Latest Odisha News

BREAKING NEWS

ଟଙ୍କା ଖାଇ ଗୋଡ଼ାଏ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’

‘ଟଙ୍କା ମୁହଁ କରିଦିଏ ବଙ୍କା’ । ଏ ପ୍ରବାଦଟି କେବେଠୁ ଗଡିଆସୁଛି । ଟଙ୍କା କେବଳ ଏକ ମାଧ୍ୟମ । କାଗଜରେ ଛପାଟଙ୍କା କି ଧାତୁରେ ତିଆରି ଟଙ୍କାପଇସାମାନେ ସବୁବେଳେ ଚାହାଁନ୍ତି – ଏ ପକେଟରୁ ସେ ପକେଟ ଏ ମୁଣିରୁ ସେ ମୁଣି ଏ ଆଲମାରିରୁ ସେ ଆଲମାରି ଏ ସିନ୍ଦୁକରୁ ସେ ସିନ୍ଦୁକ, ଏବେ ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ଘୁରିବାକୁ ଚାହାଁନ୍ତି । ଟଙ୍କାକୁ ଲୁଚେଇରଖିଲେ କିମ୍ବା ବନ୍ଦି କଲେ ସେମାନେ ସମ୍ଭାଳି ହେବେନି  ଭୟଙ୍କର ରୂପ ଧାରଣ କରିବେ । ଯିଏ ରଖିଥିବ  ସେମାନଙ୍କୁ ଖାଇ ଗୋଡେଇବେ ।

ମଣିଷ ପାଖରେ ଟଙ୍କାର ମାତ୍ରା ବଢିଲେ ଜୀବନ ବଞ୍ଚିବାର ପ୍ରାକୃତିକ ପ୍ରଣାଳୀରୁ ଅପ୍ରାକୃତିକ ଭାବେ ଖର୍ଚ୍ଚ କରେ । ଏହି ଅପ୍ରାକୃତିକ ଉପାୟ ଅବଲମ୍ବନ କରି ମଣିଷ ରୋଗାଗ୍ରସ୍ତ ହୋଇଥାଏ । ଏହାଦ୍ୱାରା ବ୍ୟବସାୟୀ ଓ ଡାକ୍ତର, ଔଷଧ ଦୋକାନୀ ବେଶ୍‍ ଟଙ୍କା କମାନ୍ତି । କୌଣସି ପ୍ରାକୃତିକ ମାନସିକ ବିଚାରଧାରାକୁ ଟଙ୍କାରେ କିଣାଯାଇପାରେନା । ଟଙ୍କା ମଣିଷର ଜୀବନ ବଞ୍ଚାଇବା ସମ୍ଭବ ନୁହେଁ । କୋଟି କୋଟି ଟଙ୍କା ଥିଲେ କ’ଣ ମଣିଷ ଦୂରାରୋଗରୁ ବଞ୍ଚିପାରିବ । ଏଇ ଦେଖୁନାହାଁନ୍ତି – କରୋନାରେ କେତେ ଲୋକ ହଠାତ୍‍ ମରିଗଲେ ।

ଏଇ ଟଙ୍କା ସମାଜରେ ଶତ୍ରୁତା ସୃଷ୍ଟିକରି ହଣାକଟାରେ ଜୀବନ ଯାଉଛି । ରକ୍ତସଂପର୍କ ବନ୍ଧୁବାନ୍ଧବ ମଧ୍ୟରେ ପାଚେରୀ ଛିଡା କରୁଛି । ଚତୁର ବ୍ୟବସାୟୀ, ଶିଳ୍ପପତିମାନେ ବ୍ୟାପକ ପ୍ରଚାର ସମ୍ବାଦପତ୍ର, ଟିଭି, ମୋବାଇଲରେ ଦେଖାଇ ମନଲୋଭା ଅଫର୍‍ ଦେଇ ତାଙ୍କ କୃତ୍ରିମ ପ୍ରସାଧାନ ବିକ୍ରି କରୁଛନ୍ତି । ଏପରିକି ପଶ୍ଚାତ୍‍ ଦେଶ ସଂସ୍କୃତିକୁ ଆମେ ଭାରତୀୟମାନେ ଗ୍ରହଣକରି ଫଟା ସଂସ୍କୃତିର ମାୟାଜାଲରେ ଛନ୍ଦି ହୋଇଯାଉଛେ । ଆମର ପରିବାରର ଅର୍ଜ୍ଜିତ ସମ୍ପତ୍ତିକୁ ସେଇସବୁ ଚତୁର ବ୍ୟବସାୟୀଙ୍କ ମୁଣିରେ ଭର୍ତ୍ତିକରି ଦେଉଛେ । ଯାହାଫଳରେ ଆମମୁଣ୍ଡ ସବୁ ଟିଣ ହେବାରେ ଲାଗିଛି । ବୁଦ୍ଧି ବାମ, ଦେହ ଖରାପ, ଚେହେରା କିମ୍ଭୁତ କିମ୍ବାକାର ।କେହି କାହା କଥା ଶୁଣିବାରେ ନାହାଁନ୍ତି । ଘରର ପୁଅଝିଅମାନେ ବେମୁରବୀଆ ହୋଇଯାଉଛନ୍ତି । ଖୁଲମଖୁଲା ନିଶାଗ୍ରସ୍ତ । ଯୌନ କେଳେଙ୍କାରୀ, ଧର୍ଷଣ, ହତ୍ୟାକାଣ୍ଡରେ ମାତିଛନ୍ତି । ଯୁବସମାଜ ପଥଭ୍ରଷ୍ଟ ହେଲେ ଏ ଦେଶ, ଏ ଜାତି ରହିବ ତ ?

ସମସ୍ତଙ୍କର ଟଙ୍କା ଦରକାର । ବିନା ଟଙ୍କାରେ ପାଦେ ଆଗକୁ ଯିବା କଷ୍ଟକର । ୟାଡେ ରୋଜଗାର ନାହିଁ, ବେକାର । କେତେକ ଟଙ୍କା ସୁଧିଆରେ ଲଗାଉଛନ୍ତି । ହଠାତ୍‍ ଦେହ ଖରାପ
ହେଲେ, ଯେକୌଣସି ଜରୁରୀ କାମ ଥିଲେ – ଟଙ୍କା ଧାର ନମିଳିଲେ ବଜାରସହର ଗାଁଗଣ୍ଡାରେ ସୁଧିଆରେ ଟଙ୍କା ଦେଲାବାଲା ପୁଳା ପୁଳା ଟଙ୍କା ଧରି ବସିଛନ୍ତି ସେମାନେ ଲୋକଙ୍କ ଉପରେ ବିପଦ ପଡୁବୋଲି ପ୍ରତିଦିନ ସକାଳୁସଞ୍ଜରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି । ଟଙ୍କା ଦେଲାବେଳେ ବଡ କଅଁଳିଆ କଥା କହି ଟଙ୍କା ଗଣିଦିଅନ୍ତି ୫ ହଜାର ନିଅ କି ଲକ୍ଷେ ଦି’ଲକ୍ଷ ନିଅ ଦେଇଦେବେ । ପ୍ରତିମାସରେ ସୁଧ ୨% ସ୍ଥଳବିଶେଷରେ ୩% ଦେବାକୁ ହେବ । ଅର୍ଥାତ୍‍ ବର୍ଷକୁ ୨୪ କିମ୍ବା ୩୬% କେବଳ ସୁଧ ଗଣିବାକୁ ହେବ । ମୂଳ ସେମାନେ ସଂଗେ ସଂଗେ ନେବେନି । ଧର ଲକ୍ଷେ ଟଙ୍କା ସୁଧିଆରେ ଆଣିଛନ୍ତି – ପ୍ରତିମାସରେ ୨ ହଜାର କିମ୍ବା ୩ ହଜାର କେବଳ ସୁଧ ଗଣୁଥିବେ । ଆଉ କେତେକ ଧ୍ରୁତ ଅଛନ୍ତି ଦି’ଟଙ୍କିଆ ସୁଧ ଆଣି ପ୍ରତିମାସରେ ୫ ଟଙ୍କିଆ ସୁଧ ନେଉଛନ୍ତି । ଆପଣମାନେ ସୁଧ ଗଣୁଥିବେ – ମୂଳ ଶୁଝିପାରୁନଥିବେ । ବର୍ଷେ ଦି’ବର୍ଷ ବେଳକୁ ସୁଧମୂଳ ମିଶି ଡବଲ୍‍ ଦେବାକୁ ପଡିବ । କରଜ – ସୁଧ ନ ଶୁଝିପାରିଲେ ଅଭଦ୍ର ଗାଳି, ଗୁଣ୍ଡାଙ୍କ ଉତ୍ପାତ୍ତ । ସହ୍ୟ କରିନପାରି କେତେକ ଆତ୍ମହତ୍ୟା କରୁଥିବାର ଖବର ଶୁଣୁଛେ ।

