ଭାରତବର୍ଷ ଏକ ଯୁବରାଷ୍ଟ୍ର । କାରଣ ଭାରତ ଦେଶର ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଯୁବ ବର୍ଗ। ତେଣୁ ସାରା ଦୁନିଆରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି । ଏହି ଯୁବଶକ୍ତିର ସଂପୂର୍ଣ୍ଣ ସହଯୋଗରେ ଦେଶରେ ବ୍ରିଟିଶ ଶାସନ ପତନ ଏବଂ ସ୍ୱରାଜ ସ୍ଥାପନ ହୋଇପାରିଛି । ଆଜିବି ଦେଶରେ ଉପୁଜିଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ଯୁବବର୍ଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦେଶରେ ଦେଖାଦେଉଥିବା ସମସ୍ୟା ଗୁଡିକ ଭିତରେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭିତରେ ଯକ୍ଷ୍ମା ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଅଟେ। ପ୍ରତ୍ୟେକ ଦିନ ଏହି ଯକ୍ଷ୍ମା ବା ଟିବି ଦ୍ୱାରା ଭାରତ ବର୍ଷରେ ପ୍ରାୟ ଏକ ହଜାରରୁ ୧୨ ଶହ ଲୋକଙ୍କ ମୃତ୍ୟୁ ହେଉଛି । ଦୁର୍ଭାଗ୍ୟର କଥା ହେଲା ଯେ ସାରା ଦୁନିଆରେ ହେଉଥିବା ଯକ୍ଷ୍ମାର ପରିସଂଖ୍ୟାନର ଏକ ଚତୁର୍ଥାଂଶ ଆମ ଦେଶ ଭାରତରେ ହୋଇଥାଏ ।୨୦୧୯ ରେ ସାରା ଦୁନିଆରେ ପ୍ରାୟ ୧ କୋଟି ନୂତନ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ଭାରତରେ ୨୪ ଲକ୍ଷରୁ ଉର୍ଦ୍ଧ୍ୱ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି । ଯକ୍ଷ୍ମା ରୋଗ ଏକ ଡିଆଁ ରୋଗ ହୋଇଥିବାରୁ ଏହାର ନିୟନ୍ତ୍ରଣ ଅନେକ ସମୟରେ ଆହ୍ୱାନ ପାଲଟିଯାଏ ।
ବିଶ୍ୱ ନେତୃବୃନ୍ଦ ୨୦୩୦ ପର୍ଯ୍ୟନ୍ତ ଦୁନିଆରୁ ଯକ୍ଷ୍ମା ଶେଷ କରିବାର ସଂକଳ୍ପ ନେଇଥିବାବେଳେ ଭାରତ ୨୦୨୫ ପର୍ଯ୍ୟନ୍ତ ଭାରତକୁ ଯକ୍ଷ୍ମା ମୁକ୍ତ କରିବା ଲକ୍ଷ୍ୟରେ ଅଗ୍ରସର ହେଉଛି । ଭାରତ ବର୍ଷରେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ଭାରତ ସରକାର ଜାତୀୟ ଯକ୍ଷ୍ମା ନିରୋଧ କାର୍ଯ୍ୟକ୍ରମ (ଘଞଋଚ) ମାଧ୍ୟମରେ ସାରାଦେଶରେ ମାଗଣାରେ ଯକ୍ଷ୍ମା ଚିହ୍ନଟ , ପରୀକ୍ଷା , ଔଷଧ ପ୍ରଦାନ ଏପରିକି ରୋଗୀଙ୍କୁ ମାସିକ ପୋଷଣ ପାଇଁ ୫୦୦ ଟଙ୍କାର ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି । ତଥାପି ଯକ୍ଷ୍ମା ଚିହ୍ନଟ ଏବଂ ଔଷଧର ନିୟମିତ ବ୍ୟବହାର ସାଧାରଣରେ ଏକ ବିରାଟ ଆହ୍ୱାନ ହୋଇ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଯକ୍ଷ୍ମା ଚିକିତ୍ସା ଏକ ଦୀର୍ଘ ମିଆଦି ଚିକିତ୍ସା ଅଟେ। ଲଗାତାର ୬ ମାସ ନିୟମିତ ଔଷଧ ସେବନ କରିବାକୁ ପଡିଥାଏ ରୋଗୀଙ୍କୁ ଏବଂ ଏହି ରୋଗର ଚିକିତ୍ସା କ୍ଷେତ୍ରରେ ସବୁଠୁ ବଡ ବାଧକ ପାଲଟିଥାଏ ସାମାଜିକ ବାଛନ୍ଦ । ଯକ୍ଷ୍ମା ଶରୀର ଚୁଟି ଏବଂ ନଖକୁ ଛାଡିଦଲେ ଶରୀରର ସବୁ ଅଙ୍ଗରେ ହେବାର ସମ୍ଭାବନା ରହିଥାଏ । ମାତ୍ର କେବଳ ଫୁସଫୁସ ଜନିତ ଯକ୍ଷ୍ମା ଏକ ଡିଆଁ ରୋଗ। ଆମ ଦେଶରୁ ଆରମ୍ଭ କରି ପୃଥିବି ସାରା ଫୁସଫୁସ ଜନୀତ ଯକ୍ଷ୍ମା ବେଶୀ ସଂଖ୍ୟାରେ ହୋଇଥାଏ। ତେଣୁ ଚିକିତ୍ସାବେଳେ ୬ ମାସ ଯାଏଁ ରୋଗୀଙ୍କୁ ନିୟମିତ ଚିକିତ୍ସା ନବାକୁ ହୋଇଥାଏ । ତେଣୁ ଚିକିତ୍ସା ଅନେକ କ୍ଷେତ୍ରରେ ବେଳେ ବେଳେ ଏକ ଆହ୍ବାନ ହୋଇଥାଏ । ଏହାବ୍ୟତୀତ, ସମାଜରେ ବାଛନ୍ଦ ଭୟରେ ଏହି ରୋଗର ଚିହ୍ନଟ ପାଇଁ ମଧ୍ୟ ଅନେକ ଲୋକ ଡରନ୍ତି । ତେଣୁ ସମୁଦାୟ (କମ୍ୟୁନିଟି) ବିନା ସହଯୋଗରେ ଯକ୍ଷ୍ମା ଚିହ୍ନଟ ଏକ ସମସ୍ୟା ପାଲଟିଯାଏ।
କମ୍ୟୁନିଟିର ସହଯୋଗ ମିଳିଲେ ଯକ୍ଷ୍ମା ନିୟନ୍ତ୍ରଣ କରିବା କାଫି ସହଜ ହୋଇଯାଏ ଯାହାର ଉଦାହରଣ ଭୁବନେଶ୍ୱରସ୍ଥିତ ଜଲିମୁଣ୍ଡା ସାହି । ଏହି ବସ୍ତି ଏକ ଆଦିବାସୀ ଜନବହୁଳ ବସ୍ତି ଅଟେ। ଏଠାରେ ୨୫୦ ରୁ ଅଧିକ ପରିବାର ବସବାସ କରନ୍ତି। ପ୍ରାୟତ ଲୋକ ଦିନ ମଜୁରିଆ ଭାବେ କାମ କରୁଥିବାଳେ ଅନେକ ଲୋକ ହାଣ୍ଡିଆ ବିକ୍ରି କରି ପରିବାର ଚଳାଉଛନ୍ତି । ଦାରିଦ୍ରତା ଓ ଶିକ୍ଷା ଅଭାବ ତଥା ବିକାଶ ସୂଚକ ସବୁ କ୍ଷେତ୍ରରେ ଏହି ଅଞ୍ଚଳ ଏକ ଅନୁନ୍ନତ କହିଲେ ଭୂଲ ହେବ ନାହିଁ । ଏହି ବସ୍ତିରେ ଅନେକ ଲୋକ ଯକ୍ଷ୍ମାରେ ମଧ୍ୟ ପୀଡିତ ହୋଇଛନ୍ତି । କିଛିଙ୍କର ଜୀବନ ବି ନେଇଛି ଏହି ଯକ୍ଷ୍ମା । ୨୦୦୭ ମସିହାରେ ଏହି ସାହିର ଏକ ଛୋଟ ପିଲା “ଲକ୍ଷ୍ମଣ ହୋନାଗା” ଯିଏ ସେତେବେଳେ ଅଷ୍ଟମରେ ପାଠ ପଢୁଥିଲେ ତାଙ୍କୁ ମଧ୍ୟ ଯକ୍ଷ୍ମା ଚିହ୍ନଟ ହେଲା । ଏକ ସାମାଜିକ ସଙ୍ଗଠନର ସହଯୋଗରେ ସରକାରୀ ଚିକିତ୍ସାରେ ଉପକୃତ ହେଲେ ଲକ୍ଷ୍ମଣ । ଔଷଧ ସେବନର ୬ ମାସ ପରେ ଡାକ୍ତର ତାଙ୍କୁ ଯକ୍ଷ୍ମା ମୁକ୍ତ ଘୋଷଣା କଲେ । ମାତ୍ର ଏହି ୬ ମାସ ଏହି ଛୋଟ ପିଲା ଜୀବନରେ ଅନେକ ପରିବର୍ତ୍ତନ ଆଣିଲା । ଘରେ ଦାରିଦ୍ରତା ତଥା ଅନ୍ୟାନ୍ୟ କାରଣରୁ ପାଠ ଛାଡି ଦିନ ମଜୁରିଆ କାମ କଲେ ଲକ୍ଷ୍ମଣ । ପାଠ ପଢାରେ ବନ୍ଧା ହେଲା ଡୋରି । ପରବର୍ତ୍ତି ସମୟରେ ସାହିର ଅନେକ ଲୋକଙ୍କୁ ଯକ୍ଷ୍ମାରେ ପୀଡିତ ହେବାର ଦେଖିଲେ ଲକ୍ଷ୍ମଣ । ଅଧାରେ ଚିକିତ୍ସା ଛାଡି ମୃତ୍ୟୁବରଣ କରିଥିବା ଲୋକଙ୍କ ଅବସ୍ଥା ଦେଖି ବିଚଳିତ ହୋଇପଡି ଥିଲେ ଏହି କୁନି ପିଲା । କୌଣସି ଯକ୍ଷ୍ମା ରୋଗୀଙ୍କୁ ଯକ୍ଷ୍ମାରେ ମରିବାକୁ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଲେ ଲକ୍ଷ୍ମଣ । ଘରେ ଘରେ ବୁଲି ଯକ୍ଷ୍ମା ଲକ୍ଷଣ ଥିବା ଲୋକଙ୍କ କଫ ପରୀକ୍ଷା କରାଇବା ପାଇଁ ରାଜି କରାଇବାରେ ଲାଗିପଡିଲେ ଲକ୍ଷ୍ମଣ। ଏହି ଅଞ୍ଚଳରେ ଯକ୍ଷ୍ମା ବିରୋଧରେ କାମ କରୁଥିବା ଏକ ସ୍ୱେଛାସେବୀ ସଙ୍ଗଠନର କର୍ମକର୍ତ୍ତା ରସାନନନ୍ଦଙ୍କ କହିବା ଅନୁଯାୟୀ ଲକ୍ଷ୍ମଣଙ୍କ ପ୍ରୟାସରେ ପ୍ରତ୍ୟେକ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବା ସହଜ ହୋଇପଡିଲା। “୨୦୦୬ ପରଠୁ ମୁଁ ୪୦ରୁ ୫୦ ଯକ୍ଷ୍ମା ରୋଗୀ ଚିହ୍ନଟ କରିଛି । କେବଳ ସେତିକି ନୁହଁ ତାଙ୍କୁ ଔଷଧ ଖୁଆଇ ତାଙ୍କ ଜୀବନ ବଞ୍ଚାଇଛି”, ଏସବୁ କହି ଭାବବିହ୍ୱଳ ହୋଇପଡିଲେ ଲକ୍ଷ୍ମଣ ।
