Latest Odisha News

BREAKING NEWS

ପାହାଡର ଆକାର କାହିଁକି ତିନିକୋଣିଆ

ତିନିକୋଣିଆର ତାକତ

କେବେ ଭାବିଛ ପାହାଡ, ପର୍ବତଠାରୁ ଆରମ୍ଭ କରି ଘର ସବୁ କାହିଁକି ତିନିକୋଣିଆ, ବ୍ରିଜ ତଳେ ଲାଗିଥିବା ଲୁହା ଫ୍ରେମ୍ ସବୁ କାହଁକି ତିନିକୋଣିଆ ଆକାରର ସଜ୍ଜା ହୋଇଥାନ୍ତି, ପୁଣି ବଡ ବଡ ଇଲେକ୍ଟ୍ରିକ୍ ଖୁଂଟି ସବୁ କାହିଁକି ତିନିକୋଣିଆ ଆକାରର ହୋଇଥାଏ । କେବଳ ସେତିକି ନୁହେଁ ଢେଉ ଢେଉ ଆକାରାର ଆଜବେଷ୍ଟସ୍ ସବୁ ଦେଖିଲେ ବି ଏଥିରେ ଥିବା ତିନିକୋଣିଆ ଆକାର ଦେଖିହେବ । ଆମ ଚାରିପାଖେ ଥିବା ଏମିତି ଅନେକ ନିର୍ମାଣରେ ତିନିକୋଣିଆ ଆକାର ବ୍ୟବହାର ହୋଇଥିବା ଦେଖିିବାକୁ ମିଳିବ ।

ଏହାକୁ ବୁଝିବା ଲାଗି ଆକାରର ଇଞ୍ଜିନିୟରିଂ ବୁଝିବାକୁ ପଡିବ । ପରୀକ୍ଷା କରି ଦେଖିବା କେଉଁ ଆକାର ସବୁଠୁ ଶକ୍ତ ।

କେମିତି କରିବା ପରୀକ୍ଷା

ଏଥିପାଇଁ ଦରକାର ଦୁଇ ଖଣ୍ଡ ସମାନ ମୋଟା ବହି, ଗୋଟିଏ କାଗଜ, ୧୦ଟି ପେନସିଲ୍‌

୧- ସମାନ ମୋଟା ବହି ଦୁଇଟିକୁ ୧୫ସେମି ଛାଡି ରଖ ।


୨- କାଗଜକୁ ବ୍ରିଜ୍ ଭଳି ଦୁଇ ବହି ଉପରେ ରଖ ।


୩- କାଗଜ ମଝିରେ କିଛି ପେନସିଲ୍ ରଖ, ଦେଖ ତାହା ଝୁଲି ପଡିବା ଯାଏଁ କେତେ ଓଜନ ସମ୍ଭାଳୁଛି ।


୪- ଏବେ କାଗଜକୁ ଚିତ୍ରରେ ଦେଖାଯାଇଥିବା ଭଳି ଭାଙ୍ଗି ଦିଅ । ଏଥିରେ ଅନେକ ତିନିକୋଣିଆ ଆକାର ରିହଛି ।
୫- ଢେଉ ଢେଉ ଆକାରର କାଗଜକୁ ଏବେ ପୁଣି ଥରେ ଦୁଇ ବହି ଉପରେ ରଖ
୬- ତିନିକୋଣିଆ ଆକାରର ଭଙ୍ଗା ଯାଇଥିବା କାଗଜ ଉପରେ ଏବେ ଗୋଟିଏ ପରେ ଗୋଟିଏ ପେନସିଲ ରଖ । ଦେଖ ଏହା କେତେ ଓଜନ ସମ୍ଭାଳୁଛି ।

ଖାଲି କାଗଜ ଅତିବେଶୀରେ ଗୋଟିଏ ଛୋଟ ସ୍କେଚ୍ ପେନ୍ ସମ୍ଭାଳୁଛି । କିନ୍ତୁ ସେହି କାଗଜକୁ ତିନିକୋଣିଆ ଢେଉ ଆକାରର ଭାଙ୍ଗି ଦେଲେ ତାହା ଆରାମରେ ୬ଟି ବଡ ପେନସିଲ୍ ଓଜନ ସମ୍ଭାଳୁଛି ।

ତିନିକୋଣିଆ ପଛର ବିଜ୍ଞାନ
କେବଳ ବଡ ଇଞ୍ଜିନିୟରିଂ ନିର୍ମାଣ ନୁହେଁ, ତିନିକୋଣିଆ ଆକାରର ଏହି ଗୁଣକୁ ସବୁଠି ବ୍ୟବହାର କରାଯାଏ । ଯେମିତିକି ପ୍ୟାକିଂ ପାଇଁ ବ୍ୟବହାର ହେଉଥିବା କାଗଜ ପେଟି ସବୁ କୋରୁଗେଟେଡ୍ ବା ଢେଉ ଢେଉ ଆକାର କାଗଜରୁ ତିଆରି ହୋଇଥାଏ ।

ତିନିକୋଣିଆ ଆକାର ସବୁଠୁ ଶକ୍ତ ହେବାର ବିଜ୍ଞାନ ହେଉଛି, ଏଥିରେ ଥିବା ପ୍ରତିଟି ତ୍ରିଭୂଜର ଶୀର୍ଷ ବିନ୍ଦୁରେ ପଡୁଥିବା ବଳ ତାର ଭୂମି ଉପରେ ବିଛେଇ ହୋଇଯାଏ । ତେଣୁ ଏହା ଅଧିକ ଓଜନ ସମ୍ଭାଳିଥାଏ ।

ତୁମ ପାଇଁ କାମ
ଏକା ଆକାରର ୩ଖଣ୍ଡ କାଗଜ ନିଅ । ଗୋଟିକୁ ଗୋଲିଆ, ଗୋଟିକୁ ଚାରିକୋଣିଆ ଏବଂ ଅନ୍ୟଟିକୁ ତିନିକୋଣିଆ ଭାଙ୍ଗି ୩ଟି ସିଲିଣ୍ଡର ଆକୃତି ତିଆରି କର । ପ୍ରତି ଆକାର ଉପରେ ଓଜନ ରଖ । ଦେଖ କିଏ ବେଶୀ ଓଜନ ସମ୍ଭାଳୁଛି ।

Leave A Reply

Your email address will not be published.