Latest Odisha News

BREAKING NEWS

ଚିର ନିଦ୍ରାରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ବଲିଉଡ୍ ଓ ସଙ୍ଗୀତ ଦୁନିଆ ପାଇଁ ବଡ଼ ଦୁଃଖଦ ଖବର । ଚିରନିଦ୍ରାରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଜି ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ୱାଇରେ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଗତ ମାସେ ଧରି ତାଙ୍କର ଚିକିତ୍ସା ଚାଲିଥିଲା । କରୋନା ସଂକ୍ରମିତ ହେବା ସହ ସେ ନିମୋନିଆରେ ପୀଡ଼ିତ ହୋଇଥିଲେ। ଲତା ମଙ୍ଗେସକରଙ୍କ ବିୟୋଗରେ ସାରା ବଲିଉଡ୍ ଓ ସଙ୍ଗୀତ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

ଜାନୁଆରୀ ୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ମୁମ୍ୱାଇ ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଲକା ମଙ୍ଗେସକର । ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଚଳାଇଥିଲେ । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ଓ କୋଟି କୋଟି ଫ୍ୟାନଙ୍କ ପ୍ରାର୍ଥନା ସତ୍ତ୍ୱେ ଜୀନ ବଞ୍ଚି ପାରିଲା ନାହିଁ ।

କିଏ କହେ ତାଙ୍କୁ ସୁର ସାମ୍ରାଜ୍ଞୀ ତ କେହି କେହି କୋକିଳ କଣ୍ଠୀ କୁହନ୍ତି । କ୍ଲାସିକାଲ୍ ହେଉ କି ରୋମାଣ୍ଟିକ, ପୁଣି ଭକ୍ତି ସଙ୍ଗୀତ ଓ ଦେଶପ୍ରେମ ଭରା ସଙ୍ଗୀତ ସବୁଥିରେ ତାଙ୍କ ସୁରିଲା କଣ୍ଠସ୍ୱର କୋଟି କୋଟି ଶ୍ରୋତାଙ୍କ ମନ ଜିଣିଥିଲା । ମାତ୍ର ୫ ବର୍ଷ ବୟସରୁ ସଙ୍ଗୀତ ଦୁନିଆରେ ପାଦ ଥାପିିଥିଲେ ଲତା ମଙ୍ଗେସକର । ୭୫ ବର୍ଷ ଲମ୍ବା କ୍ୟାରିୟରରେ ୨୫ ହଜାରରୁ ଅଧିକ ଗୀତ ଗାଇଛନ୍ତି । ନିଜ ଭାଇ ଭଉଣୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିବାହ କରି ନଥିଲେ ଲତା ମଙ୍ଗେସକର ।

ସଙ୍ଗୀତ ଦୁନିଆ ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ଅନେକ ପୁରସ୍କାର ପାଇଛନ୍ତି । ୩ ଥର ଜାତୀୟ ପୁରସ୍କାର ପାଇଛନ୍ତି । ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଲତା ମଙ୍ଗେସକର । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ବି ତାଙ୍କୁ ପ୍ରଦାନ କରାଯାଇଛି । ତାଙ୍କ ବିୟୋଗ କେବଳ ଭାରତ ନୁହେଁ ସାରା ବିଶ୍ୱକୁ ସ୍ତବ୍ଧ କରିଛି ।

Comments are closed, but trackbacks and pingbacks are open.