ବିଭୁପ୍ରସାଦ ତ୍ରିପାଠୀ
ନିଖିଳ ଓଡ଼ିଶା ଆଇନଜୀବି ସଂଘର ୫୨ତମ ବାର୍ଷିକ ଅଧିବେଶ ପାଳନ ଅବସରରେ ଆଇନପେଷାର
ସ୍ୱାଧୀନତା ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ପ୍ରତିକ ପରିସ୍ଥିତିରେ ଉପଲବ୍ଧି ହେଉଛି । ଅଷ୍ଟ୍ରେଲିଆର ଜଣେ ବିଚାରପତି ମାଇକେଲ୍ କିର୍ବୀ କହିଥିବା ଗୋଟିଏ ଉକ୍ତି ବିଶେଷ ଭାବେ ଏଭଳି ପରିସ୍ଥିତିରେ ମୋର ମନ ଭିତରେ ଗଭୀର ଭାବେ ରେଖାପାତ କରିବା ସହିତ ଆତ୍ମଚିନ୍ତନ ଓ ଆତ୍ମନିରୀକ୍ଷଣ ପାଇଁ ଖୋରାକ୍ ଯୋଗାଉଛି । ସେହି ବିଚାରପତି ଜଣଙ୍କ କହିଥିଲେ ଯେ ଯଦି ଆଇନପେଷାରେ ସ୍ୱାଧିନତା ନଥାଏ ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ୍ୱାଧୀନ ନିରପେକ୍ଷ ନ୍ୟାୟପାଳିକା କିମ୍ବା ଆଇନର ଶାସନ ଅଥବା ଗଣତନ୍ତ୍ର ଓ ସ୍ୱାଧିନତା ସମ୍ପର୍କରେ କୌଣସି କଥା ଚିନ୍ତା କରାଯାଇପାରିବ ନାହିଁ । ଆମ ଦେଶରେ ଏହି ଆଇନପେଷାରେ ସ୍ୱାଧୀନତା ପ୍ରସଙ୍ଗଟି ବିଶ୍ୱ ବାଣିଜ୍ୟ କେନ୍ଦ୍ର ସଙ୍ଗଠନ ଉରୁଗୁଏ ବୁଝାମଣା ଓ ବିଦେଶୀ ଆଇନଜୀବିରେ ଭାରତରେ ପ୍ରବେଶ ପରଠାରୁ ଆହୁରି ବିତର୍କର ପରିବେଶ ମଧ୍ୟକୁ ଆସିଛି । ନିକଟରେ ମନି ଲଣ୍ଡରିଙ୍ଗ୍ ଆଇନର ପରିସର ମଧ୍ୟରେ ଆଇନଜୀବିମାନଙ୍କୁ ଆଣି ଆଇନଜୀବି ମାନଙ୍କୁ ସେମାନଙ୍କ ମହକିଲମାନଙ୍କ ସମସ୍ତ ସଂଦେହାତ୍ମକ କାର୍ଯ୍ୟକୁ ରେକର୍ଡ କରିରଖି ଏହାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବାକୁ ମଧ୍ୟ ଆଇନ ପ୍ରଣୟନ କରିବାର ଯୋଜନା କରାଯାଉଥିଲା । ଠିକ୍ ସେହିଭଳି ମାନ୍ୟବର ସୁପ୍ରିମ୍କୋର୍ଟ ଗୋଟିଏ ଘଟଣାର ତ୍ରୁଟି ବିଚ୍ୟୁତି ପାଇଁ ଆଇଜୀବିମାନେ କେତେ ପରିମାଣର ଦାୟୀ ସେଥିପାଇଁ ସେମାନଙ୍କ ନ୍ୟାୟସଙ୍ଗତ ଆନ୍ଦୋଳନ ପ୍ରସଙ୍ଗଟି ଉପରେ ଆଇନଗତଭାବେ ତର୍ଜମା ନକରି