Latest Odisha News

BREAKING NEWS

ନାବାଳକ ଗାଡ଼ି ଚଳାଇଲେ ଅଭିଭାବକଙ୍କୁ ୨୫ ହଜାର ଜରିମାନା

ଭୁବନେଶ୍ୱର: ଅଭିଭାବକ ସାବଧାନ । ନାବାଳକଙ୍କ ଛୁଆଙ୍କ ହାତରେ ଦିଅନ୍ତୁ ନାହିଁ ଗାଡ଼ି । ନହେଲେ ଗଣିବେ ତଣ୍ଡ । ନାବାଳକ ଗାଡ଼ି ଚଳାଉଥିବା ଧରା ପଡ଼ିଲେ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ମଙ୍ଗଳବାର ଠାରୁ ନାବାଳକଙ୍କ ଗାଡ଼ି ଚାଳଣା ଉପରେ ତୀକ୍ଷଣ ନଜର ରଖିବ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ।

ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ଓ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତି ମଙ୍ଗଳବାର ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚାଳନା, ବିପରତୀ ଦିଗରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର, ହେଲମେଟ ନ ପିନ୍ଧିବା ଓ ସିଟ୍ ବେଲ୍ଟ ନ ବାନ୍ଧିବା ଉପରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯିବ ।

୨୦୨୧ ବର୍ଷରେ ୧୮ ବର୍ଷରୁ କମ୍ ୧୩୨ ପୁଅ ଓ ୨୩ ଝିଅଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯାହାକି ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ପରିବହନ ବିଭାଗର ଅତିରିକ୍ତ କମିଶନର (ଏନଫୋର୍ସମେଣ୍ଟ) ରୋଡ୍ ସେଫଟି ଲାଲମୋହନ ସେଠୀ । ସେ କହିଛନ୍ତି, ପୋଲିସ ସହାୟତାରେ ମାର୍ଚ୍ଚ ୨୮ରୁ ଏପ୍ରିଲ୍ ପ୍ରଥମ ସପ୍ତାହ ଯାଏ ଅଭିଯାନ ଆରମ୍ଭ ହେବ ।

ଏମଭି ଆକ୍ଟର ସେକ୍ସନ୍ ୧୯୯ଏ ଅନୁସାରେ, ଗାଡ଼ି ଜବତ କରାଯାଇ ପଞ୍ଜିକରଣ ବାତିଲ୍ କରାଯିବ । ନାବାଳକଙ୍କ ଅଭିଭାବକ ଅଥବା ଗାଡ଼ି ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ସହ ୩ ବର୍ଷ ଜେଲ୍ ହୋଇପାରେ । ଏପରିକି ଅବହେଳା ନଜରକୁ ଆସିଲେ ସାରଥି ଡାଟାବେସରେ ନାବାଳକଙ୍କ ତଥ୍ୟ ଦିଆଯିବ । ଫଳରେ ନାବାଳକ ଜଣଙ୍କୁ ୨୫ ବର୍ଷ ହେବା ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ ବୋଲି କହିଛନ୍ତି ଶ୍ରୀ ସେଠୀ ।

Leave A Reply

Your email address will not be published.