Latest Odisha News

BREAKING NEWS

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ୨ ବରିଷ୍ଠ ବିଜେପି ନେତାଙ୍କୁ ପୋଲିସର ନୋଟିସ୍ ଜାରି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ପୋଲିସ ସେପ୍ଟେମ୍ବର ୨୦୧୭ ମସିିହାରେ ବହୁ ଚର୍ଚ୍ଚିତ ପୂର୍ବତନ ଏନଏସି କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣା ମାମଲାରେ ୨ ଜଣ ବରିଷ୍ଠ ବିଜେପି ନେତାଙ୍କୁ ନୋଟିସ୍ ଜାରି କରିଛି ।

ଗଣମାଧ୍ୟମକୁ ସୂଚନାଦେଇ ଛତ୍ରପୁରୁ ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀ କହିଛନ୍ତି, ୨ ଜଣ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ଛତ୍ରପୁର ପୋଲିସ ଷ୍ଟେସନରେ ଯଥାକ୍ରମେ ଆସନ୍ତା ଫେବୃଆରୀ ୭ ଓ ୯ ତାରିଖରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି ।

ଏହି ନୋଟିସ ସମ୍ପର୍କରେ ପଚରା ଯିବାରୁ ଗୋଲକ ମହାପାତ୍ର କହିଛନ୍ତି, ସେ ଏନେଇ କୌଣସି ନୋଟିସ୍ ପାଇ ନାହାନ୍ତି, ଯଦି ପୋଲିସ ପକ୍ଷରୁ କୌଣସି ନୋଟିସ ପାଆନ୍ତି ତେବେ ସେ ନିଶ୍ଚିତ ରୂପେ ଏହାର ଉତ୍ତର ଦେବେ ।

ସେ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାରଙ୍କ ଇସାରାରେ ପୋଲିସ ତାଙ୍କୁ ନୋଟିସ ଜାରି କରୁଛି ।

“ସିସୋର୍ ଚିଟଫଣ୍ଡ୍ ମାମଲାରେ ପଚରାଉଚରା ଲାଗି ବିଜେଡ଼ିର ୨ ଜଣ ବରିଷ୍ଠ ନେତାଙ୍କୁ ସିବିଆଇ ନୋଟିସ୍ ଜାରି କରିବା ପରେ ରାଜ୍ୟ ସରକାର ପ୍ରତିଶୋଧ ପରାୟଣ ହୋଇ ପଡ଼ିଛନ୍ତି । ମୋର ବୟାନ ରେକର୍ଡ଼ କରିବା ପରେ ମଧ୍ୟ ପୋଲିସ କାହିଁକି ମୋତେ ପୁଣି ଦୀର୍ଘ ଦେଢବର୍ଷ ପରେ ନୋଟିସ ଜାରି କରୁଛି,” ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଦିନ ଦ୍ୱିପ୍ରହରରେ କେତେଜଣ ବ୍ୟକ୍ତି ସଂଘବଦ୍ଧ ହୋଇ ୬ ନଂ ୱାର୍ଡ଼ର ପୂର୍ବତନ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ତାଙ୍କ ବାସଭବନ ସାମ୍ନାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ଗୁରୁତର ଆହତ ଅବସ୍ଥାରେ ଲକ୍ଷ୍ମୀଦତ୍ତଙ୍କୁ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା ।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ଲକ୍ଷ୍ମୀଦତ୍ତ ପ୍ରଧାନ ୨୦୧୪ ମସିହା ଜୁଲାଇ ୨୩ ତାରିଖରେ ଛତ୍ରପୁରରେ ଘଟିଥିବା ସିପିଆଇ ସମର୍ଥକ ସକୁରୁ ବେହେରା ହତ୍ୟାକାଣ୍ଡରେ ସଂପୃକ୍ତ ରହିଥିଲେ ।

Leave A Reply

Your email address will not be published.