ସୁଧିଆ ଟଙ୍କା କିସ୍ତି ଟଙ୍କାର ମାୟାଜାଲରେ ପ୍ରାୟ ଘରେ ଘରେ ଛନ୍ଦି ହୋଇଯାଉଛନ୍ତି । ଏସବୁ ଘଟଣା ବେଶି ପ୍ରଚାରିତ ନହେଲେବି ଏକ ମୁଣ୍ଡବିନ୍ଧା ଘଟଣା ଘଟିଚାଲୁଛି । ଯେଉଁ ମହିଳାମାନେ କିମ୍ବା ବଢିଲା ଝିଅମାନେ ଦିନେ ସହରବଜାରକୁ ଆସୁନଥିଲେ ସେମାନେ ସବୁଠି ଭିଡ ଲଗାଇଛନ୍ତି । ବାପ ମା’ଙ୍କ ଦୁଃଖ ସହିନପାରି ଯେଉଁ ଝିଅମାନେ ଚାକିରୀ ଆଶାରେ ଚାରିଆଡେ ଯାଇ ନେହୁରା ହେଉଛନ୍ତି, କେତେକ ଚାକିରୀ ତ ଅଳ୍ପ ଦରମାରେ ପାଇଲେ – କିନ୍ତୁ ରକ୍ଷକ ସେଠି ଭକ୍ଷକ ପାଲଟିଯାଉଛନ୍ତି । ଏ ହୃଦୟବିଦାରକ ଘଟଣା ଏ ଘୋର କଳିକାଳରେ ପ୍ରତିନିୟତ ଘଟିଚାଲିଛି । ଏଥିରୁ କେବେ ମୁକ୍ତି ମିଳିବ । କି ଉପାୟ କଲେ କିସ୍ତି ଟଙ୍କାର ମୋହମାୟାରେ ଛନ୍ଦିହୋଇନଯାଇ ପରିଶ୍ରମ କରି ଯାହା କିଛି ରୋଜଗାର କିମ୍ବା ଉତ୍ପାଦନ କଲେ ତାହା ଆମ୍ଭେମାନେ ଶାନ୍ତିରେ ଖାଇ ଶୋଇପାରିବା ।

ପିଲାଦିନେ ପାଠ୍ୟପୁସ୍ତକରେ ପଢିଥିଲୁ – ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଅମରଗପ ‘କାବୁଲିବାଲା’ । ହେଲେ ଆଜି ଏ ବଜାରରେ ସେଇ ଆଫଗାନ୍‍ ପାହାଡିମାର୍କା ଦୀର୍ଘକାୟ କାବୁଲିବାଲା ଉଭାନ୍‍ । ବରଂ ଉଭା ହୋଇଛନ୍ତି – ଭବ୍ୟପ୍ରାସାଦବାସୀ ସଇତାନବଚାଙ୍କ ଚେଲାଚରମାନେ – ଯେଉଁମାନେ ଧୋବଧାଉଳିଆ ବାବୁଭାୟା ବେଶରେ ଗରିବଗୁରୁବା ନିରୀହ ନିପୀଡିତ ଆଦିବାସୀର ଖାଁ ଖାଁ ଗାଁଗଣ୍ଡାକେ ପଶି ଯାଚି ଚାଲିଛନ୍ତି – କରଜ ନିଅ, କରଜ । ଯେତେ ଚାହୁଁଛ ସେତେ ନିଅ – ହେଲେ ମାସକୁ ଯୋଡିଏ କିସ୍ତିରେ ଆଗ ସୁଧତକ ଦେଇଦେବ । ହୁସିଆର ! ନ’ଦେଲେ ତମ ଇସ୍ତିରିମାନଙ୍କୁ ଦି’ଥର ଆମ ମାଲିକମହଲକୁ ପଠେଇଦେବ । ଏ ସର୍ତ୍ତ – ଏ କରଜ ଦେଲାବାଲାଏ ଘରେ ଘରେ ପୁରୁଷ ନଥିବାବେଳେ ଫୁସ୍‍ ଫୁସ୍‍ କରି କହୁଛନ୍ତି – ତିରିଲାମାନଙ୍କୁ । ଏ ସ୍ତ୍ରୀ ଲୋକ କିନ୍ତୁ ଶୁଣିଲାବେଳେ ଭାବୁଛନ୍ତି ହଁ ମ  ଦି’ଥର କିସ୍ତିରେ ଦେଣା କେଇଟା ଟଙ୍କା ଯେ – ଶଳା ବୁଢା ମାଲିକ ଆମ ଡାଙ୍ଗଭଳିକା ଶୁଖିଲା ଦେହଟାରୁ ରସ ଦି’ଟୋପା ଶୋଷିବାକୁ ବସିଛି । କରଜ ମିଳେ  ୧୦ ହଜାରରୁ ୫୦ ହଜାର  ଲକ୍ଷେରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ବି । ମାତ୍ର ସୁଧରେ ଭାସିଯାଏ ଜୀବନ ନୁହେଁ ଯୌବନ । ଏଇ ଯୌବନ ଅବମାନିତା, ଅପଲୁଣ୍ଠିତା, ବସ୍ତିରମଣୀର ଶେଷ ଉଜ୍ଜତ ସ୍ୱରୂପ ତା’ ଭୋକିରଙ୍କି ବଢିଲା ଦେହଟା । ଯାହା ମନେହୁଏ, ସମାଧାନ ହୋଇଯିବ ଖୁବ୍‍ ସହଜରେ – ତାହା କିନ୍ତୁ ଓଲଟପାଲଟ କରିଦିଏ, ଏଇ ମାମୁଲିମଣିଷମାନଙ୍କର ଛପରଉଡି ଘାଟିଘରର ମର୍ମାନ୍ତିକ, ବଞ୍ଚିବାର ବ୍ୟାକରଣକୁ । ଇଜ୍ଜତ ଲୁଟର ଇତିହାସ ନିଆଁପାଉଁଶର କାହାଣୀ ହୃଦୟବିଦାରକ । ଆଜି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏଇ କିସ୍ତି ଅଭାବି ଲୋକଙ୍କୁ ଘାଇଲା କରିଦେଲାଣି । କିସ୍ତିର ନାଗଫାଶ ବନ୍ଧନରେ ନାରୀମାନେ ସିନା ପଡିଯାଇଛନ୍ତି, ପୁରୁଷମାନେ କୋଉ କମ୍‍ କି ! ଘରର ପୁରୁଷମାନେ ବି କରଜର ସୁଧ ଟଙ୍କା ଗଣି ଗଣି ନୟାନ୍ତ, ମୂଳ ସୁଝିବା ଦୂରେ ଥାଉ । ପ୍ରାୟ ୬୦ ବର୍ଷ ତଳେ ଏ ଅଧମ ଯାଜପୁରରୋଡରେ ଦେଖିଛି ସେଇ ଆନ୍ଧ୍ର ମହାଜନଙ୍କ ଦୌରାତ୍ମ୍ୟ । ଗାଁଗଣ୍ଡାର ପୁରୁଷମାନେ ହଜାର ଦି’ହଜାର ଟଙ୍କା କରଜନେଇ ଚକ୍ରବର୍ତ୍ତି ସୁଧରେ ପ୍ରତିଦିନ ଦେଇଚାଲନ୍ତି । ମୁଁ ଦେଖିଚି, ଶୁଣିଛି ମଧ୍ୟ ସେମାନଙ୍କ ହୃଦୟର ବ୍ୟଥା, ବୁକୁଫଟା କରୁଣକାହାଣୀ । ଆଜି ତ ଦେଶ ଅମୃତ ମହୋତ୍ସବ ପାଳନ କରୁଛି – ଏ କିସ୍ତିର ବିଷଭଣ୍ଡାର ଆଉ କେତେଦିନ ଆମେ ପିଇ ପିଇ ଜୀବନକୁ ନାରଖାର କରୁଥିବା ?

