ବିଜେଡି ଶାସନ କାଳର ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଉପରୁ ହଟିବ ପରଦା: ୩ ଜିଲ୍ଲାର ୫୦ ସ୍ଥାନରେ ଭିଜିଲାନ୍ସର ଚଢ଼ାଉ
ଭୁବନେଶ୍ୱର: ଗତ ବିଜେଡି ସରକାର ସମୟରେ ଗ୍ରାମାଞ୍ଚଳର ଆଲୋକୀକରଣ ପାଇଁ ଆରମ୍ଭ ହୋଇଥିବା ଯୋଜନାରେ ବଡ଼ଧରଣର ଅର୍ଥ ହେରଫେର ଅଭିଯୋଗ ଆସିଛି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅଧୀନରେ ଗାଁ ଗାଁରେ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ଗୁମର ଖୋଲିବାକୁ ବାହାରିଛି ରାଜ୍ୟ ଭିଜିଲାନ୍ସ ବିଭାଗ। ଏହି କ୍ରମରେ ଓଡ଼ିଶାର ତିନୋଟି ପ୍ରମୁଖ ଜିଲ୍ଲା କେନ୍ଦୁଝର, ନୟାଗଡ଼ ଏବଂ ଯାଜପୁରର ପ୍ରାୟ ୫୦ଟି ସ୍ଥାନରେ ଆଣ୍ଟି-କରପ୍ସନ୍ ବ୍ୟୁରୋ ପକ୍ଷରୁ ଏକକାଳୀନ ଜୋରଦାର ତନାଘନା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟରେ ଏହି ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଥିଲା। ଏହି ମେଗା ଅପରେସନକୁ ସଫଳ କରିବା ପାଇଁ ଭିଜିଲାନ୍ସର ପ୍ରାୟ ୨୪ଟି ସ୍ୱତନ୍ତ୍ର ଟିମ୍ ଏବଂ ୮୧ ଜଣ ବରିଷ୍ଠ ଅଧିକାରୀ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ସରକାରୀ ଅର୍ଥର ବ୍ୟାପକ ଅପବ୍ୟବହାର, ଜାଲ୍ ବିଲ୍ ପ୍ରସ୍ତୁତି ଏବଂ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ନିମ୍ନମାନର ସାମଗ୍ରୀ କିଣାଯାଇଥିବା ନେଇ ବିଭାଗକୁ ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉକ୍ତ ପ୍ରକଳ୍ପଗୁଡ଼ିକ ପାଇଁ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଇଥିଲା। କେତେକ ନିର୍ଦ୍ଦିଷ୍ଟ ସଂସ୍ଥା ବା ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଟେଣ୍ଡର ନିୟମାବଳୀକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଙ୍ଘନ କରାଯାଇଥିଲା।
ଭିଜିଲାନ୍ସ ଅଧିକାରୀମାନେ ବର୍ତ୍ତମାନ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ସଂପୃକ୍ତ ଅଫିସର ଓ ଠିକାଦାରମାନଙ୍କ ଆସ୍ଥାନ ଉପରେ ନଜର ରଖିବା ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ, କାର୍ଯ୍ୟାଦେଶ ଏବଂ ବ୍ୟାଙ୍କ ନେଣଦେଣର ଯାଞ୍ଚ କରୁଛନ୍ତି।
ସରକାରୀ ପାଣ୍ଠି ହଡ଼ପ କରି ଗ୍ରାମାଞ୍ଚଳର ବିକାଶକୁ ଅନ୍ଧାର ଭିତରକୁ ଠେଲି ଦେଇଥିବା ଏହି ଦୁର୍ନୀତିର ଚେର କେତେ ଦୂର ଲମ୍ବିଛି ଏବଂ ଏହା ପଛରେ କେଉଁ କେଉଁ ପ୍ରଭାବଶାଳୀ ବ୍ୟକ୍ତି ଓ ନେତାଙ୍କ ହାତ ରହିଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