ଆଇନଜୀବିମାନଙ୍କ ନ୍ୟାୟସଙ୍ଗତ ଆନ୍ଦୋଳନର ଅଧିକାର ପ୍ରସଙ୍ଗଟି ଉପରେ ଯେଉଁ ସମ୍ବେଦନଶୀଳ ଓ ଗୁରୁତ୍ୱପୁର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ଆଇନପେଷାରେ ସମ୍ପୃକ୍ତ ଥିବା ବରିଷ୍ଠ ଆଇନଜୀବିମାନଙ୍କ ଅହେତୁକ ନୀରବତା ମଧ୍ୟ ଆଇନପେଷାରେ ସ୍ୱାଧିନତା ପ୍ରସଙ୍ଗଟିକୁ ଭିନ୍ନ ଧରଣର ଆଲୋଚନା ପାଇଁ ଶକ୍ତି ଯୋଗାଇଛି । ସ୍ୱାଧିନତ୍ୱର ଭାରତବର୍ଷରେ ଆଇନଜୀବିମାନେ ଆମ ରାଜ୍ୟରେ ଏତେ ଦିନ ଧରି ଜେଲ୍ରେ ରହିବା ଓ ସେଥିପାଇଁ ଆଇନଜୀବିମାନଙ୍କ ମଧ୍ୟରେ କୌଣସି ପ୍ରତିବାଦର ସ୍ୱର ନ ଉଠିବା ନିଶ୍ଚିତ ଭାବେ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଷ୍ଠାପର ଭାବେ ଏଭଳି ପ୍ରସଙ୍ଗଗୁଡ଼ିକ ବାର ଆସୋସିଏସନ୍ର ଏପରିକି ବାର କାଉନସିଲ୍ଗୁଡ଼ିକର ଆଲୋଚନା କକ୍ଷରେ କାହିଁକି ଆଲୋଚନା କରାଯାଉନାହିଁ ସେଭଳି ପ୍ରଶ୍ନର କୌଣସି ଯଥାର୍ଥ ଉତ୍ତର ଆମେ ପାଇପାରିନାହୁଁ ।
ଆଜି ଆମ ରାଜ୍ୟର ବାସ୍ତବ ସ୍ଥିତି ହେଉଛି ବାର ଆସୋସିଏସନ୍ ଓ ବାର୍ କାଉନସିଲ ଭଳି ପବିତ୍ର ଅନୁଷ୍ଠାନଗୁଡ଼ିକରେ ଆଇନପେଷାର ଦକ୍ଷତା ସମ୍ମାନ ଓ ମର୍ଯ୍ୟାଦାକୁ ବୃଦ୍ଧି କରିବାଲାଗି ସମସ୍ତ ଉଦ୍ୟମକୁ ଆମେ ଆଲୋଡ଼ା ଅଦରକାରୀ ବୋଲି ମନେ କରିନେଉଛେ । ଆଇନପେଷାରେ ବିକଳ୍ପ ବିଚାର ଏବେ ବିଷୟବସ୍ତୁ ଶୂନ୍ୟ ହୋଇପଡ଼ିଛି । ପ୍ରତ୍ୟେକ ସମାଜରେ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳପିଣ୍ଡଟି ହେଉଛି ଆଇନର ଶାସନ ବ୍ୟବସ୍ଥାକୁ ସଠିକ୍ ଭାବେ ପ୍ରତିପାଳନ କରିବା । କିନ୍ତୁ ଆଇନର ଶାସନ ବ୍ୟବସ୍ଥାଟି କେବଳ ରାଜନୈତିକ ଅନୁଷ୍ଠାନମାନଙ୍କ ଦ୍ୱାରା ସମ୍ଭବପର ନୁହେଁ । ସମାଜରେ କ୍ଷମତାର ଅପବ୍ୟବହାର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମାଡ଼ିମକଚି ନଷ୍ଟ କରିଦେଉଥିବା ଶକ୍ତିଗୁଡ଼ିକୁ ଯଥାର୍ଥ ଭାବେ ଆଇନର ଚଉହଦୀ ମଧ୍ୟରେ ରଖିବା କେବଳ ନିରପେକ୍ଷ, ନିର୍ଭୀକ ଓ ସାଧୁତା ସମ୍ପନ୍ନ ନ୍ୟାୟପାଳିକା ଓ ଆଇନପେଷାଦ୍ୱାରା ସମ୍ଭବ ।
