Latest Odisha News

ମହିଳା ଆଇନଜୀବୀ ମୃତ୍ୟୁ ଘଟଣା: ସନ୍ଦେହ ଘେରରେ ପୁରୁଷ ବନ୍ଧୁ

ଭୁବନେଶ୍ବର: ଭୁବନେଶ୍ବରର ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀସ୍ଥିତ ଏକ ଘର ମଧ୍ୟରୁ ଶନିବାର ଦିନ ଜଣେ ମହିଳା ଆଇନଜୀବୀଙ୍କ ମୃତଦେହ ମିଳିବା ଘଟଣା ଏକ ନୂଆ ମୋଡ ନେଇଛି । କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଇନଜୀବୀ ଦୀପାଳି ପ୍ରିୟଦର୍ଶୀନୀ ଜେନାଙ୍କ ପୁରୁଷ ବନ୍ଧୁଙ୍କୁ ଖୋଜୁଛି ।

ପୋଲିସ ପକ୍ଷରୁ ଜାରି ସୂଚନାନୁଯାୟୀ ମୃତକ ଜଣକ ଭୁବନେଶ୍ୱର କୋର୍ଟରେ ଓକିଲାତି ପ୍ରାକ୍ଟିସ୍ କରୁଥିଲେ ଏବଂ ତାଙ୍କ ପୈତୃକ ଘର ହେଉଛି ଭଦ୍ରକ ଜିଲ୍ଲାର ବାସୁଦେଇପୁର ଗ୍ରାମ । ସେ ନିଜ ମା’ ଓ ଭଉଣୀ ଶେଫାଳୀ ସହ ଗତ ୩ ମାସ ତଳେ ଧଉଳି ଅଞ୍ଚଳରେ ଏକ ଘର ଭଡା ନେଇ ରହିଆସୁଥିଲେ ।

ସେହିପରି ଦୀପାଳିଙ୍କ ବାହାଘର ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ବାଲୁଖଣ୍ଡ ଗ୍ରାମର ବିକ୍ରମ କେଶରୀ ମିଶ୍ରଙ୍କ ସହ ସ୍ଥିର ହୋଇଥିଲା । ବାହାଘର ସ୍ଥିର ହେବାପରେ ବିକ୍ରମ ବିଭିନ୍ନ ସମୟରେ ଦୀପାଳିଙ୍କ ଭଡାଘରକୁ ଯିବାଆସିବା କରୁଥିଲା ।

ଗତ କିଛିଦିନ ତଳେ ଦୀପାଳିଙ୍କ ମା’ ଘରକୁ ଯାଇଥିଲେ । ତେବେ ଶନିବାର ଦିନ ଭଉଣୀ ଶେଫାଳି ମଧ୍ୟ ସାଙ୍ଗ ଘରକୁ ଯାଇଥିବା ବେଳେ ପ୍ରାୟ ରାତି ୧୨ଟା ୩୦ମି. ଓମୟରେ ବିକ୍ରମ ଶେଫାଳିଙ୍କୁ ଫୋନ୍ କରି କହିଥିଲେ ଯେ, ତୁମ ଭଉଣୀ ଭିତର ପଟୁ କବାଟ ଦେଇଦେଇଛି ଓ ଯେତେ ଡାକିଲେ ମଧ୍ୟ କୌଣସି ଜବାବ ଦେଉନାହିଁ ।

ଏଭଳି ଖବର ଶୁଣି ଶେଫାଳି ନିଜ ସାଙ୍ଗମାନଙ୍କ ସହ ଆସି ଇନ୍ଦିର କଲୋନୀ ସ୍ଥିତ ଘରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲା । ପରେ ସୂଚନା ପାଇ ଧଉଳି ପୋଲିସ ଘଟଣାସ୍ତଳରେ ପହଞ୍ଚି ଘରର କବାଟ ଭାଙ୍ଗି ଘରେ ପଶିବା ପରେ ଦୀପାଳିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏପରିକି ସେ କେବଳ ଅନ୍ତଃବସ୍ତ୍ର ପିନ୍ଧିଥିବା ବେଳ ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଥିଲା । ମୃତଦେହ ନିକଟରୁ ୨ଟି ମୋବାଇଲ୍ ଫୋନ୍, ଅଧାପୋଡା ସିଗାରେଟ୍ ଓ ମଦ ବୋତଲ ମଧ୍ୟ ଜବତ କରିଥିଲା ପୋଲିସ ।

ତଦନ୍ତ ସମୟରେ ମୃତଦେହର ପାଦ ଦୁଇଟି ଚଟାଣରେ ଲାଗିଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆମେମାନେ ଅପେକ୍ଷା କରିଛୁ ବୋଲି ଧଉଳି ଥାନାର ଆଇଆଇସି ଜୟଦେବ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଉକ୍ତ ଘରେ ବିକ୍ରମ ଏକାକୀ ଥିଲେ ନା ତାଙ୍କ ସହିତ ଆଉ କେହି ଥିଲେ ବୋଲି ପ୍ରଶ୍ନର ଉତ୍ତରରେ ଆଇଆଇସି କହିଛନ୍ତି, “ଆମେ ବିକ୍ରମ ସହ ଯୋଗାଯୋଗ କରିବା ଲାଗି ଚେଷ୍ଟା କରୁଛୁ । କିନ୍ତୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଅଛି ଏବଂ ତାଙ୍କୁ ଗିରଫ ପରେ କିଛି ତଥ୍ୟ ମିଳିପାରିବ । ଏହାବ୍ୟତିତ ଜବତ ହୋଇଥିବା ୨ଟି ଫୋନର କଲ୍ ଡିଟେଲ୍ସ ମଧ୍ୟ ଯାଞ୍ଚ କରାଯାଉଛି” ।

Leave A Reply

Your email address will not be published.