Latest Odisha News

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କଫୋର୍ସରେ ସାମିଲ ହେଲେ ଦୁଇ ନୂଆ ସଦସ୍ୟ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ଗଠିତ ଟାସ୍କଫୋର୍ସରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଏବଂ ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗୋଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କ ଫୋର୍ସରେ ଅନ୍ୟ ୯ ଜଣ ସଦସ୍ୟ ଅଛନ୍ତି ଏବଂ ୩ ଜଣ ଏକ୍ସ-ଅଫିସିଓ ସଦସ୍ୟ ଅଛନ୍ତି। ଏହି ଦୁଇ ନୂଆ ସଦସ୍ୟଙ୍କ ସହିତ ଏହି ଟାସ୍କ ଫୋର୍ସରେ ବର୍ତ୍ତମାନ ୧୧ ଜଣ ସଦସ୍ୟ ହୋଇଛନ୍ତି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି। ଏଥିରେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଗୋକୁଳାନନ୍ଦ ମଲ୍ଲିକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଓ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ସଦସ୍ୟ ଭାବେ ରଖାଯାଇଛି।

ଏହା ସହିତ ଏହି ଟାସ୍କ ଫୋର୍ସରେ ୩ ଜଣ ଏକ୍ସ-ଅଫିସିଓ ମେମ୍ବର ମଧ୍ୟ ରହିଛନ୍ତି। ସେମାନେ ହେଉଛନ୍ତି- ଦକ୍ଷିଣାଞ୍ଚଳ ଆରଡିସି, କେନ୍ଦ୍ରାଞ୍ଚଳ ଆରଡିସି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଏହାର ସଦସ୍ୟ ଆବାହକ ଅଛନ୍ତି।

Comments are closed.