ଆମ ସମ୍ବିଧାନ ପ୍ରଣେତାମାନେ ନ୍ୟାୟପାଳିକା ଓ ଆଇନପେଷାରେ ଯେଉଁ ସ୍ୱାଧିନତାର ପରିକଳ୍ପନା କରିଥିଲେ ତାହା କେବଳ ବିଚାରପତି କିମ୍ବା ଆଇନଜୀବିଙ୍କ ସ୍ୱାର୍ଥ ପାଇଁ ଉର୍ଦ୍ଦିଷ୍ଟ ନଥିଲା କିମ୍ବା ସେମାନଙ୍କୁ ଉତ୍ତରଦାୟୀ କରିବା ପାଇଁ କରାଯାଇନଥିଲା । ଏହା ସାଧାରଣ ଲୋକର ସୁରକ୍ଷାର ମୂଳ କବଚଟି ବୋଲି ପରିଗଣିତ କରାଯାଇଥିଲା । ପେଷାଗତ ସ୍ୱାଧୀନତା କେବଳ କର୍ତ୍ତବ୍ୟ କିମ୍ବା ବିଶେଷାଧିକାର ନୁହେଁ ପରନ୍ତୁ ଏହା ସାଧାରଣ ଜନତାଙ୍କ ଅଧିକାରର ସୁରକ୍ଷା ପାଇଁ ମୂଳ ଅସ୍ତ୍ରଟିଏ ।
ଗଣତାନ୍ତ୍ରିକ ନୀତିର ମୌଳିକତା ହେଉଛି କ୍ଷମତାର ବିକେନ୍ଦ୍ରିକରଣ ଓ ନ୍ୟାୟିକ ସାର୍ବଭୌମତ୍ୱ ଓ ଆଇନଜୀବିମାନେ ଏହି ନ୍ୟାୟିକପ୍ରକ୍ରିୟାର ମେରୁଦଣ୍ଡ ସର୍ବସ୍ୱ । ଅନେକ ସମୟରେ ଏଥିପାଇଁ ଆଇନଜୀବିମାନଙ୍କୁ “ଅଫିସର ଅଫ୍ ଦି କୋର୍ଟ” ବୋଲି ମଧ୍ୟ କୁହାଯାଇଥାଏ । ଆଜି ଆମ ଦେଶର ଯେଉଁସବୁ ପ୍ରଗତିଶୀଳ ରାୟର ଉଦାହରଣ ବିଦେଶରେ ଆମେ ଦେଇ ଆସିଛେ ସେସବୁ ମୂଳରେ ଆଇନଜୀବିମାନଙ୍କ ମୁଖ୍ୟ ଭୂମିକା ରହିଆସିଛି । ଗୋଟିଏ ଭଲ ବାର ଯେ କୌଣସି ଦେଶ, ରାଜ୍ୟ କିମ୍ବା ଜିଲ୍ଲାସ୍ତରରେ ଗୋଟିଏ ଭଲ ବେଞ୍ଚର ସୃଷ୍ଟି କରିପାରେ ।
ଅନେକ ବର୍ଷ ତଳେ ଆମ ରାଜ୍ୟର ଅନେକ ବିଚାର ବିଭାଗୀୟ ଅଫିସର ଦେୱାନୀ କିମ୍ବା ଫୌଜାଦାରୀ ଆଇନରେ ଦକ୍ଷତାର ବିକାଶ ଲାଗି ଯେଉଁସବୁ ବାରରେ ଭଲ ଦେୱାନୀ କିମ୍ବା ଫୌଜଦାରୀ ଆଇଜନୀବି କିମ୍ବା ମକଦ୍ଦମା ଥିଲା ସେଠାରେ କିଛିଦିନ ବିଚାରପତି ଆସନ ଅଳଙ୍କୃତ କରିବା ଲାଗି