ଆମ ଭାଗ୍ୟରେ କ’ଣ ଅମୃତ ଟୋପେ ନାହିଁ ।

ଟଙ୍କା ! କେବଳ ହିଁ କଳାଟଙ୍କା ! ଏଇ ପ୍ରଚଣ୍ଡ ପ୍ରଲୋଭନରେ ଧଳା ମହାଜନ ଆମେରିକାର ଖାତକ ହେବାର ପାତକ ମୁଣ୍ଡାଇବାକୁ ଅଧିକାଂଶ ଏସୀୟ ରାଷ୍ଟ୍ର ଏବେ ପଛଉନାହାନ୍ତି ମୋଟେ ା କାରଣ ଏସୀୟ ରାଜନୈତିକ ଚରିତ୍ର ଏବେ ବହୁଳାଂଶରେ ବିତୀୟ ବ୍ୟବସ୍ଥା ଦ୍ୱାରା ବିକ୍ରୀତ – ଯେଉଁ ବିତୀୟ ବ୍ୟବସ୍ଥାର ବ୍ୟୂହ ରଚନା କରିଛି ମାର୍କିନ୍ କୂଟନୀତି ା ଏସିଆର ପ୍ରାଚୀନ ଧର୍ମ ଓ ସଂସ୍କୃତି ନିଷ୍ଠ ସଭ୍ୟତାକୁ ମୂଳପୋଛ କରିବା ଅଭିସନ୍ଧିରେ କେବେଠୁ ସୃଷ୍ଟି ହୋଇସାରିଛି ଆଧୁନିକ ଅର୍ଥନୀତିର ଆତସବାଜି ସ୍ୱରୂପ କର୍ପୋରେଟ କଲ୍‌ଚର ଯାହା ପ୍ରକାରାନ୍ତରେ ଏକ କିଲର୍ କଲ୍‌ଚର – ମାର୍କିନ୍ ମିକ୍‌ଶ୍ଚର ! ମୁନାଫାମୁଖୀ ମାନସିକତା ମାରିଦେଉଛି ମଣିଷପଣ – ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ରଚନା କରୁଛି ରକ୍ତପାତ, ଯୁଦ୍ଧ ବିଗ୍ରହ, ଭୟାବହ ଭଗାରି ଭୂମିକା – ଜାତିଜାତି ମଧ୍ୟରେ ଜାତ ହେଉଛି ଜଘନ୍ୟ ଜାନ୍ତବ ଦ୍ୱନ୍ଦ୍ୱ – ଧର୍ମ ଧର୍ମ ମଧ୍ୟରେ ଚାଲିଛି ଦୁଃସହ ଦଙ୍ଗାର ବିଷାକ୍ତ ବିଭୀଷିକା ! ଏସିଆର ଦେଶ, ସମାଜ, ସଂସ୍କୃତି,ଧର୍ମ, ସଂଗଠନ, ପରମ୍ପରା, ପରିବାରକୁ ଆଜି ପାଉଁଶରେ ପରିଣତ କରିବାକୁ ଯାଉଛି ଆମେରିକାର ଅଧର୍ମବିତ ! ଏଇଥିଲାଗି ହିଁ ଆତଙ୍କବାଦ – ଅର୍ଥନୈତିକ ଆତଙ୍କବାଦ – ଏକ ଆଭ୍ୟନ୍ତରୀଣ ଆପଦର ଆବର୍ତରେ ସମଗ୍ର ଏସିଆ ଏବେ ଉତ୍ପୀଡ଼ିତ ା

ଉତ୍ପାତକାରୀମାନଙ୍କୁ ଉଚ୍ଛେଦ କରିବା ପାଇଁ ମିଲିଟାରୀ ଓ ପୁଲିସ୍ ଫୋସ୍‌ର୍ର ବାରବର୍ଷର ତପସ୍ୟା ପଣ୍ଡ ହେଉଛି ଶୁଖୁଆ ପୋଡାରେ ! କାରଣ ଅଧିକାଂଶ ରାଷ୍ଟ୍ରର ଶାସନ ଓ ପ୍ରଶାସନର ସୂତ୍ରଧରମାନଙ୍କୁ କଳାଟଙ୍କାର କାରବାରରେ ହରଦମ୍ ହିସାବଦୋରସ୍ତ କରାଇବାରେ କୃତକାର୍ଯ୍ୟ ହୋଇସାରିଛି ସଫେଦ୍ ସୌଦାଗର ! ଭାରତବର୍ଷର ଅର୍ଥନୀତିକୁ ଯେଉଁଦିନଠାରୁ କଳାଟଙ୍କାର କ୍ୟାନ୍‌ସର୍ ଗ୍ରାସ କଲା, ସେଇ ଦିନଠାରୁ ଆରମ୍ଭ ହେଲା ଭାରତୀୟମାନଙ୍କର ଭାଗ୍ୟବିପର୍ଯ୍ୟୟର କାଳରାତ୍ରି ! ଆମର ସ୍ୱାଧୀନତା ବା ମୁକ୍ତିର ମଧ୍ୟରାତ୍ରିକୁ ନିହାତି ନିଷ୍ପ୍ରଭ କରିସାରିଛି ଏ କଳଙ୍କିତ କାଳରାତ୍ରି  । ଏହି କ୍ରମରେ ରୁଗ୍‌ଣ ରାଜନୀତି ଓ ଋଣୀ ଅର୍ଥନୀତିର ମିଳିତ ଚକ୍ର ଲୁଟିଚାଲିଛି ଭାରତୀୟ ମହାଜାତିର ଭାଗ୍ୟ ଓ ଭବିଷ୍ୟତ  । ଜାତୀୟସମ୍ପତି ଏବେ ଦ୍ରୁତଗତିରେ ବ୍ୟକ୍ତି ସମ୍ପତ୍ତି ପାଲଟୁଛି ଏ ଭୂଖଣ୍ଡର ଭିନ୍ନ ଭିନ୍ନ ଖଣ୍ଡରେ  ।

ମହାଜନୀ ଶାସନବ୍ୟବସ୍ଥାର ମତଲବୀ ସୂତ୍ରଧରମାନେ ଜନଗଣଙ୍କ ଉପରେ କରବୃଦ୍ଧି ଓ ବାଣିଜ୍ୟବ୍ୟବସାୟ କ୍ଷେତ୍ରରେ ଦରବୃଦ୍ଧି ଦ୍ୱାରା ଅମାପ ଧନ ଅକ୍ତିୟାର କରୁଛନ୍ତି ନାନା କୌଶଳରେ  । ସେ କଳାଧନ ଟଙ୍କାକୁ ଡଲାର୍‌ରେ ପରିଣତ କରିବାର ଏବଂ ଡଲାର୍‌ର ଅକଳ୍ପନୀୟ ଶକ୍ତିବର୍ଦ୍ଧନ କରିବାର ଏକ ବିଷପ୍ରକ୍ରିୟା ମାତ୍ର  । ଲୋକଙ୍କୁ ଅବଚେତନ ଭାବେ ଏକ ଅନ୍ଧାରୀ ଦିଗଆଡକୁ ଠେଲି ଦିଆଯାଉଛି । ଶୂକର ଧର୍ମ ଘୁଷୁରି ଧର୍ମ ଘୁଷୁରି ଭଳି ମଣିଷ ଜାତିକୁ ଗୋଟାଏ ଘସରା ଜୀବନ ବଞ୍ଚିବାକୁ ଅନୁପ୍ରେରିତ କରାଯାଉଛି । ସ୍ଥାଣୁ ଅର୍ଥନୀତିକୁ କିଛି ସମୟ ପାଇଁ ଚଳଚଞ୍ଚଳ କରି ରଖିବା ଉଦ୍ଦେଶ୍ୟରେ ପ୍ରବଳ ପ୍ରୟାସର ଏକ ପ୍ରାୟୋଜିତ ପର୍ଯ୍ୟାୟ ସବୁଦେଶର ସରକାରମାନେ ଆରମ୍ଭ କରୁଛନ୍ତି । ଯନ୍ତ୍ରମାନବ, କମ୍ପ୍ୟୁଟର ପ୍ରଚଳନ କରି ପୁଞ୍ଜିର ଐରାବତ ସୃଷ୍ଟିକରି ମଧ୍ୟ ସଂକଟ ଜାଲରୁ କେହି ମୁକୁଳି ପାରୁନାହାଁନ୍ତି । ଶୋଷଣର ବିଶାକ୍ତ ହତିଆର ଅକାମି ହୋଇପଡୁଛି । ଅବୈଧ ଅର୍ଥଲଗାଣ ଚିଟ୍‌ଫଣ୍ଡ ପାଲରେ ପଡ଼ି ଯେଉଁମାନେ ଫସି ଯାଇଛନ୍ତି- ସେମାନଙ୍କ
ମନସ୍ତାତ୍ୱିକ ଅବସ୍ଥା ଭଲ ନାହିଁ  । କେତେକ ଚିଟ୍‌ଫଣ୍ଡ ସଂସ୍ଥା ଅଫିସ ଆଗରେ ଏପରିକି ରାଜଧାନୀରେ ବିକ୍ଷୋଭ କରୁଛନ୍ତି  । ଥାନାରେ ମଧ୍ୟ ଏତଲା ଦେଉଛନ୍ତି ଏବଂ ଖୋଲାଖୋଲି କେତେ ଟଙ୍କା ଜମାଦେଇ ଠକିଯାଇଛନ୍ତି- କହୁଛନ୍ତି; କିନ୍ତୁ ଏମାନଙ୍କ ସଂଖ୍ୟା ମୁଁ ଯାହା ଭାବୁଛି ଶହେରୁ ୫ଜଣ ହେବେ  । ବାକି ୯୫ପରସେଂଟ୍ ଲୋକ ବଡ଼ଦାଣ୍ଡ ଭିକାରିଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ଏବଂ ସମାଜରେ ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତିମାନେ କେତେଟଙ୍କା କେଉଁ ସଂସ୍ଥାରେ ଜମାକରି ଠକିଯାଇଛନ୍ତି- ଏପର୍ଯ୍ୟନ୍ତ ତୁଣ୍ଡ ଖୋଲୁନାହାଁନ୍ତି  । କାରଣ- ‘ଅଜାଗା ଘା’ ଦେଖିହୁଏନା କି ଦେଖେଇ ହୁଏନା  । ଦୁନିଆ ଦୋହଲା ଦୁଃଖ କଷ୍ଟ ବେଦନା ଆଉ ଯାତନାର ଜୂପକାଠରେ ବଳିପଡିବାକୁ ଯାଉଥିବା ଅର୍ଥନୀତି ଏବେ ବଦଳାଇଦେବ ତା’ର ଚିରପରିଚିତ ସଂଜ୍ଞା । ଜୀବନଶୈଳୀର ଅଦ୍ଭୁତପୂର୍ବ ପରିବର୍ତନ ଆଜି ଅର୍ଥନୀତିକୁ ତା’ର ସଂଜ୍ଞା ପରିବର୍ତନ ପାଇଁ ବାଧ୍ୟ କରିବା ଆଶଙ୍କା ଐଶର୍ଯ୍ୟଶାଳୀ ଆମେରିକା ଠାରୁ ଆରମ୍ଭ କରି ଇଥିଓପିଆ ପର୍ଯ୍ୟନ୍ତ
