Latest Odisha News

BREAKING NEWS

ଜୁନାଗଡ଼ର ଇଷ୍ଟଦେବୀ ମା’ ଲଙ୍କେଶ୍ଵରୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ୱର: କେଉଁ ଆବାହମାନ କାଳରୁ ପ୍ରକୃତିର ନୈସର୍ଗିକ ସ୍ପର୍ଶରେ ସବୁଜିମା ବଣ ପାହାଡ଼, ନଦନଦୀର ଜୀବନ୍ତ ପରିବେଶରେ ସ୍ଥିତପ୍ରଜ୍ଞ ଭାବେ ଜୁନାଗଡ଼ ସହର ଇତିହାସର ମୂକସାକ୍ଷୀ ରୂପେ ସଂସ୍କୃତି, ଐତିହ୍ୟର କାହାଣୀକୁ ଅନବରତ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ବଖାଣି ଚାଲିଛି । ନିଜର ପ୍ରଶସ୍ତ ହୃଦୟରେ ‘ଛଅ କୋଡ଼ି ବନ୍ଧ, ନଅ କୋଡ଼ି ତୋଟା’ ବହନ କରିଛି ।

କୁଳୁକୁଳୁ ନାଦିନୀ ହାତୀନଦୀ ମନ୍ଦିର ମାଳିନୀ ଜୁନାଗଡ଼ର ପଦଧୌତ କରି ଅତୀତର ଲହୁଲୁହାଣ ଇତିହାସର ଅବ୍ୟକ୍ତ କୋହ ତା’ର ବୁକୁ ତଳେ ଚାପି ରଖୁଛି । କଳାହାଣ୍ଡିର ୧୮ଟି ଗଡ଼ ମଧ୍ୟରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ଜୁନାଗଡ଼ ସମଗ୍ର ଦକ୍ଷିଣ କୋଶଳରେ ଜେନାବଳିଗଡ଼ ନାମରେ ସୁପରିଚିତ ଥିଲା । ତା’ର ରକ୍ଷାକାରିଣୀ ମା’ ଲଙ୍କେଶ୍ଵରୀ ସେହି ଅନାଦି କାଳରୁ ଜୁନାଗଡ଼ର ଇଷ୍ଟଦେବୀ ଭାବରେ ପୂଜା ପାଇ ଆସୁଛନ୍ତି । ବିଭିନ୍ନ କିମ୍ବଦନ୍ତୀର ଭିତ୍ତିଭୂମିକୁ ନେଇ ଜଣାପଡ଼େ ଯେ, ରାଜା କୌଣସି ରାଜ୍ୟ ଜୟ କରି ସେହି ପରାଜିତ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀଙ୍କୁ ଆଣି ନିଜ ରାଜ୍ୟରେ ପ୍ରତିଷ୍ଠିତ କରାଇ ପୂଜା ଆରାଧନା କରିଥାନ୍ତି ।

ଦକ୍ଷିଣର ଜନୈକ ରାଜା ଲଙ୍କାଗଡ଼ ବିଜୟ କରି ଲଙ୍କାର ଦେବୀ ଲଙ୍କେଶ୍ଵରୀଙ୍କୁ ଜୁନାଗଡ଼ଠାରେ ସ୍ଥାପିତ କରାଇଥିଲେ । ରାଜାଙ୍କ ସହିତ ଲଙ୍କାର ଅନୁଚର ମାନେ ମଧ୍ୟ ଏହି ଜୁନାଗଡ଼ରେ ଅବସ୍ଥାପିତ ହୋଇ ବଙ୍କାନାମରେ ନାମିତ ହେଲେ । ମୁଖ୍ୟତଃ ବଙ୍କାମାନେ ଥିଲେ ଏକ ଦୁର୍ଘର୍ଷ, ପରାକ୍ରମୀ ଯୁଦ୍ଧଖୋର ଜାତି । କଳାହାଣ୍ଡି ବ୍ୟତୀତ ଏହି ଜାତିର ଅବାସୀମାନେ ଅନ୍ୟତ୍ର ଦୃଷ୍ଟିଗୋଚର ହୁଅନ୍ତି ନାହିଁ ।