ମନ ବଳାଉଥିଲେ । ଯେତେବେଳେ ଆମ ଦେଶ ସ୍ୱାଧୀନ ହେଲା ତା’ର ପରବର୍ତ୍ତୀ କୋଡ଼ିଏ ବର୍ଷ ମଧ୍ୟ ବହୁ ପରିମାଣର ସାମ୍ବିଧାନିକ ସଂଶୋଧନକୁ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଏହା ମୌଳିକଅଧିକାରରେ ହସ୍ତକ୍ଷେପ କରୁଛି ବୋଲି ଦର୍ଶାଇ ଏହାକୁ ଅସିଦ୍ଧ ଘୋଷଣା ପାଇଁ ମକଦ୍ଦମା କରାଯାଇଥିଲା ଏବଂ ଏହି ମକଦ୍ଦମାଗୁଡ଼ିକୁ ବିଚାରପତିମାନେ ଗୁରୁତର ଭାବେ ଶୁଣି ସେମାନଙ୍କ ରାୟ ପ୍ରଦାନ କରୁଥିଲେ । ଏବେ ସେଭଳି ମକଦ୍ଦମା ଗୁଡ଼ିକର ସଂଖ୍ୟାମଧ୍ୟ କ୍ରମଶଃ ହ୍ରାସ ପାଉଛି । ଆଇନଗତ ପ୍ରଶ୍ନ ପଚାରିବା ଓ ବିଚାରପତିଙ୍କୁ ସାମ୍ବିଧାନିକ ଆଦର୍ଶରେ ବାନ୍ଧି ରଖିବାର ଦାୟିତ୍ୱ ଆଇନଜୀବିମାନଙ୍କର ।
ସ୍ୱାଧିନଚେତା ଆଇନଜୀବିମାନଙ୍କ ସୃଷ୍ଟି ଓ ବିଲୟ ପାଇଁ ବାର ଆସୋସିଏସନ୍ ଗୁଡ଼ିକର ସ୍ୱାଧିନତା ହିଁ ମୂଳ ପ୍ରସଙ୍ଗ । ବାର ଆସୋସିଏସନ ଗୁଡ଼ିକର ନେତୃତ୍ୱ ହିଁ ଆଇନ ପେଷାର ସ୍ୱାଧୀନତାକୁ ରକ୍ଷା କରିପାରିବ । ବାହ୍ୟଶକ୍ତି ବିଶେଷ କରି ରାଜନୈତିକ ଶକ୍ତିମାନଙ୍କ ପାଖରୁ ବାର୍ ଆସୋସିଏସନ ଗୁଡ଼ିକୁ ମୁକ୍ତ କରି ରଖିବା ଏବେ ଆଇନଜବୀବିମାନଙ୍କ ନିକଟରେ ବଡ଼ ଆହ୍ୱାନ ଭାବେ ଦଣ୍ଡାୟମାନ ହୋଇଛି । ଆମ ରାଜ୍ୟର ବାର ଆସୋସିଏସନ୍ ଓ ବାର୍ କାଉନସିଲର ନିର୍ବାଚନ ପ୍ରକ୍ରିୟା ବିଗତ କିଛି ବର୍ଷ ହେବ ରାଜନୈତିକ ଦଳଗୁଡ଼ିକ ଆଧାରରେ କାର୍ଯ୍ୟକାରୀ ହେବା ମଧ୍ୟ ଆମ ସମସ୍ତଙ୍କ ପାଇଁ ଚିନ୍ତାଜନକ ବିଷୟ । ବାର ଆସୋସିଏସନଗୁଡ଼ିକର ନିର୍ବାଚନ ପ୍ରକ୍ରିୟାରେ ଯେତେ ପରିମାଣର ଅର୍ଥବ୍ୟୟ ହେଉଛି ତାହା ମଧ୍ୟ ଏକ ଉଦ୍ବେଗଜନକ ବିଷୟ । ବାର ଆସୋସଏସନ ଗୁଡ଼ିକରେ ଆଇନଗତ ବୌଦ୍ଧିକ ବିତର୍କ ଏବେ ନକାରତ୍ମକ ସ୍ଥିତିରେ ପହଁଚିଛି । ପେଷାଗତ ଭାବେ ନିରନ୍ତର ଆଇନଶିକ୍ଷାର ଅଭାବରେ ଆଇନଜୀବିମାନଙ୍କ ମଧ୍ୟରେ ସେମାନଙ୍କ ଅନୁଷ୍ଠାନ ବାର ଆସୋସିଏସନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣତା ଏବେ ଉପଲବ୍ଧ ହେଉନାହିଁ । ବାର ଆସୋସିଏସନ୍ଗୁଡ଼ିକର ନେତୃତ୍ୱ ଆଇନପେଷା ପ୍ରତି ଆଣୁଥିବା ବିପଦପୂର୍ଣ୍ଣ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନା ପାଇଁ ଅନାଗ୍ରହତା ପ୍ରକାଶ କରିବା ଏହାର ଏକ ଜ୍ୱଳନ୍ତ ଉଦାହରଣ । ବାର୍ ଆସୋସିଏସନ୍ ଗୃହ ମଧ୍ୟରେ ଯେଉଁ ଆଇନଜୀବିମାନଙ୍କ ଜୀବନାଦର୍ଶ ଆଇନଜୀବିମାନଙ୍କୁ ପ୍ରଭାବିତ କରିଛି ତାହାକୁ ନେଇ ଚର୍ଚ୍ଚା ସେମାନଙ୍କର ସ୍ୱାଧୀନଚେତା ଆଦର୍ଶର ପ୍ରତିଫଳନ । ଆଜି ମଧ୍ୟ ରାଜ୍ୟର ଅନେକ ବାର ଆସୋସିଏସନଗୁଡ଼ିକରେ ବରିଷ୍ଠ ଆଇନଜୀବିମାନଙ୍କ ମୃତ୍ୟୁପରେ ଯେଉଁ ଶୋକ ଶୋଭାଗୁଡ଼ିକ ହୁଏ ସେଥିରେ ସେହି ଆଇନଜୀବିମାନଙ୍କର ଆଇନ ପେଷା ପ୍ରତି ଥିବା ଅବଦାନ ଓ ସାମାଜିକ ଗ୍ରହଣୀୟତା ବିଷୟକୁ ଗୁରୁତ୍ୱ ଦିଆଯାଇଥାଏ ।
ଆଜି ଆମ ରାଜ୍ୟର ଅଧିକାଂଶ ବାର ଆସୋସିଏସନ୍ର ନେତୃତ୍ୱ ନିକଟରେ ଓକିଲଙ୍କ ଅଦାଲତ ଅବମାନନା ପ୍ରସଙ୍ଗଟି ଉପରେ କୌଣସି ସ୍ପଷ୍ଟ ମତ ନାହିଁ । ସାଧାରଣ ଲୋକଟିର ନ୍ୟାୟିକ ପ୍ରକ୍ରିୟାରେ ଭାଗୀଦାରିତା ପ୍ରସଙ୍ଗରେ ଆମେ ଯେତେ ଚିନ୍ତିତ, ଆଇନଜୀବିମାନେ ସେମାନେ ସେମାନଙ୍କର ନିଜସ୍ୱ ପେଷାଗତ ସ୍ୱାଧୀନତା ପ୍ରସଙ୍ଗରେ ବିଚାର ବିମର୍ଷ ପାଇଁ ସେହି ପରିମାଣରେ ସକ୍ରୀୟ ଭୂମିକା ନିର୍ବାହ କରନ୍ତି ନାହିଁ । ଆଇନପେଷାର ସ୍ୱାଧୀନତା ରହିଲେ ଜଣେ ଆଇନଜୀବି ନିର୍ଭିକ ଭାବେ ମକଦ୍ଦମା ପରିଚାଳନା କରିପାରିବା ସହିତ ଆଇନର ଦୁଃବ୍ୟବହାର କରୁଥିବା କ୍ଷମତାସମ୍ପନ୍ନ ବ୍ୟକ୍ତି ବା ଅନୁଷ୍ଠାନକୁ ଆଇନର ଶାସନ ବ୍ୟବସ୍ଥା ସମ୍ପର୍କରେ ସଚେତନ କରିପାରିବ । ଯେ କୌଣସି ଆଇନଜୀବି