତେବେ ସବୁ ଅମାବାସ୍ୟାରେ ସୂର୍ଯ୍ୟ ପରାଗ ହୁଏନି କି ସବୁ ପୂର୍ଣମୀରେ ଚନ୍ଦ୍ରଗ୍ରହଣ ହୁଏନି । କାରଣ ଚନ୍ଦ୍ରର କକ୍ଷ ପଥ ପୃଥିବୀର କକ୍ଷ ପଥ ତୁଳନାରେ ୫ଂ ଢଳି ରହିଛି । ଏହି ଦୁଇ କକ୍ଷ ପଥ ପରସ୍ପରକୁ ଦୁଇଟି ସ୍ଥାନରେ ଛେଦ କରନ୍ତି । ଏହି ଚ୍ଛେଦ ଦୁଇ ବିନ୍ଦୁକୁ ରାହୁ ଏବଂ କେତୁ ବିନ୍ଦୁ କୁହାଯାଏ । ଚନ୍ଦ୍ର ଏହି ଦୁଇରୁ ଯେକୌଣସି ଉପରେ ବା ଅତି ପାଖାପାଖି ରହିଲେ ସୂର୍ଯ୍ୟ ପରାଗ ବା ଚନ୍ଦ୍ରଗ୍ରହଣ ହୁଏ ।

ସର୍ବାଧିକ ୭.୫ ମିନିଟ ସଂପୂର୍ଣ ଅନ୍ଧାର

ପୂର୍ଣ ବା ବଳୟ ପରାଗର ଅବଧି ନିର୍ଭର କରେ ସୂର୍ଯ୍ୟ ଏବଂ ଚନ୍ଦ୍ରର ପ୍ରତୀତ ଆକାର ଉପରେ ଅର୍ଥାତ ପୃଥିବୀଠାରୁ କେତେ ଦୂରରେ ଏବଂ କେଉଁ ସ୍ଥାନରେ ଅଛନ୍ତି । ପୂର୍ଣ ପରାଗର ଅବଧି ମାତ୍ର କିଛି ସେକେଣ୍ଡରୁ ଆରମ୍ଭ କରି ସର୍ବାଧିକ ସାଢେ ୭ ମିନିଟ ଯାଏଁ ହୋଇପାରେ । ସର୍ବାଧିକ ସମୟ ପୂର୍ଣ ପରାଗ ପାଇଁ ପୃଥିବୀ ସୂର୍ଯ୍ୟଠାରୁ ସର୍ବାଧିକ ଦୂରତାରେ ଥିବ ଏବଂ ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ଥିବ । ଜୁଲାଇ ମାସରେ ପଡୁଥିବା ସୂର୍ଯ୍ୟ ପରାଗ ହିଁ ସର୍ବାଧିକ ଅବଧିର ହୋଇଥାଏ । ସେହିପରି ବଳୟ ପରାଗର ଅବଧି ସର୍ବାଧିକ ୧୨ମିନିଟ ହୋଇଥାଏ । ସର୍ବାଧିକ ଅବଧିର ବଳୟ ପରାଗ ଲାଗି ପୃଥିବୀ ସୂର‌୍ୟ୍ୟଙ୍କ ସବୁଠୁ ପାଖରେ ଥିବ ଏବଂ ଚନ୍ଦ୍ର ସବୁଠୁ ଦୂରରେ ଥିବ । ଏପରି ସ୍ଥିତି ଡିସେମ୍ବରରେ ଆସେ ।

ପରାଗରୁ ଜଣାପଡିଲା ପୃଥିବୀ ଗୋଲ

କାହିଁ କେଉ କାଳରୁ ମଣିଷ ମୁଣ୍ଡ ଉପରେ ଆକାଶରେ ଘଟୁଥିବା ସୂର୍ଯ୍ୟ ପରାଗର ଛାଇ ଆଲୁଅ ଖେଳକୁ ଦେଖି ଆସୁଛି । ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣର ଅନୁଧ୍ୟାନରୁ ଜଣାପଡିଲା ଯେ ପୃଥିବୀ ଏବଂ ଚନ୍ଦ୍ର ଗୋଲ । ଇତିହାସରେ ଲିପିବଦ୍ଧ ଥିବା ଅନେକ ଗ୍ରହଣରୁ ଅତୀତର ଅନେକ ଘଟଣା ସଂପର୍କରେ ଅନେକ ତଥ୍ୟ ମଧ୍ୟ ମିଳିଥାଏ । ସପ୍ତଦଶ ଶତାବ୍ଦୀ ଯାଏଁ ସୂର‌୍ୟ୍ୟ ପରାଗକୁ ଖାଲି ଆଖିରେ ଦେଖି ତଥ୍ୟ ସଂଗ୍ରହ କରିବାକୁ ପଡୁଥିଲା । ଏହାପରେ ଟେଲିସ୍କୋପ ଏବଂ ଅନ୍ୟ ଆଧୁନିକ ଯନ୍ତ୍ରପାତିର ଉଦ୍ଭାବନ ଫଳରେ ସୂର‌୍ୟ୍ୟର ବାହ୍ୟ ଅଂଶ ଏବଂ ଆଭ୍ୟନ୍ତରୀଣ ଗଠନ ସଂପର୍କରେ ଅଧିକ ଜଣା ପଡିଲା । ଏବେ ବିଜ୍ଞାନର ଅଗ୍ରଗତି ସୂର୍ଯ୍ୟ ସଂପର୍କିତ କୌଣସି ପରୀକ୍ଷା କରିବା ଲାଗି ସୂର୍ଯ୍ୟ ପରାଗକୁ ଅପେକ୍ଷା କରିବାକୁ ପଡୁନି ।

Leave A Reply

Your email address will not be published.