Latest Odisha News

BREAKING NEWS

ଓଡ଼ିଶାର କେଉଁଠି, କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ତେବେ ଚନ୍ଦ୍ର ଗ୍ରହଣ ଜହ୍ନ ଉଦୟ ପୂର୍ବରୁ ସଂଗଠିତ ହେଉଥିବାରୁ ସବୁ ସ୍ଥାନରେ ଦେଖାଯିବ ନାହିଁ । କିନ୍ତୁ ଚନ୍ଦ୍ର ଗ୍ରହଣ ଛାଡ଼ିବା ଦୃଶ୍ୟ ଦେଖାଯିବ । ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ଦିନ ୨ଟା ୩୯ରେ ଆରମ୍ଭ ହେବ । ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦିନ ୩ଟା ୪୬ରେ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୧୨ରେ ସରିବ । ସେହିଭଳି ଆଂଶିକ ଚନ୍ଦ୍ର ଗ୍ରହଣ ୬ଟା ୧୯ରେ ସରିବ ।

ଏହା ପରେ ୨୦୨୩ ଅକ୍ଟୋବର ୨୮ରେ ଆଂଶିକ ଚନ୍ଦ୍ର ଗ୍ରହଣ ହେବ । ଏହା ପୂର୍ବରୁ ୨୦୨୧ ନଭେମ୍ବର ୧୯ରେ ଆଂଶିକ ଚନ୍ଦ୍ର ଗ୍ରହଣ ହୋଇଥିଲା । ପୂର୍ଣ୍ଣମୀ ଦିନ ଚନ୍ଦ୍ର ଗ୍ରହଣ ହୁଏ । ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଝିକୁ ପୃଥିବୀ ଚାଲି ଆସି ଗୋଟିଏ ସରଳରେଖାରେ ରୁହେ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଭୁବନେଶ୍ୱରରେ ସନ୍ଧ୍ୟା ୫ଟା ୬ରେ ଜହ୍ନ ଉଇଁବ । ସେହିଭଳି କଟକରେ ୫ଟା ୫, ପୁରୀରେ ୫ଟା ୭, ସମ୍ବଲପୁରରେ ୫ଟା ୧୨ ଓ କୋରାପୁଟରେ ୫ଟା ୨୧ରେ ଜହ୍ନ ଉଇଁବ ଏବଂ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।

ଭୁବନେଶ୍ୱରରେ ୫ଟା ୧୦ରୁ ୭ଟା ୨୫ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ସାରା ରାଜ୍ୟରେ ୨ରୁ ୩ ମିନିଟ୍ ବ୍ୟବଧ୍ୟାନରେ ଚନ୍ଦ୍ର ଗ୍ରହଣ ଦେଖାଯିବ । ଚନ୍ଦ୍ର ଗ୍ରହଣ ଭୁବନେଶ୍ୱରରେ ୧ ଘଣ୍ଟା ୧୩ ମିନିଟ୍ ଧରି ଦୃଶ୍ୟମାନ ହେବ । ସେହିଭଳି କଟକରେ ୧ ଘଣ୍ଟା ୧୪ ମିନିଟ୍, କୋରାପୁଟରେ ୫୮ ମିନିଟ୍, ପୁରୀରେ ୧ ଘଣ୍ଟା ୧୨ ମିନିଟ୍ ଓ ସମ୍ବଲପୁରରେ ୧ ଘଣ୍ଟା ୭ ମିନିଟ୍ ଧରି ଦୃଶ୍ୟମାନ ହେବ ।

Leave A Reply

Your email address will not be published.