ବଙ୍କା ରାଜପୁତମାନେ ସେହି ସମୟରୁ ଜୁନାଗଡ଼ରେ ଲଙ୍କେଶ୍ଵରୀଙ୍କୁ ରାଜଦେବୀ ଭାବରେ ପୂଜା କରି ଆସୁଛନ୍ତି । ବିଜୟର ସ୍ମାରକୀ ସ୍ଵରୂପ ଦେବୀଙ୍କ ଦୁଇପାର୍ଶ୍ୱରେ ଥିବା ଦୁଇଟି ଖଣ୍ଡା ଏହାର ଦ୍ୟୋତକ ଅଟେ । ସେ ହେଉଛନ୍ତି ଶକ୍ତିର ଉତ୍ସ, ପାପର ସଂହାରକାରିଣୀ ଓ ଧର୍ମର ସଂସ୍ଥାପନକାରିଣୀ ‘ଜୟ ମା’ ଲଙ୍କେଶ୍ଵରୀ’ ଉଦଘୋଷରେ ସେ ଥିଲେ ଶକ୍ତିର ଏକ ପ୍ରବାହିତ ତରଙ୍ଗ ଓ ସୈନିକଙ୍କ ପ୍ରାଣର ପ୍ରମୁଖ କେନ୍ଦ୍ରବିନ୍ଦୁ । ଏଣୁ ଦେବୀଙ୍କ ସୁପରିଚିତ ବିଜୟ ପର୍ବର ଉତ୍ସାହ, ଉଦ୍ଦୀପନା ଭରା ଚେତନାର ଉତ୍ସବ ମୁଖର ‘ଖଣ୍ଡାବସା’ ପର୍ବ ବୋଲି ଅନୁମିତ ହୁଏ ।

ଅତୀତର ପୃଷ୍ଠା ଅବଲୋକନ କଲେ ଅନେକ ଗୁଢ଼ ରହସ୍ୟ ଉଦ୍‌ଘାଟିତ ହୋଇପାରିବ । ଅତୀତରେ ଜୁନାଗଡ଼ ଜେନାବଳିଗଡ଼ ନାମରେ ସମଗ୍ର ମହାକାନ୍ତାରରେ ପଶ୍ଚିମ ଲଙ୍କା ନାମରେ ବିଦିତ ଥିଲା । ଏହାର ଚତୁଃପାର୍ଶ୍ଵରେ ବର୍ତ୍ତମାନ ସୁଦ୍ଧା ଗଡ଼ଖାଇର କେତେକ ଅଂଶ ପରିବେଷ୍ଟନୀ ହୋଇଥିବାର ଦୃଷ୍ଟାନ୍ତ ଦେଖାଯାଏ ।

ତେଣୁ ଏହା ଜୁନା ବା ପୁରୁଣାଗଡ଼ ଭାବରେ ନାମିତ ହୋଇଥିବାର ଅନୁମେୟ କରାଯାଏ । ମହାକାନ୍ତାରର ଇନ୍ଦ୍ରାବତୀ ଉପତ୍ୟକା ଓ ବସ୍ତର (ମଧ୍ୟପ୍ରଦେଶ) ଅଞ୍ଚଳକୁ ନେଇ ବଜ୍ରକୋଟ ମଣ୍ଡଳ ଭାବେ ବେଶ୍ ଜଣାଶୁଣା ଥିଲା । କାଲାଚୁରୀ, ସୋମବଂଶୀ, ଗଙ୍ଗବଂଶୀ ପରେ ନାଗବଂଶୀମାନେ କ୍ରମଶଃ ବିହାରର ମାଳଭୂମି ଛୋଟନାଗପୁରରୁ ଆସି ଏହି ଗଡ଼ରେ ରାଜୁତି କରିଥିବାର ନଜିର ମିଳେ ।

Leave A Reply

Your email address will not be published.