ପ୍ରକାଣ୍ଡକାୟ ଅଶୁଭ ସକୁନର କରାଳପକ୍ଷଛାୟା ପରି ଆସନ୍ନ । ଆଜି ଏ ବିଶ୍ୱର ବର୍ତମାନଟା କି ବିକୃତ, କି ବିଭତ୍ସ, କି ବିକଳାଙ୍ଗ! ବିଶାଳ ବିରଧାଭାଷଟାଏ ଏ ବିଶ୍ୱ  ଯାହାକୁ ଆମେ ପୃଥିବୀ କହିଲେ ଉପହାସ କରିବ ଇତିହାସ  ଲଜ୍ଜା ଆଉ ସଙ୍କୋଚରେ ମୁହଁ ଘୋଡାଇବେ ଆମ ପୂର୍ବପୁରୁଷ । ଏ ବିଶ୍ୱ ଗୋଟିଏ ବିକଳ ଭଗ୍ନସ୍ତୁପ । ନଂପୁଶକ ନାୟକହୀନ ରାଜନୀତି ଉତ୍କଟ ଉପଧ୍ୱଂସ ପରି ଆକ୍ରାନ୍ତ କରିସାରିଛି ସମଗ୍ର ବିଶ୍ୱକୁ । ନେତୃତ୍ୱର ସଂକଟ ସହିତ ମୂଲ୍ୟବୋଧର ମୃତ୍ୟୁ ଆଜି ବିଶ୍ୱ ରାଜନୀତିକୁ ପରିଣତ କରିଛି କେବଳ କଂସେଇମାନଙ୍କ କାରଖାନାରେ । ବର୍ତ୍ତମାନର ରାଜନୀତି କ୍ଷେତ୍ରରେ ଶୋଷକ ହିଁ ସାଜିଛନ୍ତି ଶାସକଶ୍ରେଣୀ । ଦୁର୍ବୁର୍ତ୍ତମାନେ ହିଁ ପାଲଟିଛନ୍ତି ଦ୍ୱାରପାଳ । ମାଫିଆ ବନିଛି ମୁଖିଆ । ଗୁଣ୍ଡା ପାଲଟିଛି ଭେଣ୍ଡା, ଜିରୋ ହୋଇଛି ହିରୋ!
ଚଞ୍ଚକ ରାଜନୀତି ଚଳୁ କରିବାକୁ ବସିଛି ସମଗ୍ର ବିଶ୍ୱକୁ । ରାଜନୈତିକ ଦୁର୍ନୀତି ଏ ଭ୍ରଷ୍ଟାଚାର ସହିତ ଅର୍ଥନୈତିକ ଶୋଷଣ ସହିତ ଗଢିଉଠିଛି ଖୋଲାଖୋଲି ସମ୍ପର୍କ । ଭିନ୍ନ ଭିନ୍ନ ନାଁ ଓ ଦଳ ଦଖଲ କରି ନେଇଛନ୍ତି ଭିନ୍ନ ଭିନ୍ନ କିଆରି । ଜନସ୍ୱାର୍ଥ ନୁହେଁ – ଆତ୍ମସ୍ୱାର୍ଥ ଓ ନ୍ୟସ୍ତସ୍ୱାର୍ଥ ହିଁ ଆଜି ଏକମାତ୍ର ଆଭିମୁଖ୍ୟ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.