କୌଣସି ଏକ ଦଳର ଆଦର୍ଶରେ ବିଶ୍ୱାସ କରୁଥିଲେ ମଧ୍ୟ ସେହି ଆଇନଜୀବି ମକଦ୍ଦମା ପରିଚାଳନା କରିୁଥିବାବେଳେ ଆଇନର ଶାସନ ବ୍ୟବସ୍ଥା ପ୍ରସଙ୍ଗଟି କୋର୍ଟରେ ଉପସ୍ଥାପନ କରିଥାଏ । କୋର୍ଟରେ ଯୁକ୍ତି ବାଢ଼ୁଥିବା ସେହି ଆଇନଜୀବି ନିଜଦଳର ଆଦର୍ଶ ନୁହେଁ ପରନ୍ତୁ ଆଇନ ଓ ସମାଜର ବାସ୍ତବଚିତ୍ର ବିଚାରପତିଙ୍କ ନିକଟରେ କୋର୍ଟର ପରିସୀମା ମଧ୍ୟରେ ବ୍ୟକ୍ତ କରିଥାଏ । ସେହି ଦୃଷ୍ଟିରୁ ଆଇନଜୀବିମାନଙ୍କ ମଧ୍ୟରେ ରାଜନୈତିକ ଦଳ ଆଧାରରେ ନୁହେଁ ଆଇନପେଷାର ଆଧାରରେ ଏକତା ରହିବାର ଆବଶ୍ୟକତା ଏବେ ଉପଲବ୍ଧି ହେଉଛି । ଆଇନଜୀବିମାନେ ନିଜ ମଧ୍ୟରେ ନିଜର ରାଜନୈତିକ ଆଦର୍ଶକୁ ନେଇ ଲଢ଼ିବା ବଦଳରେ ସମ୍ବିଧାନର ସୁରକ୍ଷା ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢ଼ିବାର ଆବଶ୍ୟକତା ରହିଛି । ସାମ୍ପ୍ରତିକ ପରିସ୍ଥିତିରେ ବାର୍ ଆସୋସିଏସନ୍ ଗୁଡ଼ିକରେ ଆଇନପେଷାର ସ୍ୱାଧୀନତା ସହିତ ସାମିଲ ବିଷୟବସ୍ତୁ ଗୁଡ଼ିକରେ ସଚେତନତା ଆଇନଶିକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସହିତ ବାର୍ ଆସୋସିଏସନ୍ଗୁଡ଼ିକୁ ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ଜରୁରୀ ହୋଇପଡ଼ିଛି ।
ଆଇନପେଷାକୁ ଶକ୍ତିଶାଳୀ, ସ୍ୱାଧୀନ ଓ ନିରପେକ୍ଷ କରି ରଖିବାର ଦାୟିତ୍ୱ କେବଳ ଆଇନଜୀବିମାନଙ୍କର ନୁହେଁ । ସରକାର ଓ ନ୍ୟାୟପାଳିକା ମଧ୍ୟ ଏ ଦିଗରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କଲେ ଆମ ଦେଶର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାଟି ସାଧାରଣ ଲୋକଟି ନିକଟରେ ଅଧିକ ବିଶ୍ୱାସନୀୟ ହେବ ।
ସଦସ୍ୟ, ରାଜ୍ୟ ଆଇନଜୀବି ପରିଷଦ
ଦୂରଭାଷ- ୯୪୩୭୦୧୨୪୬୦
Comments are closed.