Latest Odisha News

BREAKING NEWS

ପର କଲେ ଘର ଲୋକ, କୋଳେଇ ନେଇଥିଲା ସ୍ୱାଧାର ଗୃହ; ଆଜି ତାକୁ ଛାଡି ଶାଶୂ ଘର ଯିବେ ପୂଜାରାଣୀ

ଯାଜପୁର: ଯେତେବେଳେ ଆପଣାର ମଣିଷମାନେ ପର କରିଦେଲେ ସେତେବେଳେ ନିଜର ଭାବି କୋଳେଇ ନେଇଥିଲେ ଏଇ ଅପରିଚିତମାନେ। ଏହି ସ୍ୱାଧାର ଗୃହକୁ ସେ ନିଜର ଘର ବୋଲି ଭାବି ନେଇଥିଲେ । ଆଜି ସେଇ ଘର ଛାଡି ଶାଶୂଘର ଯିବେ ପୂଜାରାଣୀ । ଜୀବନର ଆଉଏକ ସୋପାନ ଚଢିବେ । ପୁଣି ଏକ ନୂଆ ଘର ସଂସାର କରିବେ । ହେଲେ ଆଦର ସମ୍ମାନ ଦେଇ ତାଙ୍କୁ ଦିନେ ଆପଣାର କରିନେଇଥିବା ଏଇ ସ୍ୱାଧାର ଗୃ୍ହ ଛାଡିବାବେଳକୁ ତାଙ୍କ ଆଖି ଆଜି ଓଦା ହୋଇ ଯାଉଛି ।

୨୦୧୮ ମସିହାର କଥା । ଚଣ୍ଡିଖୋଲରେ ବୁଲୁଥିବା ଛୋଟ ଝିଅଟିକୁ ଉଦ୍ଧାର କରି ଯାଜପୁର ବାହବଳପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ୱଧାର ଗୃହରେ ଛାଡି ଥିଲା ସିଡବ୍ଲୁସି ।  ସେଦିନ ତାଙ୍କୁ ସ୍ବାଗତ କରିବାକୁ ଏଠି କେହି ନଥିଲେ  । ହେଲେ  ଆଜି ସେ ବିଦା ହେବା ବେଳେ ସମସ୍ତଙ୍କ ଆଖିରେ ଥିଲା ଲୁହ।  ସାହି ପଡିଶା ଓ ଆପଣାର ଲୋକେ ସମସ୍ତେ ଏକାଠି  । ସେଇ ଛୋଟ ଝିଅଟି ଆଜି ବଡ ହୋଇ ଶାଶୂ ଘରକୁ ଯିବ । ସ୍ୱାଧାର ଗୃହରେ  ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି ।

ବାଜିଥିଲା ଯୋଡି ମହୁରୀ । ବାଜିଥି ଲା ସହନାଇ।  ଭୋଜିଭାତରେ ଭାସିଥିଲା ସ୍ୱାଧାର ଗୃହ । ସ୍ୱଧାର ଗୃହ ପାଲଟିଲା ବିବାହ ମଣ୍ଡପ। ପୂଜାରାଣୀଙ୍କ ବିବାହ କାର୍ଯ୍ୟରେ ଲାଗିଥିଲେ ସମସ୍ତେ।  ସ୍ୱଧାର ଗୃହର ସମ୍ପାଦକ ପରେଶ ମଲ୍ଲିକ ବରପାତ୍ର ଖୋଜିବାଠାରୁ ଆରମ୍ଭ କରି  ବିବାହ କାର୍ଯ୍ୟର ଆୟୋଜନ କରିଥିଲେ ।  ବିବାହ କାର୍ଯ୍ୟ ରେ ସାମିଲ ହୋଇଥିଲା ପୁରା ଜିଲ୍ଲା ପ୍ରଶାସନ।

ଦଶରଥପୁର ବ୍ଲକ ତଲିହା ପଂଚାୟତ ସିନ୍ଦୁରାଇମୁହଁ ଅଞ୍ଚଳର ବିଜୟ ଓଝାଙ୍କ ହାତ ଧରିଛନ୍ତି ପୂଜାରାଣୀ ।   ଆଖ ପାଖ ପଡୋଶୀ ମଧ୍ୟ ସାମିଲ ହୋଇ ଭୋଜିଭାତ ଖାଇବା ସହିତ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।  ରୋଟାରୀ କ୍ଲବ ଭଳି ଅନ୍ୟ ଅନୁଷ୍ଠାନ ମାନେ ମଧ୍ୟ ସହଯୋଗର ହାତ ବଢାଇଥିଲେ।

Leave A Reply

Your email address will not be published.