Latest Odisha News

BREAKING NEWS

ପବିତ୍ର କୁମାର ପୁର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାରେ ସାରା ଓଡିଶା ଉତ୍ସବମୁଖର

ଭୁବନେଶ୍ୱର : ଆଜି ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର କୁମାର ପୁର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା । ଲୋକକଥାନୁଯାୟୀ ଓଡିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ ।

ଏହି କୁମାର ପୂର୍ଣ୍ଣିମା ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ଲାଗିରହିଛି । କୁମାରୀମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ ହୋଇଥାଏ ।

ଆଜିର ଦିନରେ ବଡିଭୋରରୁ ଉଠି କୁମାରୀମାନେ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି ପ୍ରସ୍ତୁତ ହୋଇପଡନ୍ତି ସକାଳର ପୂଜାରେ (ଆଞ୍ଜୁଳି ଟେକା) । ଗୁଆ, ଖଇ, ଫଳ ଓ ଫୁଲର ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତି । ସନ୍ଧ୍ୟାହେଲା ମାତ୍ରେ ଚାଉଳ, କଦଳୀ, ଗୁଡ ପରି ବିଭିନ୍ନ ଦ୍ରବ୍ୟର ସମ୍ମିଶ୍ରଣରେ ଚଉଁରା ମୂଳରେ ଜହ୍ନ ତିଆରି କରି ଚନ୍ଦ୍ର ପୂଜା କରିଥାନ୍ତି ।

‘ଜହ୍ନି ଫୁଲ ଠୋଠା, କାକୁଡି ଫୁଲ ଠୋଠା… ଗୁଣ୍ଡୁଚି ମୁଷା କହିଯାଇଛି ଚାଉଳ ମୁଠେ ଥୋଇଥା’ ଆଦି ଗୀତ ସହ ହୁଳହୁଳି ଶବ୍ଦରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠେ । ଚଉଁରା ମୂଳରେ ବନ୍ଦାପନା କରି ପୂଜା ଶେଷ ହେବାପରେ କୁମାରୀମାନେ ଚାନ୍ଦ ଭୋଗ ଖାଆନ୍ତି ।

ଏହି କୁମାର ପୁର୍ଣ୍ଣିମା ଅବସରରେ ଗାଁ ଗହଳୀରେ ସାରା ରାତି ପୁଚି ଖେଳ, ପଶାଖେଳ, କବାଡି ଆଦିର ଆସର ଜମିଥାଏ । କିମ୍ବଦନ୍ତୀ ଅନୁଯାୟୀ କୁମାରୀ ମାନେ ଏହି ପୂଜା କରି କାର୍ତ୍ତିକେୟଙ୍କ ପରି ସୁନ୍ଦର ବର ପାଇଥାନ୍ତି ।

ସେହିପରି ଏହି ଦିନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ପ୍ରତି ଗାଁ ଓ ସହରରେ ବଡବଡ ଧୂମଧାମରେ ପାଳନ କରାଯାଏ । ମା’ ଲକ୍ଷ୍ମୀ ହେଉଛନ୍ତି ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ । ଆହୁରି ମଧ୍ୟ ଲୋକକଥାନୁଯାୟୀ ରାତି ଉଜାଗର ରହି ମା’ଙ୍କ ଉପାସନା କଲେ ମାଙ୍କ ଆର୍ଶିବାଦ ମିଳିବା ସଙ୍ଗେସଙ୍ଗେ ବିଭିନ୍ନ ରୋଗ ଅଭାବ ଓ ଶୋକ ଦୂର ହେଉଥିବାର ବିଶ୍ୱାସ ରହିଛି ।

ଏଥିସହିତ ଢେଙ୍କାନାଳ ଓ କେନ୍ଦ୍ରାପଡା ସହରରେ ବଡ ଧୂମଧାମରେ ଗଜଲକ୍ଷ୍ମୀ ପୂଜା କରାଯାଉଥିବାର ନଜର ମଧ୍ୟ ରହିଛି ।

Leave A Reply

Your email address will not be published.