ଆମେ ଆଦିବାସୀ ଲୋକ , ଶିକ୍ଷା ନାହିଁ , ଦାରିଦ୍ରତା ଭିତରେ ଜୀବନ କାଟୁ , ରୋଗ ବୈରାଗ ବିଷୟରେ ଏତେଟା ଜାଣିନୁ । ଜଙ୍ଘରେ ଏକ ଘା ଶୁଖିଲା ନହିଁ , ଚାଲିବା କଷ୍ଟ ହେଲା । କିନ୍ତୁ ସେହି ସମୟରେ ଲକ୍ଷ୍ମଣ ମୋ ପାଇଁ ପାଲଟିଲେ ଦେବଦୂତ । ନିଜେ ଡାକ୍ତରଖାନା ନେଲେ , ପରୀକ୍ଷା ପରେ ମତେ ଯକ୍ଷ୍ମା ଥିବା ଜମାପଡିଲା ଏବଂ ୬ ମାସ ପାଇଁ ଚିକିତ୍ସା ଚାଲିଲା । ପ୍ରତ୍ୟେକ ଦିନ ଔଷଧ ଖୁଆଇବା ଠାରୁ ମତେ ନିଶା ଛଡାଇବା ଦିଗରେ ସଂପୂର୍ଣ୍ଣ ସହଯୋଗ କଲେ ଲକ୍ଷ୍ମଣ। ତେଣୁ ଆଜି ମୁଁ ସୁସ୍ଥ ଜୀବନ ବଞ୍ଚୁଛି । ଏପରି ପ୍ରଶଂସାରେ ଶତମୁଖ ସାହିର ଅନ୍ୟ ଏକ ଯୁବକ ସଞ୍ଜୟ । କେବଳ ସଞ୍ଜୟ ନୁହନ୍ତି ଫୁଲ ମଧ୍ୟ ଲକ୍ଷ୍ମଣଙ୍କ ପ୍ରଶଂସାରେ ଶତମୁଖ।
ପୁରୁଷ ହୁଅନ୍ତୁ ବା ସ୍ତ୍ରୀ କିମ୍ବା ପିଲା , ଆଜି ପର୍ୟ୍ୟନ୍ତ ୪୦ରୁ ଅଧିକ ଲୋକଙ୍କ କଫ ପରୀକ୍ଷା ଠାରୁ ଆରମ୍ଭ କରି ଔଷଧ ସେବନ, ପରାମର୍ଶ ଠାରୁ ଆରମ୍ଭ କରି ଜନସଚେତନତା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି ଲକ୍ଷ୍ମଣ। ଏହି ଅଞ୍ଚଳର ଆଶା ଦିଦି ବୀଣା ଦେଇ ମଧ୍ୟ ଲକ୍ଷ୍ମଣଙ୍କ ଏହି କାର୍ଯ୍ୟକୁ ବେଶ ପସନ୍ଦ କରନ୍ତି । ତାଙ୍କ କହିବାନୁଯାୟୀ ଲକ୍ଷ୍ମଣଙ୍କ ପ୍ରୟାସରେ ଆଜି ଯକ୍ଷ୍ମା ଚିହ୍ନଟ ସଫଳ ହୋଇଛି । ଏବେ ଏହି ସାହିରେ ଯକ୍ଷ୍ମା ଆଉ ଏକ ସାମାଜିକ ବାସନ୍ଦର ବିଷୟ ପାଲଟି ନାହିଁ । ସାହିରେ ଯକ୍ଷ୍ମାକୁ ନେଇ ସଚେତନତା ବୃଦ୍ଧି ପାଇଛି । ମୁଁ ଆମ ସାହି ବ୍ୟତୀତ ଅନ୍ୟ ବସ୍ତିରେ ମଧ୍ୟ ଏହି ପ୍ରୟାସ ଜାରି ରଖିଛି ବୋଲି କହନ୍ତି ଲକ୍ଷ୍ମଣ । ବିଶେଷକରି ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ଆମ ଆଦିବାସୀ ଭାଷାରେ ବୁଝାଉଛି । ବାସ୍ତବରେ ଆମ ଦେଶର ପ୍ରତି ଗାଁରେ, ବସ୍ତିରେ, ସାହିରେ ତଥା ଅଞ୍ଚଳରେ ଲକ୍ଷ୍ମଣଙ୍କ ଭଳି ସ୍ୱେଛାସେବୀ ଯୁବ ନାଗରିକ ବାହାରିପଡିଲେ, ଆମେ ନିଶ୍ଚୟ ଦେଖିବା “ଯକ୍ଷ୍ମା ହାରିବ, ଦେଶ ଜିତିବ” ।
ମୋ-୯୪୩୮୭୪୭୩୨୦
Comments are closed.