Latest Odisha News

BREAKING NEWS

ରାଜଧାନୀରେ ବିଳମ୍ବିତ ରାତିରେ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ୩ ଦୋକାନ

ଭୁବନେଶ୍ୱର: ରାତି ପ୍ରାୟ ସାଢ଼େ ୧୨ଟା ବେଳେ ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇବା ବେଳେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥାନୟୀ ଲୋକେ ଉତ୍ତେଜିତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଜିଜିପି କଲୋନିରୁ ପାଣ୍ଡରା ଛକକୁ ସଂଯୋଗ କରୁଥିବା ରାସ୍ତା‌ର ଶେଷମୁଣ୍ଡରେ ଥିବା ଫାଷ୍ଟଫୁଡ୍‌ ସେଣ୍ଟରରେ କୌଣସି କାରଣରୁ ନିଆଁ ଲାଗିଥିଲା। ଏତିକିବେଳେ ଫାଷ୍ଟଫୁଡ୍‌ ସେଣ୍ଟରର ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଫାଷ୍ଟଫୁଡ୍‌ ସେଣ୍ଟର ସାଙ୍ଗକୁ ଗୋଟିଏ ପରିବା ଦୋକାନ ଓ ଅନ୍ୟଟି ବଡ଼ ଫଳ ଦୋକାନ ଥିଲା। ଚାହୁଁ ଚାହୁଁ ଏହି ଦୁଇଟି ଦୋକାନରେ ମଧ୍ୟ ନିଆଁ ବ୍ୟାପିଯାଇଥିଲା। ସିଲିଣ୍ଡର ବିସ୍ଫୋରଣ ବେଳକୁ ଭୟଙ୍କର ଶବ୍ଦ ସାଙ୍ଗକୁ ନିଆଁ ବେଶ୍ କିଛି ଦୂର ‌ଖେଳିଯାଇଥିଲା।

ଗ୍ୟାସ୍‌ ସିଲିଣ୍ଡର ଫାଟିବା ଦେଖି ପ୍ରାଣବିକଳରେ ସମସ୍ତେ ସେଠାରୁ ଧାଇଁଥିଲେ। ନିଆଁର ପ୍ରକୋପ ଏତେ ଥିଲା ଯେ ଉପରକୁ ନିଆଁ ଉଠି ବିଦ୍ୟୁତ୍ ତାରକୁ ଛୁଇଁଥିଲା ଏବଂ ତାରକୁ ତାର ବାଜିବାରୁ ଲାଇନ୍‌ କଟିଯାଇଥିଲା। ଜିଜିପି କଲୋନି ଓ ଜଗନ୍ନାଥନଗର ଆଦି ଅଞ୍ଚଳରେ ଲାଇନ୍‌ କଟିଯାଇଥିଲା। ଫଳରେ ଲୋକେ ବହୁ ସମୟ ଧରି ବିନା ବିଦ୍ୟୁତ୍‌ରେ କଲବଲ ହୋଇଥିବା ଜଣାପଡ଼ିଛି। ଖବର ପାଇ ମଞ୍ଚେଶ୍ବର ଥାନା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ୩ଟି ଯାକ ଦୋକାନ ପାଉଁଶ ହୋଇସାରିଥିଲା।

Leave A Reply

Your email address will not be published.