Latest Odisha News

BREAKING NEWS

ବିଡିଓ ଝିଅକୁ ମାଡ ମାରିବା ଅଭିଯୋଗରେ ବାପା ଗିରଫ, ଭାଇ ଫେରାର

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ମହିଳା ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ପଲ୍ଲବୀ ରାଣୀ ରାଜ ଗତ ଦୁଇ ସପ୍ତାହ ଧରି ଚର୍ଚ୍ଚାରେ ରହିଛନ୍ତି। ସେ ଜନତା ଓ ଜନପ୍ରତିନିଧିଙ୍କ ଆକ୍ରୋଶର ଶିକାର ହୋଇଆସୁଥିବା ବେଳେ ଏବେ ତାଙ୍କୁ ତାଙ୍କ ବାପା ଓ ଭାଇ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହା ପରେ ଓଏଏସ ଅଫିସର ଜଣଙ୍କ ତାଙ୍କ ବାପା ଓ ଭାଇଙ୍କ ନାଁରେ କୋଇଡା ଥାନାରେ ଏତଲା ଦେଇଛନ୍ତି । ତାଙ୍କ ବାପା ରମେଶ ଚନ୍ଦ୍ର ରାଜ ଓ ଭାଇ ସଂଗ୍ରାମ କୁମାର ସରକାରୀ ବାସଭବନ ଭିତରେ ପଶି ମାଡ ମାରିଥିବା ଅଭିଯୋଗ କରିଛନ୍ତି ବିଡିଓ।

କୋଇଡ଼ା ଥାନାରେ ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ମଙ୍ଗଳବାର ରାତିରେ ତାଙ୍କ ବାପା ଓ ଭାଇ ତାଙ୍କ ସରକାରୀ ବାସଭବନରେ ପଶି ଆସିଥିଲେ। ତାଙ୍କ ଭାଇ ଜଣେ ଠିକାଦାର । ଉଭୟଙ୍କ ମଧ୍ୟରେ ବକେୟା ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ତାଙ୍କ ବାପା ଓ ଭାଇ ତାଙ୍କୁ ମାଡ ମାରିଥିଲେ ବୋଲି ବିଡିଓ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏହି ସମୟରେ ପାଟିତୁଣ୍ଡ ଶୁଣି ବିଡିଓଙ୍କ ପାଖ ବାସଭବନ ପାଖରେ ରହୁଥିବା ସରକାରୀ ଇଞ୍ଜିନିୟର ଅଭିଷେକ ପାଣିଗ୍ରାହୀ ଆସିଥିଲେ । ହେଲେ ବିଡିଓଙ୍କ ବାପା ଓ ଭାଇ ତାଙ୍କୁ ମଧ୍ୟ ଉତ୍ତମ ମଧ୍ୟମ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏତଲା ପରେ ପୁଲିସ ଏବେ ବିଡିଓଙ୍କ ବାପାଙ୍କୁ ଗିରଫ କରିଛି। ହେଲେ ବିଡିଓଙ୍କ ବାପା ଓ ଭାଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତାଙ୍କ ଭାଇ ଗିରଫ ଭୟରେ ଫେରାର ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ବିଡିଓଙ୍କ ବିରୋଧରେ ଦୁର୍ନୀତି ଓ ପରିବାରବାଦରେ ସମ୍ପୃକ୍ତି ଅଭିଯୋଗ କରି ତାଙ୍କ ବଦଳି ଦାବି କରିଆସୁଥିଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)। ସେହିପରି ଦଳୀୟ ସମର୍ଥକମାନେ ସେମାନଙ୍କ ଦାବି ପୂରଣ ପାଇଁ ଗତ ସପ୍ତାହରେ ସକାଳ ୬ଟାରୁ ରାତି ୧୨ଟା ଯାଏ ୬ ଘଣ୍ଟିଆ ବନ୍ଦ ପାଳନ କରିଥିଲେ। ଉତ୍ତ୍ୟକ୍ତ ଲୋକେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିଥିଲେ। ଉନ୍ନୟନ ମୂଳକ ପାଣ୍ଠିର ସଠିକ୍ ବିନିଯୋଗ ଓ ଜନପ୍ରତିନିଧିଙ୍କ ପ୍ରତି ବିଶୃଙ୍ଖଳିତ ବ୍ୟବହାର ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କରିଛନ୍ତି। ପୂର୍ବରୁ କଂଗ୍ରେସ ଓ ବିଜେପି ମଧ୍ୟ କୋଇଡା ବିଡିଓଙ୍କ ବଦଳି ଦାବି କରିଥିଲେ।

Leave A Reply

Your email address will not be published.